ଟାଟା କନସଲଟାନ୍ସି ସର୍ଭିସେସ୍ ପକ୍ଷରୁ କର୍ଣ୍ଣାଟକ ସରକାରଙ୍କ ସହଯୋଗରେ ଟିସିଏସ୍ ଗ୍ରାମୀଣ ଆଇଟି କୁଇଜ୍‌ର ୨୫ତମ ସଂସ୍କରଣର ଶୁଭାରମ୍ଭ


ଭୁବନେଶ୍ୱର: ଆଇଟି ସେବାର ଅଗ୍ରଣୀ ସେବା ପ୍ରଦାନକାରୀ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍‌) ପକ୍ଷରୁ କର୍ଣ୍ଣାଟକ ସରକାରଙ୍କ ସହଯୋଗରେ ଟିସିଏସ୍ ଗ୍ରାମୀଣ ଆଇଟି କୁଇଜ୍ କାର୍ଯ୍ୟକ୍ରମର ୨୫ତମ ସଂସ୍କରଣ ପାଇଁ ପଞ୍ଜୀକରଣ ଖୋଲା ହୋଇଥିବା ଘୋଷଣା କରାଯାଇଛି।
ବାଙ୍ଗାଲୋର ଟେକ୍ ସମିଟ୍ ୨୦୨୪ର ଏକ ଅଂଶ ଭାବେ ଏହି କୁଇଜ୍‌ରେ ଅନଲାଇନ୍ ପରୀକ୍ଷା, ଆଭାସୀ ଓ ପ୍ରତ୍ୟକ୍ଷ କୁଇଜ୍ ପର୍ଯ୍ୟାୟ ରହିଛି। ସାରା ଭାରତର ଛୋଟ ସହର ଓ ଜିଲ୍ଲାଗୁଡ଼ିକର ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରାଯାଉଛି। ନଗର ନିଗମ ଅଧୀନରେ ଆସୁଥିବା ସ୍କୁଲର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ ନାହିଁ।
ଟିସିଏସ୍ ଗ୍ରାମୀଣ ଆଇଟି କୁଇଜ୍‌ର ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତିର ପ୍ରୟୋଗ ଓ ପ୍ରଯୁକ୍ତି ପରିବେଶ, ବ୍ୟବସାୟ, ଏଆଇ ଓ କ୍ଲାଉଡ କମ୍ପ୍ୟୁଟିଂ ସମେତ ଏହାର ଲୋକ ଓ ଧାରା ଭଳି ଅନ୍ୟାନ୍ୟ ବିଷୟ ଉପରେ ଗୁରୁତ୍ୱାରୋପ କରାଯିବ। ବ୍ୟାଙ୍କିଙ୍ଗ, ଶିକ୍ଷା, ମନୋରଂଜନ, ପୁସ୍ତକ, ମଲଟିମିଡିଆ, ସଙ୍ଗୀତ, ସିନେମା, ଇଂଟରନେଟ, ବିଜ୍ଞାପନ, ଗେମିଂ ଓ ସୋସିଆଲ ନେଟୱର୍କିଂ ଭଳି ଯେଉଁ କ୍ଷେତ୍ର ଉପରେ ଆଇଟି ପ୍ରଭାବ ସୃଷ୍ଟି କରିଛି ତାହାକୁ ମଧ୍ୟ ଏଥିରେ ସାମିଲ କରାଯିବ।
ଆଠଟି ଆଂଚଳିକ ଫାଇନାଲ୍ ଅନୁଷ୍ଠିତ ହେବ ଯାହାର ବିଜେତାମାନେ ୨୦୨୪ ନଭେମ୍ବରରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫାଇନାଲ୍‌ରେ ପ୍ରବେଶ କରିବେ। ସମସ୍ତ ଆଂଚଳିକ ବିଜେତା ଓ ଉପ ବିଜେତାମାନଙ୍କୁ ୧୦ ହଜାର ଟଙ୍କା ଓ ୭୦୦୦ ଟଙ୍କା ଲେଖାଏଁ ଗିଫ୍ଟ ଭାଉଚର ପ୍ରଦାନ କରାଯିବ। ଜାତୀୟ ବିଜେତା ଓ ଉପ ବିଜେତାମାନଙ୍କୁ ୧,୦୦,୦୦୦ ଟଙ୍କା ଓ ୫୦,୦୦୦ ଟଙ୍କାର ଟିସିଏସ୍ ଶିକ୍ଷା ବୃତି ପ୍ରଦାନ କରାଯିବ। କୁଇଜ୍ ପାଇଁ ଛାତ୍ରଛାତ୍ରୀମାନଙ୍କୁ ୨୦୨୪ ଅକ୍ଟୋବର ୧ ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ।
କୁଇଜ୍‌ର ପୂର୍ବ ସଂସ୍କରଣରେ ୨୮ଟି ରାଜ୍ୟ ଓ ୫ କେନ୍ଦ୍ରଶାସିତ ଅଂଚଳର ୫.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
୨୦୦୦ ମସିହା ପରଠାରୁ କର୍ଣ୍ଣାଟକ ସରକାରଙ୍କ ଆଇଟି ବିଭାଗ ସହ ମିଶି ଟିସିଏସ୍ ପକ୍ଷରୁ ଗ୍ରାମୀଣ ଆଇଟି କୁଇଜ୍ ଆୟୋଜନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ଛୋଟ ସହର ଓ ଜିଲ୍ଲାଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇଟିକୁ ନେଇ ସଚେତନତା ସୃଷ୍ଟି କରିବା। ବର୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମ ୨୧ ନିୟୁତରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିପାରିଛି। ଏହା ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ମଧ୍ୟ ସ୍ଥାନ ପାଇଛି।


Share It

Comments are closed.