ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ବିଜେତାଙ୍କ ଇସ୍ରୋ ପରିଦର୍ଶନ ଯାତ୍ରାର ଶୁଭାରମ୍ଭ


ଭୁବନେଶ୍ୱର, ଜୁନ ୨୯, ୨୦୨୪ : ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲର ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ୨୦୨୩ର ବିଜେତାମାନେ ଶନିବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଂଟର (ଏସ୍‌ଏସି) ପରିଦର୍ଶନ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି । ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ରୁ ଅଧିକ ସ୍କୁଲରୁ ଚୟନ ହୋଇଥିବା ୨୦ ଜଣ ବିଜେତା ଏସଏସି ଏବଂ ଅହମଦାବାଦ ସାଇନ୍ସ ସିଟି ପରିଦର୍ଶନ କରିବେ ।

ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପଠାଣି ସାମନ୍ତ ପ୍ଲାନେଟୋରିୟମ (ପିଏସପି)ରେ ଏହି ଯୁବ ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟୋରିୟମର ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଆରୁମୁଗମ୍‌, ପଠାଣି ସାମନ୍ତ ପ୍ଲାନେଟୋରିୟମର ନିର୍ଦେଶକ ପ୍ରସନ୍ନ ପାତ୍ର ଓ ଟାଟା ଷ୍ଟିଲ୍ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ (ସିଆରଇ) ଦେବାଶିଷ ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଯୁଗ୍ମ ସଚିବ ଶ୍ରୀମତୀ ପୂଜା ମିଶ୍ର, ଡେପୁଟି ସେକ୍ରେଟାରୀ ଶ୍ରୀମତୀ ଉର୍ମିପ୍ରଭା ମହାରଣା, ବରିଷ୍ଠ ବୈଜ୍ଞାନିକ, ଲକ୍ଷ୍ମୀନାରାୟଣ ପାଢ଼ୀ, ଏବଂ ଅଣ୍ଡର ସେକ୍ରେଟାରୀ ଶ୍ରୀ ପଦ୍ମଲୋଚନ ଦାସ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଓଡ଼ିଶା ସରକାରଙ୍କ ମାନ୍ୟବର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଶ୍ରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଟାଟା ଷ୍ଟିଲ ଏବଂ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ବିଶ୍ୱସ୍ତରରେ ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅବଦାନ ରହିଛି । ଇସ୍ରୋ ଗସ୍ତ ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ଏହା ସେମାନଙ୍କ କ୍ଷେତ୍ରରେ ଏହା ଯଥେଷ୍ଟ ପ୍ରଭାବ ପକାଇବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ

ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗପ୍ରମୁଖ ଶାସନ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟୋରିୟମର ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଆରୁମୁଗମ୍ କହିଛନ୍ତି ଯେ “ ଗୁଜରାଟର ଅହମଦାବାଦସ୍ଥିତ ଇସ୍ରୋ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ପରିଦର୍ଶନ ଓ ଅନୁସନ୍ଧାନ ପାଇଁ ୮୦,୦୦୦ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ମନୋନୀତ ହୋଇଥିବା ୨୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଟାଟା ଷ୍ଟିଲ ଗତ ୧୭ ବର୍ଷ ଧରି ଏହି ମହତ୍ୱ କାର୍ଯ୍ୟ କରିଆସୁଛି ଏବଂ ଏହା ଏକ ଦୃଢ଼ ଶିଳ୍ପ – ଶିକ୍ଷା ସହଯୋଗ ଗଠନ ଦିଗରେ ନିଜର ପ୍ରୟାସ ଜାରି ରଖିବ । ଆଗାମୀ ଦିନରେ ଏହି ଛାତ୍ରଛାତ୍ରୀମାନେ ଆମକୁ ଗର୍ବିତ କରିବେ ବୋଲି ମୋର ଦୃଢ ବିଶ୍ୱାସ ରହିଛି । ।“

