
ଜଳ ଆମର ଏକ ମୌଳିକ ଉତ୍ସ । ଅନେକ କାର୍ଯ୍ୟ ଏହା ଦ୍ୱାରା ପରିଚାଳିତ ହୁଏ ଓ ଏହାର ଅଭାବରେ ଅନେକ କାର୍ଯ୍ୟକଳାପ ବନ୍ଦ ହୋଇଯାଏ । ଲୋକମାନେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାରେ ଯେପରି ଜଳ ପାଇଁ କିଛି ସମସ୍ୟା ର ସମ୍ମୁଖିନ ନହେବେ ସେଥିପାଇଁ କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ନିରନ୍ତର ପ୍ରୟାସ ଜାରି ରଖିଛି । ସ୍ଥାୟୀ ଜଳ ସମ୍ପଦ ସୃଷ୍ଟିକୁ ଗୁରୁତ୍ୱ ଦେଇ ଟିଏସ୍ଏଫ୍ ଗତ ୫ ବର୍ଷରେ ୨୮ ଟି ଗ୍ରାମପଞ୍ଚାୟତ (ଦଗଗଦି-୧୦ ଏବଂ ସୁକିନ୍ଦା-୧୮)ରେ ୨୪୩ଟି ନୂଆ ପୋଖରୀ ସୃଷ୍ଟି କରିଛି । ଟିଏସ୍ଏଫ୍ ଏକ ବ୍ୟାପକ ଏବଂ ନିରନ୍ତର ପ୍ରୟାସ ମାଧ୍ୟମରେ ଦୀର୍ଘସ୍ଥାୟୀ ଜଳ ସମ୍ପଦ ସୃଷ୍ଟି ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହା ହଜାର ହଜାର ପରିବାର ପାଇଁ ଦୀର୍ଘମିଆଦି ଜଳ ସୁରକ୍ଷା ସୁନିଶ୍ଚିତ କରିବା ସହ କୃଷି କ୍ଷେତ୍ରରେ ଜଳସେଚନ ପାଇଁ ସହାୟକ, ଭୂତଳ ଜଳ ସ୍ତର ବୃଦ୍ଧି, ଏବଂ ବର୍ଷା ଜଳ ଅମଳରେ ସହାୟକ ହେଉଛି ।
ଟିଏସ୍ଏଫ୍ ସଫଳତାର ସହ ଦାନଗଦି ବ୍ଲକ୍ରେ ୧୩୯ଟି ଏବଂ ସୁକିନ୍ଦା ବ୍ଲକ୍ରେ ୧୦୪ଟି ପୋଖରୀ ନିର୍ମାଣ କରିଛି । ବର୍ଷାଜଳକୁ ଅଧିକରୁ ଅଧିକ ସଂଗ୍ରହ ଓ ସଂରକ୍ଷଣ କରିବା ପାଇଁ ଏହି ନୂତନ ପୋଖରୀଗୁଡ଼ିକୁ ଡିଜାଇନ୍ କରାଯାଇଛି । ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଜଳାଶୟ ଭାବେ କାର୍ଯ୍ୟ କରୁଛି, ଯାହା ସିଧାସଳଖ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସହାୟକ ହେଉଛି ଏବଂ ବିଶେଷକରି ବର୍ଷା ଦିନ ପରେ ମଧ୍ୟ ଫସଲ ବଞ୍ଚାଇବା ପାଇଁ ନିର୍ଭରଯୋଗ୍ୟ ଜଳସେଚନ ସୁବିଧା ଯୋଗାଇ ଦେଉଛି । କେବଳ ଚଳିତ ଆର୍ଥିକ ବର୍ଷରେ, ଟିଏସ୍ଏଫ୍ ୫୯ଟି ନୂତନ ପୋଖରୀର ନିର୍ମାଣ କାର୍ଯ୍ୟ ଶେଷ କରିସାରିଛି, ସେଥି ମଧ୍ୟରୁ ଦାନଗଦିରେ ୨୭ଟି ଏବଂ ସୁକିନ୍ଦାରେ ୩୨ଟି ପୋଖରୀ ରହିଛି । ଏହା ଦ୍ବାରା ଭୂପୃଷ୍ଠ ଜଳ ସ୍ତର ବୃଦ୍ଧି ପାଇବା ସହିତ ସ୍ଥାନୀୟ ଅଞ୍ଚଳର ଏକର ଏକର ଜମି କୁ ଜଳ ସେଚନ ସୁବିଧା ମଧ୍ୟ ହୋଇ ପାରୁଛି ।
