ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ‘ଗ୍ରାସରୁଟ୍ସ ଫୁଟବଲ ଟୁର୍ନାମେଂଟ’ ସହିତ ଜାତୀୟ କ୍ରୀଡ଼ା ଦିବସ ପାଳିତ


-ମାନ୍ୟବର ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଈଂ ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି
– ବ୍ରାହ୍ମଣୀପାଳ, ସୁକିନ୍ଦା ଏବଂ କଳିଙ୍ଗନଗର ଅଂଚଳର ୨୭୦ ଖେଳାଳିଙ୍କ ଅଂଶଗ୍ରହଣ
କଳିଙ୍ଗନଗର: ମେଜର୍ ଧ୍ୟାନଚାନ୍ଦଙ୍କ ୧୧୮ତମ ଜନ୍ମବାର୍ଷିକୀ ଅବସରରେ ପିଲାମାନଙ୍କ ମଧ୍ୟରେ କ୍ରୀଡାକୁ ଜୀବନ ଶୈଳୀ ଭାବରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ମଙ୍ଗଳବାର ଦିନ ଓଡିଶାର ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ସାଳିଜଙ୍ଗା ପଂଚାୟତର ବାଘୁଆପାଳ ଖେଳ ପଡ଼ିଆରେ ଏକ ଦିନିଆ ‘ଗ୍ରାସରୁଟ୍ସ ଫୁଟବଲ ଟୁର୍ନାମେଂଟ୍‌’ ଆୟୋଜନ କରି ‘ଜାତୀୟ କ୍ରୀଡ଼ା ଦିବସ’କୁ ପାଳନ କରିଛି ।
ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଈଂ ପ୍ରୀତିରଞ୍ଜନ ଘଡାଇ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଯୁବବର୍ଗଙ୍କୁ ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦାନଗଦି ବ୍ଲକର ଜିଲ୍ଲା ପରିଷଦ ଶ୍ରୀମତୀ ଟିନା ହାଇବ୍ରୁ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଟୁର୍ନାମେଂଟ୍‌କୁ ତିନୋଟି ବର୍ଗରେ ଅନ୍ତର୍ଭୁକ୍ତ କରଯାଇଥିଲା ଯଥା ୧୨ ବର୍ଷରୁ କମ୍ ବାଳକ ବର୍ଗ, ୧୪ ବର୍ଷରୁ କମ୍ ବାଳକ ବର୍ଗ ଏବଂ ୧୪ ବର୍ଷରୁ କମ୍ ବାଳିକା ବର୍ଗ । ୧୭ଟି ଦଳ ମଧ୍ୟରେ ମୋଟ ୧୮ ଟି ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ ବ୍ରାହ୍ମଣୀପାଳ, ସୁକିନ୍ଦା ଏବଂ କଳିଙ୍ଗନଗରର ୨୭୦ ଖେଳାଳି ଅଂଶଗ୍ରହଣ କରି ଫୁଟ୍‌ବଲ୍ ପଡ଼ିଆରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଏହି ଟୁର୍ନାମେଂଟ୍ କେବଳ ଫୁଟ୍‌ବଲ୍ ଉତ୍ସାହୀମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ମଂଚ ପ୍ରଦାନ କରିନଥିଲା ବରଂ ଗୋଷ୍ଠୀ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଏବଂ ସାମାଜିକ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା । ଏହି ଟୁର୍ନାମେଂଟ୍‌ରେ ୧୨ ବର୍ଷରୁ କମ୍ ବାଳକ ବର୍ଗରେ ସୁକିନ୍ଦା ଦଳ, ୧୪ ବର୍ଷରୁ କମ୍ ବାଳକ ବର୍ଗରେ ବ୍ରାହ୍ମଣୀପାଳ ଦଳ ଏବଂ ୧୪ ବର୍ଷରୁ କମ୍ ବାଳିକା ବର୍ଗରେ କଳିଙ୍ଗନଗର ଦଳ ଟାଇଟଲ୍ ଜିତିଥିଲା ।
ପୁଷ୍ଟିକର ଖାଦ୍ୟର ମହତ୍ୱକୁ ଗୁରୁତ୍ୱ ଦେବା ପାଇଁ ସମସ୍ତ ଅଂଶଗ୍ରହଣକାରୀ ଦଳ ଏବଂ ଆୟୋଜକ କମିଟିର ସଦ୍ୟସ ପୁଷ୍ଟିକର ମଧ୍ୟାହ୍ନ ଭୋଜନ କରିବା ସହିତ କ୍ରୀଡ଼ା ଏବଂ ଦୈନଦିନ ଜୀବନରେ ଏକ ସନ୍ତୁଳିତ ଖାଦ୍ୟର ମହତ୍ୱକୁ ଆଲୋକିତ କରିଥିଲେ ।
ଏହା ବ୍ୟତୀତ ଟାଟା ଷ୍ଟିଲ୍ କଳିଙ୍ଗନଗରର ପ୍ରଶାସନ ବିଭାଗ ପ୍ଲଟ୍ ୨ ହାଉସିଂ କଲୋନୀରେ ରହୁଥିବା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ‘ମଜାଳିଆ କ୍ରୀଡ଼ା’ର ଆୟୋଜନ କରିଥିଲେ ।


Share It

Comments are closed.