ଟାଟା ପାୱାର ଓଡ଼ିଶା ଡିସକମ୍ ପକ୍ଷରୁ ସ୍ଥାନୀୟ ଅର୍ଥନୀତିକୁ ସହାୟତା; ୬୬୦୦ ସ୍ଥାନୀୟ ଯୋଗାଣକାରୀଙ୍କୁ ୧୧,୦୦୦ କୋଟି ଟଙ୍କାର କାର୍ଯ୍ୟବରାଦ ପ୍ରଦାନ


ଭୁବନେଶ୍ୱର: ଓଡ଼ିଶାର ଅର୍ଥନୈତିକ ପ୍ରଗତି ପ୍ରତି ପ୍ରତିବଦ୍ଧତା ସ୍ୱରୂପ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ସ୍ଥାନୀୟ ଠିକାଦାର ଓ ଯୋଗାଣକାରୀମାନଙ୍କୁ ୧୧,୪୮୧ କୋଟି ଟଙ୍କାର କାର୍ଯ୍ୟବରାଦ ପ୍ରଦାନ କରାଯାଇଛି।
ରାଜ୍ୟର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଅଧିଗ୍ରହଣ କରିବାର ତିନି ବର୍ଷ ମଧ୍ୟରେ ଦିଆଯାଇଥିବା ଏହି ବରାଦଗୁଡ଼ିକ ମଧ୍ୟରୁ ୮୬୯୦ କୋଟି ଟଙ୍କାର ବରାଦ ସ୍ଥାନୀୟ ଏମ୍‌ଏସ୍‌ଏମ୍‌ଇ ଙ୍କୁ ଓ ୨୭୯୧ କୋଟି ଟଙ୍କାର କାର୍ଯ୍ୟବରାଦ ଅଣ-ଏମ୍‌ଏସ୍‌ଏମ୍‌ଇ ଙ୍କୁ ଦିଆଯାଇଛି। ସ୍ଥାନୀୟ ଠିକାଦାର ଓ ଯୋଗାଣକାରୀମାନଙ୍କୁ ମୁଖ୍ୟତଃ ଉପକରଣ ଏବଂ ସେବା ଭଳି ଦୁଇଟି ପ୍ରମୁଖ ବର୍ଗରେ କାର୍ଯ୍ୟବରାଦ ଦିଆଯାଇଛି।
ଓଡ଼ିଶାର ଚାରିଟି ଡିସକମ୍ ଟିପି ସେଂଟ୍ରାଲ, ଟିପି ସଦର୍ଣ୍ଣ, ଟିପି ନର୍ଦନ ଓ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ପକ୍ଷରୁ ୬୬୪୫ ସ୍ଥାନୀୟ ଭେଣ୍ଡର ଓ ଯୋଗାଣକାରୀଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହି ମିଳିତ ସହଯୋଗିତା ଦୈନନ୍ଦିନ ପରିଚାଳନା ଓ ସେବାର ମେରୁଦଣ୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କୁୁ ନିଯୁକ୍ତି ଦେବା ଲାଗି ସ୍ଥାନୀୟ ଭେଣ୍ଡରମାନଙ୍କୁ ଉତ୍ସାହିତ କରାଯାଉଛି। ମିଟର ରିଡିଂ, ବିଲିଂ ଓ ନେଟୱର୍କ ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ଡିସକମ୍‌ଗୁଡ଼ିକ ୪୩୪୭ ଭେଣ୍ଡରଙ୍କୁ ୭୫୬୦ କୋଟି ଟଙ୍କାର କାର୍ଯ୍ୟବରାଦ ଦେଇଛନ୍ତି। ସେହିପରି ଉପକରଣ ଯୋଗାଣ ବର୍ଗରେ ବଂଟନ ଟ୍ରାନ୍ସଫରମର, ତାର, ଖୁଂଟ ଆଦି ପାଇଁ ୩୯୨୧ କୋଟି ଟଙ୍କାର ୨୨୯୮ କାର୍ଯ୍ୟବରାଦ ପ୍ରଦାନ କରାଯାଇଛି।
ଉପକରଣ ଯୋଗାଣ କ୍ଷେତ୍ରରେ ରହିଥିବା ଚୁକ୍ତିଗୁଡ଼ିକ ମଧ୍ୟରେ ରହିଛି ବଣ୍ଟନ ଟ୍ରାନ୍ସଫରମର, ତାର, ଖୁଂଟ, ଏଲଟି ଓ ଏଚଟି ହାର୍ଡୱେର, ଲାପଟପ ଓ ଡେସ୍କଟପ। ସେହିଭଳି ସେବା କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକଳାପ ରହିଛି ଯଥା ମିଟର ସ୍ଥାପନ, ବିଲିଂ, କଲେକ୍ସନ, କଲ ସେଂଟର ପରିଚାଳନା, ମିଟର ରିଡିଂ ଏବଂ ହାଉସ କିପିଂ ଓ କ୍ୟାଟରିଂ ଭଳି ପ୍ରଶାସନିକ ଭୂମିକା।
ଏହି କାର୍ଯ୍ୟକଳାପଗୁଡ଼ିକ ମେକ୍ ଇନ୍ ଓଡ଼ିଶା ସହ ସମନ୍ୱିତ ରହିଥିବା ବେଳେ ଓଡ଼ିଶାର ଅର୍ଥନୈତିକ ପ୍ରଗତିରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଏହା ବ୍ୟବସାୟ ଦୃଶ୍ୟପଟ୍ଟରେ ପରିବର୍ତନ ଆଣିବା ସହ ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ପ୍ରଗତିରେ ଯୋଗଦାନ କରୁଛି।


Share It

Comments are closed.