ପରବର୍ତ୍ତୀ ପିଢ଼ିର ଆରୋହଣକାରୀ ପ୍ରସ୍ତୁତ କରୁଛି ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନର ସ୍ପୋର୍ଟସ୍ କ୍ଲାଇମ୍ବିଂ ସେଣ୍ଟର

ଭୁବନେଶ୍ୱର, ୦୫/୦୧/୨୦୨୬: ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ (ଟିଏସଏଏଫ) ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ସ୍ଥାପିତ ଓଡ଼ିଶା ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନର ସ୍ପୋର୍ଟସ୍ କ୍ଲାଇମ୍ବିଂ ହାଇ ପର୍ଫମାନ୍ସ ସେଣ୍ଟର (ଏଚପିସି) ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପରିସରରେ ରହିଥିବା ଏହି କେନ୍ଦ୍ରଟି ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଧୁନିକ ପ୍ରଶିକ୍ଷଣ ସହ ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ଯୋଗାଇ ଦେଉଛି। ସ୍ଥାପନ ହେବାର ଗୋଟିଏ ବର୍ଷ ମଧ୍ୟରେ ଏହି ଏଚ୍‌ପିସିରେ ୧୨୫ କ୍ରୀଡ଼ାବିତ (୭୭ବାଳକ ଓ ୪୮ବାଳିକା) ସାମିଲ ହୋଇ ଟ୍ରେନିଂ ନେଉଛନ୍ତି । ୪୦ ଜଣ ଅନ୍ତେବାସୀ ଏକ ତିନି ସଦସ୍ୟ ବିଶିଷ୍ଟ ପ୍ରଶିକ୍ଷକ ଟିମ୍‌ଠାରୁ ତାଲିମ ହାସଲ କରୁଛନ୍ତି। ଏଚ୍‌ପିସିର କ୍ରୀଡ଼ାବିତ୍‌ମାନେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଉଚ୍ଚକୋଟିର ପ୍ରଦର୍ଶନ କରୁଛନ୍ତି। ବିଶେଷ କରି ସାହିଲ କୁମାର ଦାସ ୨୦୨୪ ଇଷ୍ଟ ଜୋନ୍ କ୍ଲାଇମ୍ବିଂ ଚାମ୍ପିଅନସିପ୍‌ରେ ବ୍ରୋଞ୍ଜ, ବେଙ୍ଗାଲୁରୁରେ ଅନୁଷ୍ଠିତ ୨୮ତମ ଜାତୀୟ କ୍ରୀଡ଼ା କ୍ଲାଇମ୍ବିଂ ଚାମ୍ପିଅନସିପ୍-୨୦୨୫ରେ ରୌପ୍ୟ ପଦକ ଏବଂ କର୍ଣ୍ଣାଟକରେ ଆୟୋଜିତ ନିଳଗିରି କପ୍ ୨୦୨୫ରେ ରୌପ୍ୟ ପଦକ ଜିତିଛନ୍ତି। ସାହିଲ ପ୍ରଥମ ଓଡ଼ିଆ ଭାବେ ପୁଣେରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଫଡେରେସନ ଅଫ୍ ସ୍ପୋଟ୍ସ କ୍ଲାଇମ୍ବିଂ (ଆଇଏଫ୍‌ସି) ଏସିଆନ୍ କେ ଚାମ୍ପିଅନସିପ୍ ୨୦୨୫ରେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରି ଚତୁର୍ଥ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ନିଜର ଅନୁଭବ ବାବଦରେ ସାହିଲ କୁହନ୍ତି, "ଓଡ଼ିଶା ଟିଏସ୍‌ଏଫ୍ ଏଚପିସି ସେଣ୍ଟରରେ ପ୍ରଶିକ୍ଷଣ ମୋ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ମୁଁ କ୍ଲାଇମ୍ବିଂର "ସ୍ପିଡ୍' ବର୍ଗ ଉପରେ ଧ୍ୟାନ ଦେଇ ଜାତୀୟସ୍ତରରେ ରୌପ୍ୟ ପଦକ ଜିତିଛି ଏବଂ ବର୍ତ୍ତମାନ ଏସିଆନ୍ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ପ୍ରସ୍ତୁତ ହେଉଛି। ଦୈନିକ ୫ ରୁ ୬ ଘଣ୍ଟା ପ୍ରଶିକ୍ଷଣ ସହିତ ବିଶ୍ୱସ୍ତରୀୟ ସୁବିଧା ଏବଂ କୋଚିଂ ସହାୟତାରେ ମୁଁ ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ କଠିନ ପରିଶ୍ରମ କରୁଛି। ଅଲିମ୍ପିକ୍ସରେ ପ୍ରତିଯୋଗିତା କରିବା ଏବଂ ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିବା ମୋର ସ୍ୱପ୍ନ," ବୋଲି ଆଥଲେଟ୍ ସାହିଲ କୁମାର ଦାସ କହିଛନ୍ତି। ସେହିପରି ଶୁଭ୍ରାଂଶୁ ଶେଖର ମହନ୍ତ କୋଲକାତାରେ ଅନୁଷ୍ଠିତ ସର୍ବଭାରତୀୟ ଓପନ୍ ସ୍ପୋର୍ଟସ୍ କ୍ଲାଇମ୍ବିଂ ଚାମ୍ପିଅନସିପ୍ (ପୁରୁଷ ବର୍ଗ)ରେ ଭାଗ ନେଇ ଲିଡ୍ କ୍ଲାଇମ୍ବିଂ ଓ ବୋଲ୍ଡରିଂରେ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଟାଟା ଷ୍ଟିଲ୍‌ର କ୍ରୀଡ଼ା ମୁଖ୍ୟ ମୁକୁଲ ବିନାୟକ ଚୌଧୁରୀ କହିଛନ୍ତି ଯେ, “ଓଡ଼ିଶା ଟିଏସ୍‌ଏଏଫ୍ ସ୍ପୋର୍ଟସ୍ କ୍ଲାଇମ୍ବିଂ ହାଇପରଫର୍ମାନ୍ସ ସେଣ୍ଟର ହେଉଛି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଓ ଢାଞ୍ଚାଗତ କ୍ରୀଡ଼ାବିତ ବିକାଶର ଏକ ଉଦାହରଣ। ମାତ୍ର ଏକ ବର୍ଷରେ ଏହା ପ୍ରତିଭାବାନ ଆରୋହଣକାରୀ ଟିମ୍ ବିକାଶ କରିଛି ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସେମାନଙ୍କ ସଫଳତା ଆମ ତାଲିମ ମଡେଲର ପ୍ରଭାବକୁ ଦର୍ଶାଉଛି। ଓଡ଼ିଶାରେ ସ୍ପୋର୍ଟସ କ୍ଲାଇମ୍ବିଂକୁ ଆଗକୁ ନେବା ଏବଂ ଏକ ଜାତୀୟମାନଦଣ୍ଡ ସ୍ଥାପନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ।’’ ଏହି ଏଚ୍‌ପିସିରେ ଏକ ସ୍ଵତନ୍ତ୍ର ଆରୋହଣ ପ୍ରାଚୀର ରହିଛି ଏବଂ ଏଠାରେ ଫଇଜିଓଥେରାପି ସେବା, ଏକ ସେଣ୍ଟ୍ରାଲ ଜିମ୍ ଓ କ୍ରୀଡ଼ାବିତଙ୍କ ସାମଗ୍ରିକ ବିକାଶରେ ସହାୟତା ପାଇଁ ଏକ ସୁଇମିଂ ପୁଲ୍ ର ବ୍ୟବସ୍ଥା ରହିଛି। ସମଗ୍ର ରାଜ୍ୟର ଆଶାୟୀ ଆରୋହରଣକାରୀଙ୍କୁ ନାମ ଲେଖାଇବାକୁ ଆମନ୍ତ୍ରଣ କରି ଏହା ସାରା ରାଜ୍ୟରେ କ୍ରୀଡ଼ାକୁ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୧୭ ବର୍ଷରୁ କମ୍ ବୟସ ବର୍ଗର ପିଲାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୈନିକ ଦୁଇ ଥର ତାଲିମ ଅଧିବେଶନ ପାଇଁ ସମୟ ଧାର‌୍ୟ୍ୟ କରାଯାଇଛି। ଦୃଢ଼ ଏବଂ ସୁସଂଗଠିତ ଆଭିମୁଖ୍ୟ ଓ ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନର ବିଶେଷଜ୍ଞଙ୍କ ଉଦ୍ୟମରେ ଏହି ହାଇ-ପର୍ଫମାନ୍ସ ସେଣ୍ଟର ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶାକୁ ଭାରତର ଏକ ଅଗ୍ରଣୀ ସ୍ପୋର୍ଟସ୍ କ୍ଲାଇମ୍ବିଂ ହବ୍ ଭାବରେ ପ୍ରତିଷ୍ଠା କରିବାକୁ ଯୋଜନା ରହିଛି।

Share It


Share It

Comments are closed.