କଳିଙ୍ଗନଗରରେ ଆଦିବାସୀ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

Tata Steel Foundation Preserving Tribal Heritage Through Language and Literature in Kalinganagar

Share It

– ୧୮ଟି ଗ୍ରାମ ପଞ୍ଚାୟତ ଓ ବ୍ୟାସନଗର ପୌରାଞ୍ଚଳର, ୭୫ ଟି କେନ୍ଦ୍ରରେ ୪,୫୦୦ରୁ ଅଧିକ ଛାତ୍ରଛାତ୍ରୀ ନେଉଛନ୍ତି ଆଦିବାସୀ ଭାଷା ତାଲିମ

କଳିଙ୍ଗନଗର : କଳିଙ୍ଗନଗର ଅଞ୍ଚଳରେ ଅନୁସୂଚିତ ଜନଜାତିର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ଅଞ୍ଚଳର ଜନଜାତି ଯୁବପିଢ଼ିଙ୍କ ମଧ୍ୟରେ ନିଜସ୍ୱ ଭାଷା ଓ ଲିପିର ପ୍ରସାର ପାଇଁ ସଂଗଠିତ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ‘ୱାରାଙ୍ଗ ଚିଟି’ ଏବଂ ‘ଓଲ୍ ଚିକି’ ଭାଷା ଶିକ୍ଷା ଦିଆଯାଉଛି।

୨୦୧୪ ମସିହାରେ ସୁକିନ୍ଦା ଓ ଦାନଗଦି ବ୍ଲକର ମାତ୍ର ୧୦ଟି ଗ୍ରାମ ପଞ୍ଚାୟତରେ ୩୫ଟି କେନ୍ଦ୍ରରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ବ୍ୟାପକ ହୋଇଛି। ବର୍ତ୍ତମାନ ୧୮ଟି ଗ୍ରାମ ପଞ୍ଚାୟତ ଓ ବ୍ୟାସନଗର ପୌରାଞ୍ଚଳର ୫୫ଟି କେନ୍ଦ୍ରରେ ୱାରାଙ୍ଗ ଚିଟି ଏବଂ ୨୦ଟି କେନ୍ଦ୍ରରେ ଓଲ୍ ଚିକି ଭାଷା ଶିକ୍ଷା ଦିଆଯାଉଛି। ଗୋବରଘାଟି, ନଡ଼ିଆଭଙ୍ଗା, ରଣାଗୁଣ୍ଡି ଓ ଶାଳିଜଙ୍ଗା ଭଳି ଅଞ୍ଚଳର ପ୍ରାୟ ୪,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଶିକ୍ଷା କେନ୍ଦ୍ରଗୁଡ଼ିକରେ ନିଜ ମାତୃଭାଷାରେ ପଢ଼ିବା ଓ ଲେଖିବା ଶିଖୁଛନ୍ତି।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ‘ହୋ ଆନସିଏଣ୍ଟ କଲଚର ଆଣ୍ଡ ସାଇନ୍ସ ୱେଲଫେୟାର ଫାଉଣ୍ଡେସନ’ ଏବଂ ‘ଆଦିବାସୀ ସୋସିଓ ଏଜୁକେସନାଲ ଆଣ୍ଡ କଲଚରାଲ ଆସୋସିଏସନ’ ସହିତ ହାତ ମିଳାଇଛି। ଜୁଲାଇ ୨୦୨୫ରୁ ଆରମ୍ଭ ହୋଇଥିବା ଚଳିତ ଶିକ୍ଷାବର୍ଷ ଆସନ୍ତା ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ। ତାଲିମପ୍ରାପ୍ତ ଶିକ୍ଷକମାନେ ପ୍ରତି ସପ୍ତାହରେ ତିନି ଦିନ କ୍ଲାସ କରୁଛନ୍ତି।

ନିକଟରେ ଅଲ୍ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଆସୋସିଏସନ୍ ଦ୍ୱାରା ଆୟୋଜିତ ୨୨ତମ ସାନ୍ତାଳୀ ପାର୍ସି ମହୋଉତ୍ସବରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଅଲ ଚିକି ଲିପିର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନକୁ ‘ଅଲ ଚିକି ଶତବାର୍ଷିକୀ ପୁରସ୍କାର’ ପ୍ରଦାନ କରିଛନ୍ତି । ଏହି ସମ୍ମାନ ଓଡ଼ିଶାର ଆଦିବାସୀ ଅଞ୍ଚଳ ପାଇଁ ବିଶେଷ ଗୁରୁତ୍ୱ ବହନ କରେ । ଆଦିବାସୀ ଭାଷା ଏବଂ ଏହାର ଲିପିର ସୁରକ୍ଷା ତଥା ପ୍ରସାର ପାଇଁ ଫାଉଣ୍ଡେସନର ପ୍ରତିବଦ୍ଧତା କୁ ପ୍ରଦର୍ଶିତ କରୁଛି ।

