ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ
ଟାଟା ଷ୍ଟିଲ ଫାଉଣ୍ଡେସନ୍, ବାବା ତିଲକା ମାଝି କ୍ଲବ୍, ବ୍ରାହ୍ମଣିପାଳ ଏବଂ ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ, (ଏଏସଇଏସିଏ) କଳିଙ୍ଗନଗର ଦ୍ୱାରା ଓଲଚିକି ଲିପିର ଜନକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ସୋମବାର ବ୍ରାହ୍ମଣିପାଳ ଠାରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ ମୁଖ୍ୟ ଅତିଥି ଏବଂ ଜଣାଶୁଣା ସାନ୍ତାଳୀ ଲେଖକ ଓ ସାନ୍ତାଳୀ ଉଇକିପିଡିଆ
ପ୍ରତି ବିଶେଷ ଅବଦାନ ରଖିଥିବା ଶ୍ରୀ ଅଶ୍ୱିନୀ ଭଞ୍ଜନ ମୁର୍ମୁ ସମ୍ମାନିତ ଅତିଥିଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଆଦିବାସୀ ନେତା, ମହିଳା, ଯୁବକ ଏବଂ ଛାତ୍ରଛାତ୍ରୀଙ୍କ ସମେତ ୫୦୦ରୁ ଅଧିକ ଜନସାଧାରଣ ଯୋଗ ଦେଇ ସାନ୍ତାଳ ସମ୍ପ୍ରଦାୟର ସମୃଦ୍ଧ ଭାଷାଗତ ଓ ସାଂସ୍କୃତିକ ପରମ୍ପରାକୁ ପାଳନ କରିଥିଲେ।
ଏହି ଅବସରରେ କଳିଙ୍ଗନଗର ଅଞ୍ଚଳର ଓଲଚିକି ଭାଷା ସଂରକ୍ଷଣ ଓ ପ୍ରଚାରରେ ଅତୁଳନୀୟ ଅବଦାନ ରଖୁଥିବା ଓଲଚିକି ଭାଷା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।
ଏଥିସହ ଓଲଚିକି ଭାଷା ଶିକ୍ଷାର୍ଥୀମାନେ କଳିଙ୍ଗନଗରର ଆଦିବାସୀ ଅଞ୍ଚଳରେ ଓଲଚିକି ଭାଷାର ପ୍ରୟୋଗକୁ ବୃଦ୍ଧି କରିବା ଉପରେ ଏକ ନାଟକ ପ୍ରଦର୍ଶନ କରିଥିଲେ। ଏହି ଉଦ୍ୟମ ଆଦିବାସୀ ଯୁବସମାଜରେ ଭାଷାଗତ ପରିଚୟ ପ୍ରତି ସଚେତନ କରିଥିଲା।
ଏହି ଅବସରରେ ବିଧାୟକ ଡଃ ନାୟକ ଆଦିବାସୀ ଭାଷା ସଂରକ୍ଷଣରେ ଟାଟା ଷ୍ଟିଲ ଫାଉଣ୍ଡେସନର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ।
ଟାଟା ଷ୍ଟିଲ ଫାଉଣ୍ଡେସନ୍ ଆଦିବାସୀ ଲୋକମାନଙ୍କ ଭାଷାଗତ ବିବିଧତା, ସାଂସ୍କୃତିକ ଗର୍ବ ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହିତ ବିକାଶକୁ ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ।
Comments are closed.