ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳି ହତ୍ୟା କଲା ଦୁର୍ବୃତ୍ତ


ତେଲେଙ୍ଗାନାରେ ଜଣେ ମହିଳା ତହସିଲଦାର ଅଫିସରେ କାର୍ଯ୍ୟ କରୁଥିବାବେଳେ ଜଣେ ଦୁର୍ବୃତ୍ତ ତାଙ୍କୁ ଜିଅନ୍ତା ଜାଳି ହତ୍ୟା କରିଛି । ହାଇଦ୍ରାବାଦ ଉପକଣ୍ଠରେ ଥିବା ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲ୍ଲାପୁରମେଟ୍ ତହସିଲଦାର ଅଫିସରେ ଏହି ହୃଦୟ ବିଦାରକ ଘଟଣା ଘଟିଛି । ଇବ୍ରାହିମପଟନମର ରେଭିନ୍ୟୁ ଡିଭିଜନାଲ ଅଫିସର ଅମରିନନ୍ଦ୍ର କହିଛନ୍ତି ଯେ, ତହସିଲଦାର ମ୍ୟାଡମ ମଧ୍ୟାହ୍ନରେ ତାଙ୍କ ଚ୍ୟାମ୍ବରରେ ବସି କାମ କରୁଥିବାବେଳେ ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଯାଇଥିଲା ।
ସେଠାରେ ସେ ଚ୍ୟାମ୍ବରକୁ ଭତର ପଟୁ ବନ୍ଦ କରି ମ୍ୟାଡମଙ୍କ ସହ ପାଟିତୁଣ୍ଡ କରିଥିଲା । କିଛି ସମୟ ପରେ ଉକ୍ତ ଦୁବୃର୍ତ୍ତ ଜଣକ ତାଙ୍କ ସହ ଆଣିଥିବା ପେଟ୍ରୋଲକୁ ତହସିଲଦାର ବିଜୟାଙ୍କ ଉପରେ ଫୋପାଡି ନିଆଁ ଲଗାଇଦେଇଥିଲା । ବିଜୟାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ବି ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ଘଟଣାସ୍ଥଳରେ ହିଁ ବିଜୟାଙ୍କ ମୃତ୍ୟୁ ହୋଇଥିବାବେଳେ ଉକ୍ତ ଆକ୍ରମଣକାରୀ ଜଣକ ମଧ୍ୟ ଅଫିସ ବାହାରେ ଠିଆ ହୋଇ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଆକ୍ରମଣକାରୀର ନାମ ସୁରେଶ ଥିବାବେଳେ ସେ ଗୁରୁତର ଅବସ୍ଥାରେ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଆକ୍ରମଣ ପଛର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନଥିବାବେଳେ ବିଜୟା ସେଠାରେ ବିଗତ ୨ ବର୍ଷ ହେବ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ।


Share It

Comments are closed.