ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ପକ୍ଷରୁ ‘ଓ ମାଇଁ ବିଉଟିଫୁଲ ଓଡ଼ିଶା ୨.୦’ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାଙ୍କୁ ସମ୍ୱର୍ଦ୍ଧନା

Share It

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ଗୁଡିକ ପକ୍ଷରୁ ବହୁ ଚର୍ଚ୍ଚିତ ଫଟୋଗ୍ରାଫି ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ‘ଓ ମାଇ ବିୟୁଟିଫୁଲ୍ ଓଡ଼ିଶା ୨.୦’ ର ବିଜେତାମାନଙ୍କୁ ସମ୍ମାନିତ କରିବା ପାଇଁ ଭୁବନେଶ୍ୱରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଚଳିତ ବର୍ଷର ବିଷୟବସ୍ତୁ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ’କୁ ବିଭିନ୍ନ ପୃଷ୍ଠଭୂମିର ଫଟୋଗ୍ରାଫରଙ୍କ ଠାରୁ ୫୦୦୦ରୁ ଅଧିକ ଆବେଦନ ମିଳିଥିଲା। ପ୍ରତିଯୋଗୀମାନେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ, ପ୍ରାକୃତିକ ଓ ସ୍ଥାପତ୍ୟ ପରମ୍ପରାକୁ ପ୍ରଦର୍ଶିତ କରିଥିଲେ, ଏଥିମଧ୍ୟରୁ ବିଜେତା ମାନଙ୍କ ଫୋଟୋକୁ ଟିପି ଓଡ଼ିଶା ୨୦୨୫ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଟାଟା ପାୱାରର ଟିଆଣ୍ଡ୍‌ଡି ସଭାପତି ସଞ୍ଜୟ ବାଙ୍ଗା, ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ, ଟିପିଏନ୍‌ଓଡିଏଲର ସିଇଓ ଦ୍ୱିଜଦାସ ବାସକ, ଟିପିଏସ୍‌ଓଡିଏଲର ସିଇଓ ଅମିତ ଗର୍ଗ ଓ ଅନ୍ୟ ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ।
ଏହି ଅବସରରେ ୧୩ ଜଣ ବିଜେତାଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ସହିତ ସେମାନଙ୍କ ଫଟୋକୁ ଟିପି ଓଡ଼ିଶା ୨୦୨୫ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍ତି ଯେ, “ସାଂସ୍କୃତିକ ଐତିହ୍ୟ ଓ ବିବିଧତାରେ ଭରପୂର ରାଜ୍ୟ ଓଡ଼ିଶାରେ ଆକର୍ଷଣୀୟ ଦୃଶ୍ୟ ଓ ଜୀବନ୍ତ ପରମ୍ପରା ରହିଛି। ମୁଁ ଟାଟା ପାୱାରକୁ ହୃଦୟରୁ କୃତଜ୍ଞତା ଜଣାଉଛି ଯେ ସେମାନେ ପଦକ୍ଷେପ ନେଇଛନ୍ତି ଏବଂ ସ୍ଥାନୀୟ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଛନ୍ତି । ଆମ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିବାପାଇଁ ଏହା ଏକ ଚମତ୍କାର ଉପାୟ । ଏତେ ସୁନ୍ଦର କାମ ପାଇଁ ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଉଛି।”
ଟାଟା ପାୱାରର ଟିଆଣ୍ଡ୍‌ଡି ସଭାପତି ସଞ୍ଜୟ ବାଙ୍ଗା କହିଛନ୍ତି ଯେ, “ଟାଟା ପାୱାରରେ ଓଡ଼ିଶା ପ୍ରତି ଆମର ପ୍ରତିବଦ୍ଧତା ଭରସାଯୋଗ୍ୟ ବିଜୁଳି ଯୋଗାଇବା ଠାରୁ ଅଧିକ। ତାହା ହେଉଛି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା, ଐତିହ୍ୟ ସଂରକ୍ଷଣ କରିବା ଏବଂ ଜନସାଧାରଣଙ୍କୁ ସଶକ୍ତ କରିବା। ଗତବର୍ଷ ଆରମ୍ଭ ହୋଇଥିବା ‘ଓ ମାଇଁ ବିଉଟିଫୁଲ୍ ଓଡ଼ିଶା’ ଅଭିଯାନ ଓଡ଼ିଶାକୁ ଅନନ୍ୟ କରିପାରିଥିବା ଚମତ୍କାର ଦୃଶ୍ୟ, ସମୃଦ୍ଧ ଇତିହାସ ଓ ସାଂସ୍କୃତିକ ଐତିହ୍ୟରୁ ପ୍ରେରିତ। ଏହି ଯାତ୍ରା ଜାରି ରଖି ଓଡ଼ିଶାବାସୀଙ୍କ ସହ ଅର୍ଥପୂର୍ଣ୍ଣ ଉପାୟରେ ଯୋଡ଼ି ହେବାକୁ ଆମେ ଆଶା ରଖିଛୁ।”
‘ଓ ମାଇ ବିଉଟିଫୁଲ୍ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତା ମାଧ୍ୟମରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ଗୁଡିକ ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟକୁ ପାଳନ ଓ ସଂରକ୍ଷଣ କରିବା ସହ ସ୍ଥାନୀୟ ସମୁଦାୟରେ ଗୌରବ ସୃଷ୍ଟି କରିବା ପାଇଁ ନିଜର ସମର୍ପଣ ପ୍ରଦର୍ଶନ କରିଛନ୍ତି।


Share It

Comments are closed.