ଦୁବାଇରୁ ଅଷ୍ଟ୍ରେଲିଆ ଗସ୍ତରେ ଗଲା ଭାରତୀ ଦଳ


ଅଧିନାୟକ ବିରାଟ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଭାରତୀୟ କ୍ରିକେଟ ଦଳ ବୁଧବାର ସନ୍ଧ୍ୟାରେ ଏଠାରୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ଆଇପିଏଲ୍‌ ସମାପ୍ତ ପରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ମନୋନୀତ ଭାରତୀୟ ଦଳର‌ ଖେଳାଳିମାନେ ଦୁବାଇରେ ଏକାଠି ହୋଇ ଜୈବ ନିରାପତ୍ତା ବଳୟରେ ରହିଥିଲେ। ଦଳରେ ସ୍ଥାନ ପାଇନଥିବା ଚେତେଶ୍ୱର ପୂଜାରା ଓ ହନୁମା ବିହାରୀଙ୍କ ପରି ଖେଳାଳି ଭାରତରୁ ଆସି ଦୁବାଇରେ ଦଳ ସହ ଯୋଗ ଦେଇଥିଲେ। ଦୁବାଇରୁ ଏକ ସ୍ୱତନ୍ତ୍ର ବିମାନରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ସେଠାରେ ଭାରତୀୟ ଦଳ ପୃଥକ୍‌ବାସରେ ରହିବା ପରେ ଅଭ୍ୟାସ ଆରମ୍ଭ କରିବ। କରୋନା ସଂକ୍ରମଣ ପରେ ଏହା ଭାରତୀୟ ଦଳର ପ୍ରଥମ ବିଦେଶ ଗସ୍ତ ହେବ। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ନଭେମ୍ବର ୨୭, ୨୯ ଓ ଡିସେମ୍ବର ୨ରେ ୩ଟି ଦିନିକିଆ ଏବଂ ଡିସେମ୍ବର ୪, ୬ ଓ ୮ରେ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳିବ। ଏହି ୨ଟିଯାକ ସିରିଜ୍ ସିଡ୍‌ନୀ ଓ କ୍ୟାନ୍‌ବେରାରେ ଖେଳାଯିବ। ଏହି ଗସ୍ତରେ ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ ଅନ୍ତର୍ଗତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ ମ୍ୟାଚ୍‌ର ସିରିଜ୍ ଖେଳିବ। ପ୍ରଥମ ଟେଷ୍ଟ ଆଡିଲେଡ୍‌ରେ ଡିସେମ୍ବର ୧୭ରୁ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ଦିବାରାତ୍ର ହେବ ଏବଂ ଗୋଲାପୀ ବଲ୍‌ରେ ଖେଳାଯିବ। ଏହି ଟେଷ୍ଟମ୍ୟାଚ୍ ‌ ପରେ ପିତୃତ୍ୱ ଛୁଟି ନେଇ ଅଧିନାୟକ ବିରାଟ କୋହଲି ଭାରତ ଫେରିଆସିବେ। କୋହଲିଙ୍କ ଅନୁପସ୍ଥିତିରେ ଶେଷ ୩ଟି ଟେଷ୍ଟ ମ୍ୟାଚ୍‌ରେ ଅଜିଙ୍କ୍ୟ ରାହାଣେ ଭାରତର ନେତୃତ୍ୱ ନେଇପାରନ୍ତି। ଏହି ୩ଟି ଟେଷ୍ଟ ମେଲ୍‌ବୋର୍ଣ୍ଣରେ ଡିସେମ୍ବର ୨୬ରୁ, ସିଡ୍‌ନୀରେ ଜାନୁୟାରୀ ୭ରୁ ଓ ବ୍ରିସ୍‌ବେନ୍‌ରେ ଜାନୁୟାରୀ ୧୫ରୁ ଖେଳାଯିବ। ଟେଷ୍ଟ ଦଳରେ ସ୍ଥାନ ପାଇଥିବା ଋଦ୍ଧିମାନ ଶାହା ଦଳ ସହ ଅଷ୍ଟ୍ରେଲିଆ ଯାଇଥିବା ବେଳେ ଆହତ ଈଶାନ୍ତ ଶର୍ମା ଓ ରୋହିତ ଶର୍ମା ସୁସ୍ଥହେବା ପରେ ଯିବେ। ଈଶାନ୍ତ ଓ ରୋହିତ କେବଳ ଟେଷ୍ଟମ୍ୟାଚ୍‌ ଦଳରେ ସ୍ଥାନ ପାଇଛନ୍ତି।


Share It

Comments are closed.