କେବଳ ଭାଷା ନୁହେଁ, ବରଂ ଜନଜାତି ଖାଦ୍ୟ, ପାରମ୍ପରିକ ନୃତ୍ୟ-ଗୀତ ଏବଂ ପାରମ୍ପରିକ ଖେଳକୁ ବଞ୍ଚାଇ ରଖିବା ପାଇଁ ମଧ୍ୟ ଏହି କେନ୍ଦ୍ରଗୁଡ଼ିକରେ ପ୍ରୟାସ କରାଯାଉଛି । ଛାତ୍ରଛାତ୍ରୀଙ୍କ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ନିୟମିତ ପତ୍ରିକା ପ୍ରକାଶ କରାଯାଉଛି। ଏହା ସହ ଗୁରୁ କୋଲ୍ ଲାକୋ ବୋଦ୍ରା ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ସ୍ମୃତିରେ ବିଭିନ୍ନ ପ୍ରତିଯୋଗିତାମାନ ମଧ୍ୟ ଆୟୋଜନ କରାଯାଉଛି।

ଟାଟା ଷ୍ଟିଲ୍ ଫାଉଣ୍ଡେସନର ଜନଜାତି ସଂସ୍କୃତି ବିଭାଗ ମୁଖ୍ୟ ଜିରେନ ଜାଭିୟର ଟପନୋ କହିଛନ୍ତି, “ନିଜ ପୂର୍ବପୁରୁଷଙ୍କ ଭାଷା ଶିଖିବା ଅର୍ଥ ହେଉଛି ନିଜର ଜ୍ଞାନ ଓ ପରିଚୟକୁ ସୁରକ୍ଷିତ ରଖିବା। ଆମେ ଚାହୁଁ ଯେ ଆଜିର ଯୁବପିଢ଼ି ପାରମ୍ପରିକ ଜ୍ଞାନ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ସାଥୀରେ ନେଇ ଆଗକୁ ବଢ଼ନ୍ତୁ।”


ୱାରାଙ୍ଗ ଚିଟି ଶିକ୍ଷୟିତ୍ରୀ ପ୍ରିୟା ହାଇବ୍ରୁଙ୍କ କହିବା ଅନୁଯାୟୀ, “ମୁଁ ବିଗତ ୫ ବର୍ଷ ଧରି ୱାରାଙ୍ଗ ଚିଟି ଭାଷା ଶିକ୍ଷା ଦେଇ ଆସୁଛି । ଏହି ଶିକ୍ଷା କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମର ଆଦିବାସୀ ଲୋକମାନେ ନିଜର ଭାଷା ଓ ଲିପି ବିଷୟରେ ଜାଣିବା ସହ ବହୁତ ଉପକୃତ ହେଉଛନ୍ତି । ମୁଁ ଛାତ୍ରଛାତ୍ରୀମାନଙ୍କୁ କେବଳ ପାଠ ପଢ଼ାଉନାହିଁ, ବରଂ ସେମାନଙ୍କୁ ଆଦିବାସୀ ନାଚ, ଗୀତ, ବାଦ୍ୟଯନ୍ତ୍ର ଏବଂ ସମାଜର ବୁଦ୍ଧିଜୀବୀମାନଙ୍କ କାହାଣୀ ମଧ୍ୟ ଶିକ୍ଷା ଦେଉଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏହି ପ୍ରୟାସ ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ବର୍ତ୍ତମାନ ଆମ କ୍ଲାସରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ନିୟମିତ ଭାବେ ଏହି ଭାଷା ଶିଖୁଛନ୍ତି ।”

ଡୁବୁରୀ ସ୍ଥିତ ଟାଟା କୋଲୋନିର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ଝିଲି ତିରିଆ କହିଛନ୍ତି, “ବିଗତ ପାଞ୍ଚ ବର୍ଷ ହେଲା ମୁଁ ୱାରାଙ୍ଗ ଚିଟି ଲିପି ଶିକ୍ଷା ଗ୍ରହଣ କରି ଆସୁଛି । ଏହି ଶିକ୍ଷା କେନ୍ଦ୍ରକୁ ଆସିବା ପରେ ଆମେ ନିଜସ୍ୱ ସଂସ୍କୃତି ବିଷୟରେ ଅନେକ ନୂତନ କଥା ଜାଣିବାକୁ ପାଉଛୁ । ଆମ ଗ୍ରାମର ଯୁବକ ଯୁବତୀମାନେ ବର୍ତ୍ତମାନ ଆଦିବାସୀ ଭାଷା ଓ ଲିପିର ପ୍ରଚାର ପ୍ରସାର କରୁଛନ୍ତି, ଯାହା ଆଦିବାସୀ କଳା ଓ ସଂସ୍କୃତିକୁ ସୁରକ୍ଷିତ ରଖିବାରେ ସହଯୋଗ କରୁଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନର ସହାୟତାରେ କଳିଙ୍ଗନଗରର ପ୍ରତ୍ୟେକ ଆଦିବାସୀ ଗ୍ରାମରେ ଆଜି ୱାରାଙ୍ଗ ଚିଟି କ୍ଲାସ ଚାଲିବା ଏକ ଗର୍ବର ବିଷୟ ।”


Share It

Comments are closed.