ଟି-୨୦ ବିଶ୍ୱକପ୍‌: ଇଂଲଣ୍ଡକୁ ୫ ରନ୍‌ରେ ହରାଇଲା ଆୟରଲ୍ୟାଣ୍ଡ


ଟି-୨୦ ବିଶ୍ୱକପ୍‌ ୨୦୨୨ର ସୁପର ୧୨ ମୁକାବିଲାରେ ବୁଧବାର ଅଦ୍ଭୁତ ମ୍ୟାଚ୍ ଦେଖିବାକୁ ମିଳିଥିଲା। ବର୍ଷା ପୁରା ମ୍ୟାଚ୍‌ରେ ବାଧା ସୃଷ୍ଟି କରିଥିଲା, କିନ୍ତୁ ଡକୱର୍ଥ ଲୁଇସ୍ ନିୟମ ଆଧାରରେ ଆୟାରଲ୍ୟାଣ୍ଡ ଶକ୍ତିଶାଳୀ ଟିମ୍ ଇଂଲଣ୍ଡକୁ ୫ ରନ୍‌ରେ ପରାଜିତ କରିଛି। ଇଂଲଣ୍ଡ ଏବେ ନିଜର ହାରିବା ପାଇଁ ବର୍ଷାକୁ ଦାୟୀ କରିଛି। ଆୟରଲ୍ୟାଣ୍ଡଠାରୁ ହାରିବା ପରେ ଏବେ ସେମିଫାଇନାଲରେ ପହଞ୍ଚିବାକୁ ଇଂଲଣ୍ଡର ରାସ୍ତା ଏତେ ସହଜ ହେବନି। ମେଲବୋର୍ଣ୍ଣରେ ହୋଇଥିବା ଏହି ମ୍ୟାଚ୍‌ରେ ଆୟରଲ୍ୟାଣ୍ଡ ଡକୱର୍ଥ ଲୁଇସ୍ ନିୟମ ଆଧାରରେ ୫ ରନ୍‌ରେ ଜିତିଛି।

ଯେଉଁ ସମୟରେ ବର୍ଷା କାରଣରୁ ମ୍ୟାଚ୍ ବନ୍ଦ ହୋଇଥିଲା, ସେତେବେଳେ ଇଂଲଣ୍ଡର ଡକୱର୍ଥ ଲୁଇସ୍ ନିୟମ ଆଧାରରେ ଯେଉଁ ସ୍କୋର ହେବା ଦରକାର ତାଠାରୁ ୫ ରନ୍‌ ପଛରେ ଥିଲା। ବର୍ଷା ଏତେ ଜୋରରେ ହୋଇଥିଲା ଯେ, ପୁଣିଥରେ ମ୍ୟାଚ୍‌ ଆରମ୍ଭ ହେବାର କୌଣସି ସମ୍ଭାବନା ନଥିଲା। ଏପରି ସ୍ଥାନରେ ଅମ୍ପାୟରମାନେ ମ୍ୟାଚ୍‌କୁ ସେଠାରେ ବନ୍ଦ ରଖିଥିଲେ ଓ ଫଳାଫଳ ଘୋଷିତ କରିଥିଲେ, ଯାହାକି ଆୟରଲ୍ୟାଣ୍ ପାଇଁ ଐତିହାସି ପ୍ରମାଣିତ ହୋଇଥିଲା।

ଇଂଲଣ୍ଡ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା। ଆୟରଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫୭ ରନ୍ କରିପାରିଥିଲା। ପଲ୍ ଷ୍ଟର୍ଲିଂ ପୁଣିଥରେ ଟିମ୍ ପାଇଁ ଦୃତ ଭାବରେ ରନ୍ କରିଥିଲେ, କିନ୍ତୁ ଏଠାରେ କମାଲ ଦେଖାଇଥିଲେ କ୍ୟାପଟେନ୍ ଆଣ୍ଡି ବଲବର୍ନି। ସେ ୪୭ ବଲରେ ୬୨ ରନ୍‌ କରିଥିଲେ। ଆଣ୍ଡି ଏହି ସମୟରେ ୫ଟି ଚୌକା ଓ ୨ଟି ଛକା କରିଥିଲେ। ଏହା ତାଙ୍କର ଟି-୨୦ ବିଶ୍ୱକପରେ ପ୍ରଥମ ଓ ମୋଟ ଅଷ୍ଟମ ଅର୍ଦ୍ଧଶତକ ଥିଲା। ସେ ଲୋରକାନ୍ ଟକ୍କର(୨୭ ବଲରେ ୩୪ ରନ୍) ସହିତ ଦ୍ୱିତୀୟ ୱିକେଟ ପାଇଁ ୮୨ ରନ୍‌ର ପାର୍ଟନରସିପ୍ କରିଥିଲେ। ଆୟରଲ୍ୟାଣ୍ଡ ଟିମ୍‌ ୧୫୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ତେବେ ମାତ୍ର ୮୬ ରନ୍‌ରେ ଅଧା ଇଂଲଣ୍ଡ ଟିମ୍‌ ଆଉଟ୍ ହୋଇଯାଇଥିଲା। କ୍ୟାପଟେନ୍ ଜୋସ୍‌ ବଟଲର ୦ (ଶୂନ୍ୟ)ରେ, ଏଲେକ୍ସ ହେଲସ୍ ୭ ରନ୍‌ କରି ଆଉଟ୍ ହୋଇଥିଲେ। ଡେଭିଡ୍ ମଲାନ୍ ୩୫ ଓ ବେନ୍‌ ଷ୍ଟୋକସ୍‌ ମାତ୍ର ୬ ରନ୍ କରିଥିଲେ। ତେବେ ଏହାପରେ ବର୍ଷା ହେବା କାରଣରୁ ମ୍ୟାଚ୍‌ରେ ଡକୱର୍ଥ ଲୁଇସ୍ ନିୟମ ଲାଗୁ କରିବାକୁ ପଡିଥିଲା। ନିୟମ ଅନୁସାରେ ୧୪ ଓଭରରେ ଇଂଲଣ୍ଡର ସ୍କୋର ୧୧୦ ରନ୍ ହେବା ଦରକାର ଥିଲା, କିନ୍ତୁ ମ୍ୟାଚ୍‌ ବନ୍ଦ କରିବାକୁ ପଡିଥିଲା ସେତେବେଳେ ଇଂଲଣ୍ଡ ଟିମ୍‌ ୧୦୫ ରନ୍‌ କରିଥିଲା। ତେଣୁ ଇଂଲଣ୍ଡକୁ ଆୟରଲ୍ୟାଣ୍ଡ ଟିମ୍ ୫ ରନ୍‌ରେ ହରାଇବାରେ ସଫଳ ହୋଇଥିଲା।


Share It

Comments are closed.