
ସୁକିନ୍ଦା, ଜାନୁଆରୀ ୨୮ , ୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ର ଏକ ପ୍ରମୁଖ କାର୍ଯ୍ୟକ୍ରମ ‘ଅରୁଣିମା’ର ୯ମ ସଂସ୍କରଣ ସୁକିନ୍ଦା କଲେଜ ପରିସରରେ ଶୁଭାରମ୍ଭ ହୋଇଯାଇଛି। ଜାନୁଆରୀ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ର୍କାଯ୍ୟକ୍ରମରେ ଯୁବପିଢି, ମହିଳା ଏବଂ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ମନ୍ତ୍ରୀ ଡଃ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଦାନଗଦି ବ୍ଲକ୍ ଶିକ୍ଷା ଅଧିକାରୀ ଶୁଭ୍ରାଂଶୁ ପୁହାଣ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ ।
ଏହି ଅବସରରେ ୩୦୦ରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ଜ୍ୟୋତି ଫେଲୋସିପ୍’ ପ୍ରଦାନ କରାଯାଇଛି। ଆର୍ଥିକ ଅନଗ୍ରସର ପରିବାରର ପିଲାମାନଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସହାୟତା କରିବା ଏହି ଫେଲୋସିପର ମୂଳ ଲକ୍ଷ୍ୟ।
ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ଅବସରରେ ମାନ୍ୟବର ମନ୍ତ୍ରୀ ଡଃ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ, ଯାଜପୁର ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ଶିକ୍ଷା କ୍ଷେତ୍ରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ନିରନ୍ତର ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ସମୟକ୍ରମେ ଏହି ପଦକ୍ଷେପଗୁଡ଼ିକ ସମାଜର ବହୁ ପଛରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚି ପାରିଛି। ଆଗାମୀ ଦିନରେ ‘ଅରୁଣିମା’ କାର୍ଯ୍ୟକ୍ରମର ସଫଳତା ଏବଂ ଜନସାଧାରଣଙ୍କ ଉନ୍ନତି ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ଜନହିତକର କାର୍ଯ୍ୟ ଜାରି ରହିବ ବୋଲି ମୁଁ ଆଶାକରୁଛି।”
ଟାଟା ଷ୍ଟିଲ୍ କଳିଙ୍ଗନଗର କ୍ଲଷ୍ଟର ହେଡ୍ ଦେବାଞ୍ଜନ ମୁଖାର୍ଜୀ କହିଛନ୍ତି, ଗତ ନଅ ବର୍ଷ ମଧ୍ୟରେ ‘ଅରୁଣିମା’ ଏପରି ଅନେକ ଯୁବକ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇଛି, ଯେଉଁମାନେ ଜ୍ୟୋତି ଫେଲୋସିପ୍ର ସଦୁପଯୋଗ କରି ନିଜର ଉଚ୍ଚ ଆକାଂକ୍ଷା ପୂରଣ କରିବା ସହ ଶୈକ୍ଷିକସ୍ତରରେ ସଚେତନ ଓ ସାମାଜିକ ଭାବେ ଦାୟିତ୍ୱବାନ ହୋଇପାରିଛନ୍ତି । ଆମେ ଆଶା କରୁଛୁ ଯେ, ବର୍ଷକୁ ବର୍ଷ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି ଫେଲୋସିପ୍ର ଲାଭ ଉଠାଇବେ । ବର୍ତ୍ତମାନ ଏହି ଅଞ୍ଚଳରେ ୩,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଜ୍ୟୋତି ଫେଲୋସିପ୍ ପାଇଁ ନାମ ପଞ୍ଜିକୃତ କରାଇଥିବା ବେଳେ ଆଜି ‘ଅରୁଣିମା’ କାର୍ଯ୍ୟକ୍ରମରେ ୩୦୦ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଆମର ଆଶା, ଏହା ଆଗାମୀ ଯୁବପିଢି ଓ ଶିକ୍ଷାର୍ଥୀଙ୍କ ପାଇଁ ଏକ ପ୍ରେରଣା ସାଜିବ ।”
୨୦୨୧ ରୁ ୨୦୨୬ ମଧ୍ୟରେ ବ୍ରାହ୍ମଣୀପାଳ, ସୁକିନ୍ଦା ଓ କଳିଙ୍ଗନଗର ଅଞ୍ଚଳର ୧୦,୪୭୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯାଇଛି। ଏଥିରେ ୬,୪୫୬ ଜଣ ଛାତ୍ରୀ ଅଛନ୍ତି ।
‘ଅରୁଣିମା’ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଜାନୁଆରୀ ୨୯ ତାରିଖରେ ଏକ ‘ମହିଳା ସମ୍ମିଳନୀ’ ଆୟୋଜିତ ହେବ । ଏହି ଅବସରରେ କେନ୍ଦୁଝର-ସୁକିନ୍ଦା ଅଞ୍ଚଳର ‘ଦିଶା’ ଅଭିଯାନ ସହ ଜଡ଼ିତ ମହିଳାମାନେ ଏକତ୍ରିତ ହୋଇ ମହିଳା ନେତୃତ୍ୱ, ସଶକ୍ତିକରଣ ଏବଂ ଜଳ ପରିଚାଳନା କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରିବେ।
ତିନି ଦିନିଆ କାର୍ଯ୍ୟକ୍ରମର ଶେଷ ଦିବସରେ ଅର୍ଥାତ୍ ଜାନୁଆରୀ ୩୦ରେ ଏକ ‘କୃଷି ସମ୍ମିଳନୀ’ ଅନୁଷ୍ଠିତ ହେବ, ଯେଉଁଠାରେ ସ୍ଥାନୀୟ ଚାଷୀମାନେ ବିଶେଷଜ୍ଞମାନଙ୍କ ସହ ସମନ୍ୱିତ କୃଷି ପ୍ରଣାଳୀ ଏବଂ ଜଳବାୟୁ ସହନଶୀଳ କୃଷି କୌଶଳ ଉପରେ ଆଲୋଚନା କରିବେ।
ଏଥିରେ ଟାଟା ଷ୍ଟିଲ୍ ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନର ଏକଜିକ୍ୟୁଟିଭ୍-ଇନ୍ଚାର୍ଜ ସୁଶାନ୍ତ ମିଶ୍ର, ଟାଟା ଷ୍ଟିଲ୍ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ ମୁଖ୍ୟ ଦେବଦୂତ ମହାନ୍ତି, ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ପ୍ରଶାନ୍ତ ନନ୍ଦ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ମୁଖ୍ୟ ଏଥିକ୍ସ କାଉନସେଲର ଭି. ଶ୍ରୀଦେବୀ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ଟ୍ରାଇବାଲ ଆଇଡେଣ୍ଟିଟି ଆଣ୍ଡ ଅର୍ବାନ ସର୍ଭିସେସ ମୁଖ୍ୟ ଜିରେନ ଟପନୋ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ କଳିଙ୍ଗନଗରର କ୍ଲଷ୍ଟର ହେଡ୍ ଦେବାଞ୍ଜନ ମୁଖାର୍ଜୀ ପ୍ରମୁଖ ସାମିଲ ଥିଲେ।

Comments are closed.