ପାଟପୁର ଗ୍ରାମର ଜଣେ କୃଷକ ସିଦ୍ଧେଶ୍ଵର ଜାମୁଡା ଙ୍କ କହିବ ମୁତାବକ ସେ ବର୍ଷକୁ ଥରେ ମାତ୍ର ଏବଂ କେବଳ ଧାନ ଚାଷ ହିଁ କରୁଥିଲେ । ଟିଏସ୍ଏଫ୍ ଦ୍ଵାରା ବିଭିନ୍ନ ପୋଖରୀ ନିର୍ମାଣ ହେବା ପରେ ଧାନ ଚାଷ ସମେତ ବିଭିନ୍ନ ଋତୁ ଅନୁଯାୟୀ ପନିପରିବା ଆଦି ଚାଷ କରି ଅଧିକ ଲାଭବାନ ହୋଇ ପାରିଛନ୍ତି । ଏଥି ସମେତ ଅନେକ ଲୋକ ମାଛ ଏବଂ ବତକ ଚାଷ କରିବା ସହ ପୋଖରୀ ହିଡରେ କିଛି କିଛି ପନିପାରିବା ସମେତ ଲେମ୍ବୁ, କଦଳୀ ଆଦି ଲଗାଇ ଉପକୃତ ହୋଇପାରୁଛନ୍ତି ।
ଫୁଲଜହର ଗ୍ରାମର ଅନ୍ୟ ଜଣେ କୃଷକ ନରେଶ ଶୁଦ୍ଧଙ୍କ କହିବା ଅନୁଯାଇ ପୂର୍ବରୁ ଜଳ ସେଚନରେ ସମସ୍ୟା ଦେଖା ଦେଉଥିଲା ତେଣୁ କେବଳ ଧାନ ଚାଷ କରି ଆମେ ୫-୧୦ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିଲୁ । ବର୍ତ୍ତମାନ ବିଭିନ୍ନ ଚାଷ କରି ବାର୍ଷିକ ହାରାହାରି ୭୦ହଜାର ରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛୁ ବୋଲି ମତପ୍ରକାଶ କରିଛନ୍ତି ।
ଏହି ଅଞ୍ଚଳରେ ୨୪୩ଟି ଗୁରୁତ୍ୱପୂର୍ଣ୍ଣ ଭୂପୃଷ୍ଠ ଜଳ ଉତ୍ସ ସୃଷ୍ଟି କରି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସିଧାସଳଖ ସ୍ଥାନୀୟ ଚାଷୀଙ୍କୁ ସଶକ୍ତ କରୁଛି, ଘରୋଇ ବ୍ୟବହାର ପାଇଁ ଜଳର ଉପଲବ୍ଧତାକୁ ସୁନିଶ୍ଚିତ କରୁଛି ଏବଂ ଦାନଗଦି ଓ ସୁକିନ୍ଦା ଉଭୟ ବ୍ଲକ୍ରେ ଜଳାଭାବ ଜନିତ ପରିବେଶଗତ ବିପଦକୁ ହ୍ରାସ କରୁଛି । କଳିଙ୍ଗନଗର ଓ ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଏକ ନିରନ୍ତର ଏବଂ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଟିଏସ୍ଏଫ୍ର ପ୍ରତିବଦ୍ଧତାର ଏହା ଏକ ଜ୍ୱଳନ୍ତ ଉଦାହରଣ ।
Comments are closed.