ୟାଟ୍‌ସ ଆୟୋଜନର ସମସ୍ତ ସହଯୋଗ ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ଧନ୍ୟବାଦ ଜଣାଇ ଟାଟା ଷ୍ଟିଲ୍ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ (ସିଆରଇ) ଶ୍ରୀ ଦେବାଶିଷ ଜେନା କହିଛନ୍ତି ଯେ, “ୟାଟ୍‌ସ ହେଉଛି ଏକ ଅଗ୍ରଣୀ ପଦକ୍ଷେପ ଯାହା ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ଶୈକ୍ଷିକ ସୀମା ଅତିକ୍ରମ କରି ସେମାନଙ୍କର ବୈଜ୍ଞାନିକ ଉତ୍ସୁକତାକୁ ପୋଷଣ କରିବାକୁ ଉତ୍ସାହିତ କରୁଛି । ବର୍ଷ ବର୍ଷ ଧରି ଏହି ପ୍ଲାଟଫର୍ମକୁ ସଫଳ କରିବାରେ ଓଡ଼ିଶା ସରକାର ଏବଂ ପଠାଣି ସାମନ୍ତ ପ୍ଲାନେଟୋରିୟମର ନିରନ୍ତର ସହଯୋଗ ପାଇଁ ଆମେ କୃତଜ୍ଞ । ଆମେ ପ୍ରକୃତରେ ଏହି ଯୁବ ବିଜେତାମାନଙ୍କୁ ଇସ୍ରୋର ବ୍ୟବସ୍ଥା ଅନୁସନ୍ଧାନ କରିବା ଏବଂ ସେମାନଙ୍କ ଜ୍ୟୋତିର୍ବିଜ୍ଞାନ ସ୍ୱପ୍ନକୁ ଆଗକୁ ବଢ଼ାଇବାର ସୁଯୋଗ ପ୍ରଦାନ କରିବାକୁ ଉତ୍ସାହିତ ।’’

୨୦୨୩ଡିସେମ୍ବର ୧୩ ରେ ପିଏସପିରେ ଅନୁଷ୍ଠିତ ୟାଟ୍‌ସର ଗ୍ରାଣ୍ଡ ଫାଇନାଲରୁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଏସଏସି ଲ୍ୟାବ୍‌ର ଅନୁସନ୍ଧାନ କରିବେ ଏବଂ ଏହାର ନିର୍ଦ୍ଦେଶକ ଏବଂ ଏସଏସିର ଅନ୍ୟ ଅଗ୍ରଣୀ ମହାକାଶ ବୈଜ୍ଞାନିକଙ୍କ ସହ ଆଲୋଚନା କରିବେ । ପଠାଣି ସାମନ୍ତ ପ୍ଲାନେଟୋରିୟମ, ଟାଟା ଷ୍ଟିଲର ଅଧିକାରୀ ଓ ସେମାନଙ୍କ ମାର୍ଗଦର୍ଶକ ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀମାନେ ସାଇନ୍ସ ସିଟି ପରିଦର୍ଶନ କରି ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ବିଷୟରେ ଅନୁସନ୍ଧାନ କରିବେ ।

ପଠାଣି ସାମନ୍ତ ପ୍ଲାନେଟୋରିୟମ ସହଯୋଗରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ଟି ଜିଲ୍ଲାର ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଚଳିତ ବର୍ଷର ବିଷୟବସ୍ତୁ ‘ଦ ମୁନ୍ ବେସ୍ – ଫ୍ୟୁଚର ଲଂଚପ୍ୟାଡ୍ ଫର୍ ସ୍ପେସ୍‌’ ଅଂଶଗ୍ରହଣକାରୀଙ୍କ ଚିନ୍ତନକୁ ଆକର୍ଷିତ କରିଛି ଏବଂ ମହାଜାଗତିକ ସମ୍ଭାବନାର ପାଇଁ ଅନୁସନ୍ଧାନ ପ୍ରତିଶ୍ରୁତି ଦେଇଛି ।

୨୦୦୭ ମସିହାରେ ଆରମ୍ଭ ହେବା ପରଠାରୁ ୟାଟ୍‌ସ ପଠାଣି ସାମନ୍ତଙ୍କ କୃତ୍ୱିତ୍ୱକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ବିଷୟରେ ସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଦୀର୍ଘ ୧୭ ବର୍ଷ ଧରି ୟାଟ୍‌ସ ରାଜ୍ୟର ୩,୫୦,୦୦୦ରୁ ଅଧିକ ଯୁବ ବିଜ୍ଞାନପ୍ରେମୀଙ୍କୁ ଜ୍ଞାନ ଆହରଣ ପାଇଁ ଉତ୍ସାହିତ କରିଛି ଏବଂ ୧୭ତମ ସଂସ୍କରଣ ସମେତ ୨୦୦ ଜଣ ଛାତ୍ରଛାତ୍ରୀ ଇସ୍ରୋର ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି ।


Share It

Comments are closed.