ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗନଗରରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ

ଅଭିଯାନରେ ମାତୃତ୍ୱ ସୁରକ୍ଷାକୁ ଗୁରୁତ୍ୱ : ୭୦୦ରୁ ଅଧିକ ମହିଳା ଓ କିଶୋରୀ ସାମିଲ


ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୨୪ ସେପ୍ଟେମ୍ବର ମାସରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରୁଛି। ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) କଳିଙ୍ଗନଗରର ଦାନଗଦୀ ଓ ସୁକିନ୍ଦା ବ୍ଲକରେ କୁପୋଷଣ ଆହ୍ୱାନର ମୁକାବିଲା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ସେପ୍େଟମ୍ବର ୧୦, ୨୦୨୪ରୁ ଆରମ୍ଭ ଥିବା ଏହି ଅଭିଯାନରେ ମାସେ ବ୍ୟାପୀ ଚାଲିଥିଲା । ଏଥିରେ ୭୪୦ ଜଣ ଗ୍ରାମୀଣ ମହିଳା ଓ କିଶୋରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

କଳିଙ୍ଗନଗରର, ଦାନଗଦୀ ଓ ସୁକିନ୍ଦା ବ୍ଲକର ୧୭ଟି ଗ୍ରାମ ପଞ୍ଚାୟତରେ ସନ୍ତୁଳିତ ଓ ପରିପୂରକ ଖାଦ୍ୟର ମହତ୍ତ୍ୱ ଏବଂ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ଏହାର ପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଏହି ଅଭିଯାନର ଲକ୍ଷ । ଏହି କର୍ମଶାଳାରେ ସାମିଲ ହୋଇଥିବା ଅଂଶଗ୍ରହଣକାରୀମାନଙ୍କୁ ସ୍ଥାୟୀ ପୁଷ୍ଟିକର ଅଭ୍ୟାସ ଗ୍ରହଣ, ସ୍ୱାସ୍ଥ୍ୟ ବିଷୟରେ ଗଭୀର ବୁଝାମଣା ସହ ଦୁର୍ଗମ ଗ୍ରାମୀଣ ଅଞ୍ଚଳରେ ରହୁଥିବା ଆଦିବାସୀ ସମ୍ପ୍ରଦାୟରେ ଶିଶୁ, ସ୍ତନ୍ୟପାନ କରାଉଥିବା ମା’ ଏବଂ କିଶୋରୀମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନ କରାଯାଇଥିଲା।

ସମଗ୍ର ପୋଷଣ ମାସରେ ଟିଏସଏଫ ରାଜ୍ୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ), ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ)ର ଡାକ୍ତର, ଅଙ୍ଗନବାଡି ସୁପରଭାଇଜର, ପୋଷଣ ଥଇଥାନ କେନ୍ଦ୍ର (ଏନଆରସି) ସୁପରଭାଇଜର, ଆଶାକର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚ୍‌ଓ), ଏଏନଏମ ଏବଂ ଅଙ୍ଗନୱାଡି କର୍ମୀଙ୍କ ସହ ମିଶି ପରିପୂରକ ଖାଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ନପ୍ରସନ୍ ସମାରୋହ ଠାରୁ ଆରମ୍ଭ କରି ସନ୍ତୁଳିତ ଖାଦ୍ୟ, ସ୍ତନ୍ୟପାନର ଗୁରୁତ୍ୱ ଏବଂ ପୋଷକ ଖାଦ୍ୟ ବିଷୟରେ ସଚେତନ କରିଥିଲେ।

୨୦୨୦ ମସିହାରେ ମହିଳା ଓ ଶିଶୁମାନଙ୍କୁ କେନ୍ଦ୍ରବିନ୍ଦୁରେ କରି ଆରମ୍ଭ ହୋଇଥିବା ଫାଉଣ୍ଡେସନର ଏହି ପୋଷଣ କାର୍ଯ୍ୟକ୍ରମ ପୋଷଣର ଅଭାବ, ପରିପୂରକ ଖାଦ୍ୟ ଆବଶ୍ୟକତା ଉପଲବ୍ଧ କରାଇବା, ଗ୍ରାମୀଣ ଶିଶୁମାନଙ୍କୁ ପୁଷ୍ଟିହୀନତା ଠାରୁ ଦୂରେଇ ରଖିବା ପାଇଁ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଦିଗ ହେଉଛି ନ୍ୟୁଟ୍ରି-ବଗିଚାର ବିକାଶ କରିବା । ଚଳିତ ବର୍ଷ ଦାନଗଦୀ ଓ ସୁକିନ୍ଦା ବ୍ଲକର ୪୭ଟି ଗ୍ରାମ ପଞ୍ଚାୟତର ୧୦ ହଜାରରୁ ଊର୍ଦ୍ଧ୍ୱ କମ୍ୟୁନିଟି ସଦସ୍ୟ ପୋଷଣ ଅଭିଯାନ ଅଧୀନରେ ନିୟୋଜିତ ହୋଇ ବିଭିନ୍ନ ଗ୍ରାମାଞ୍ଚଳରେ ୩୮୦୦ରୁ ଅଧିକ ନ୍ୟୁଟ୍ରି ବଗିଚା ପ୍ରସ୍ତୁତ କରିଛନ୍ତି । ଏହାବ୍ୟତୀତ ଏଭଳି ମିଳିତ ପ୍ରୟାସ ଗୁରୁତର ଓ ତୀବ୍ର କୁପୋଷଣର ଶିକାର ହୋଇଥିବା ୭୯୦ରୁ ଅଧିକ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହୋଇପାରିଛି। ଏହି ପଦକ୍ଷେପ ମହିଳାମାନଙ୍କୁ ନିଜ ପାଇଁ ଏବଂ ସେମାନଙ୍କ ପରିବାର ପାଇଁ ଏକ ସୁସ୍ଥ ଭବିଷ୍ୟତ ନିର୍ମାଣ କରିବା ଦିଗରେ ଜ୍ଞାନ ପ୍ରଦାନ କରି ଶକ୍ତିଶାଳୀ ସମାଜ ଗଠନର ମାର୍ଗ ପ୍ରଶସ୍ତ କରୁଛି ।

 


Share It

Comments are closed.