ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ‘ସାଥିଆ ସମାରୋହ’ ଅନୁଷ୍ଠିତ


-ଦାନଗଦୀ ଓ ସୁକିନ୍ଦା ବ୍ଲକର ୬୫ ଜଣ କିଶୋର ଓ କିଶୋରୀଙ୍କ ଅଂଶଗ୍ରହଣ

ଦାନଗଦୀ: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ଏକ ଦିନିକିଆ ‘ସାଥିଆ ସମାରୋହ’ ଶୁକ୍ରବାର ଦିନ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ମିଲିଟାରୀ ଛକ ନିକଟସ୍ଥ ଏମଆଇପିଏଲ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ।

ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ରେକ୍ସୋନା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର, ଦାନଗଦୀର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) କାନ୍ତ ଦେହୁରୀ ଓ କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ୍ ମୁଖ୍ୟ ଆଲେନ୍ କିମ୍ ଜୋସେଫ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଦିନିକିଆ କାର୍ଯ୍ୟକ୍ରମରେ ଦାନଗଦୀ ଓ ସୁକିନ୍ଦା ବ୍ଲକର ୧୫ଟି ଗ୍ରାମ ପଂଚାୟତର ୬୫ ଜଣ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଆୟୋଜିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିବା ୬୫ ଜଣ ସାଥିଆ/ ପିୟର ଏଜୁକେଟର୍ସଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଉଭୟ ବ୍ଲକର ୨୦୯ଟି ଗାଁରେ କାର୍ଯ୍ୟରତ ମୋଟ ୨୩୦ ଜଣ ସାଥିଆ/ପିୟର ଏଜୁକେଟର୍ସ ମଧ୍ୟରୁ ଏହି ୬୫ ଜଣ ସାଥିଆ/ ପିୟର ଏଜୁକେଟର୍ସ ଚୟନ କରାଯାଇଥିଲା । ଉନ୍ନତ ପ୍ରଶିକ୍ଷଣ ଗ୍ରହଣ କରିବା ପରେ, ଏହି ସାଥିଆମାନେ ଅନ୍ୟ ସାଥିଆମାନଙ୍କୁ ଜ୍ଞାନ ହସ୍ତାନ୍ତର କରୁଛନ୍ତି ।

ଏହି ଅବସରରେ ପ୍ରତିଯୋଗୀମାନଙ୍କୁ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସାମଗ୍ରୀ ସମ୍ବଳିତ ‘ସାଥିଆ କିଟ୍‌’ ବଂଟନ କରାଯାଇଥିଲା ।

ଦିନବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରଜନନ ସ୍ୱାସ୍ଥ୍ୟ ଓ ବାଲ୍ୟ ବିବାହ ଉପରେ ଗୁରୁତ୍ୱପୂର୍ଣ୍ଣ ବାର୍ତା ପ୍ରଦାନ କରୁଥିବା ‘ନୁକ୍କଡ ନାଟକ’ ସମେତ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଏବଂ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଶୋର ଓ କିଶୋରୀ ସରକାରୀ ଅଧିକାରୀଙ୍କ ସହ ବାର୍ତାଳାପ କରିବା ଏବଂ ସେମାନଙ୍କର ଅନୁଭୂତି ବାଂଟିବା ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରାଯାଇଥିଲା ।

ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ ଏବଂ ସମ୍ବଳ ସହିତ କିଶୋର ଓ କିଶୋରୀମାନଙ୍କୁ ସଶକ୍ତ କରିବା ଦିଗରେ ‘ସାଥିଆ ସମାରୋହ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ପ୍ରୋଜେକ୍ଟ ରିସ୍ତା ହେଉଛି ଏକ ଗୋଷ୍ଠୀ ଭିତିକ ଏବଂ ଯୁବ ନେତୃତ୍ୱାଧୀନ କାର୍ଯ୍ୟକ୍ରମ ଯାହା ଗ୍ରାମୀଣ ଅଂଚଳରେ କମ୍ ବୟସର ବିବାହକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି । ବାଲ୍ୟ ବିବାହ ନିବାରଣ, କିଶୋର ପ୍ରଜନନ ଯୌନ ସ୍ୱାସ୍ଥ୍ୟ (ଏଆର୍‌ଏସ୍‌ଏଚ୍‌) ଶିକ୍ଷା ଏବଂ ଯୁବ ବିକାଶ ସୁଯୋଗ ଉପରେ ଯୁବବର୍ଗମାନଙ୍କୁ ପରାମର୍ଶ ଦେବା ପାଇଁ ଏହି କାର୍ଯ୍ୟକ୍ରମରେ ସାଥିଆମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଯାଜପୁର ଜିଲ୍ଲାରେ ୨୦୧୩ମସିହାରେ କାର୍ଯ୍ୟକାରୀ ହୋଇଥିବା ରିସ୍ତା ପ୍ରକଳ୍ପ ଏବେ ଯାଜପୁରର ସୁକିନ୍ଦା ଓ ଦାନଗଦୀ ବ୍ଲକର ୪୮ଟି ଗ୍ରାମ ପଂଚାୟତର ୨୦୯ଟି ଗାଁରେ ପହଂଚିଛି । ଗତ କିଛି ବର୍ଷ ମଧ୍ୟରେ ବାଲ୍ୟ ବିବାହ ସଂଖ୍ୟା ହ୍ରାସ କରିବା ଦିଗରେ ଅନେକ ଅଗ୍ରଗତି ହୋଇଛି । ଏହା ସମୁଦାୟମାନଙ୍କରେ କିଶୋର ପ୍ରଜନନ ଯୌନ ସ୍ୱାସ୍ଥ୍ୟ (ଏଆର୍‌ଏସ୍‌ଏଚ୍‌) ଶିକ୍ଷା ବିଷୟରେ ସଚେତନତା ବୃଦ୍ଧି କରିଛି ଏବଂ କିଶୋର ଓ କିଶୋରୀମାନଙ୍କ ମଧ୍ୟରେ ସାଥିଆମାନଙ୍କୁ ଚିହ୍ନଟ ଏବଂ ପ୍ରଶିକ୍ଷଣ ଦେଇ ସେମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଛି ।


Share It

Comments are closed.