ଟାଟା ଷ୍ଟିଲ୍ ଯୋଡ଼ା ପକ୍ଷରୁ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ


ଯୋଡ଼ା, ଜୁଲାଇ 27, 2024: ଟାଟା ଟ୍ରଷ୍ଟ ସହଯୋଗରେ, ଟାଟା ଷ୍ଟିଲ୍ ଯୋଡ଼ାର ଓଏମକ୍ୟୁ (ଖଣିଜ, ଖଣି ଓ ଖନନ) ଡିଭିଜନ ପକ୍ଷରୁ ଶୁକ୍ରବାର ଦିନ ଆଖପାଖ ଲୋକ ଓ ମହିଳା କର୍ମଚାରୀମାନଙ୍କ ମଧ୍ୟରେ ସ୍ତନ କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ (ଉଭୟ ଅଧିକାରୀ ଏବଂ ଅଣ-ଅଧିକାରୀ) ଅଂଶଗ୍ରହଣ କରିଥିଲେ ଯେଉଁଥିରେ ଠିକା କର୍ମଚାରୀ ଏବଂ ଏହାର ଆଖପାଖ ଅଞ୍ଚଳର ମହିଳାମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାମସେଦପୁରସ୍ଥିତ ଟାଟା ଷ୍ଟିଲର ମେଡିକାଲ ସର୍ଭିସେସ ର ମହାପ୍ରବନ୍ଧକ ( ପଦବୀ ଗ୍ରହଣ କରିବାକୁ ଯାଉଥିବା) ଡାକ୍ତର ବିନିତା ସିଂହ, ଜାମସେଦପୁରସ୍ଥିତ ଟାଟା ମେନ୍ ହସ୍ପିଟାଲର ମେଡିକାଲ ଅଙ୍କୋଲୋଜି କନସଲଟାଣ୍ଟ ତଥା ଭାରପ୍ରାପ୍ତ ଡାକ୍ତର ଅମିତାଭ କୁମାର ଉପାଧ୍ୟାୟ ଯୋଗ ଦେଇଥିଲେ ।

କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଉପାଧ୍ୟାୟ ସ୍ତନ କର୍କଟ ମୁକାବିଲାରେ ସଚେତନତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭିକ ଚିହ୍ନଟ ଚିକିତ୍ସା ଫଳାଫଳରେ ଯଥେଷ୍ଟ ଉନ୍ନତି ଆଣିଥାଏ ବୋଲି ସେ କହିଥିଲେ ଏବଂ ମହିଳାମାନଙ୍କୁ ନିୟମିତ ସ୍କ୍ରିନିଂ ଏବଂ ସ୍ୱାସ୍ଥ୍ୟ ପରୀକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ ।

ନୂଆମୁଣ୍ଡିଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଏମକ୍ୟୁର ମହାପ୍ରବନ୍ଧକ ଅତୁଲ କୁମାର ଭଟ୍ଟନାଗର, ଓଏମକ୍ୟୁର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଧୀରେନ୍ଦ୍ର କୁମାରଙ୍କ ସମେତ ସ୍ଥାନୀୟ ବ୍ଲକ ସଦସ୍ୟ ଓ ଆଖପାଖ ଲୋକମାନେ ଉପସ୍ଥିତ ଥିଲେ।

ଏହି ଅଧିବେଶନର ଉଦ୍ଦେଶ୍ୟ ଅଂଶଗ୍ରହଣକାରୀମାନଙ୍କୁ ସ୍ତନ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ, ଲକ୍ଷଣ ଏବଂ ଉପଲବ୍ଧ ଚିକିତ୍ସା ବିଷୟରେ ସଚେତନତା କରିବା ।

ଏହି ପଦକ୍ଷେପ ଟାଟା ଷ୍ଟିଲର କର୍ମଚାରୀ ଏବଂ ଆଖପାଖ ଲୋକଙ୍କ ମଧ୍ୟରେ ଉତ୍ତମ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତାକୁ ଦର୍ଶାଉଛି ।


Share It

Comments are closed.