ଟି-୨୦ ବିଶ୍ୱକପ ବିଜୟ ପରେ ଅଷ୍ଟ୍ରେଲିଆକୁ ମିଳିଲା ୧୨ କୋଟିର ଅର୍ଥ ରାଶି, ଅନ୍ୟପଟେ ନ୍ୟୁଜିଲାଣ୍ଡକୁ କେତେ ପଢନ୍ତୁ


କିୱି ଦଳକୁ ପଛରେ ପକାଇ ଚଳିତ ଟି-୨୦ ବିଶ୍ୱକପ୍‌ ହାତେଇ ନେଇଛି ଅଷ୍ଟ୍ରେଲିଆ । ୫ ଥର ଦିନିକିଆ ବିଶ୍ଵ କପ୍ ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାରେ ସକ୍ଷମ ହୋଇଛି । ହେଲେ କ୍ରିକେଟ୍‌ପ୍ରେମୀଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠିଥିବା ଯେ, କଙ୍ଗାରୁ ଦଳ ଜିତିବା ପରେ ଆଇସିସି କେତେ ଟଙ୍କା ପ୍ରଦାନ କରିଛି ଏବଂ ନ୍ୟୁଜିଲାଣ୍ଡ ହାରିବା ପରେ ଏହାକୁ କେତେ ଟଙ୍କା ମିଳିଛି ।

ଆଇସିସି ଟି-୨୦ ମ୍ୟାଚ୍‌ ଆରମ୍ଭ ହେବାର ଏକ ସପ୍ତାହ ପୂର୍ବରୁ ପୁରସ୍କାର ରାଶି ଘୋଷଣା କରିଥିଲା । ଯାହାକି ଜିତିଥିବା ଟିମ୍‌ ଏବଂ ହାରିଥିବା ଟିମ୍‌କୁ ମିଳିବ । ସେହି ଅନୁସାରେ, ଅଷ୍ଟ୍ରେଲିଆ ୧୨ କୋଟି ଟଙ୍କାର ଚେକ୍‌ ଘରକୁ ନେଇଥିବା ବେଳେ ପରାଜିତ ଟିମ୍‌ ନ୍ୟୁଜିଲାଣ୍ଡ ୬ କୋଟି ଟଙ୍କା ନେଇଛି । ଆଇସିସି ଅକ୍ଟୋବର ମାସରେ ଏନେଇ ଘୋଷଣା କରିଥିଲା । ତେଣୁ ବିଦେଶୀ ମୁଦ୍ରା ହିସବରେ ପୁରୁଷ ବିଶ୍ୱକପ୍‌ ବିଜୟୀ ଟିମ୍‌କୁ ୧.୬ ମିଲିୟନ୍‌ ଡଲାର ମିଳିଛି । ସେହିପରି ହାରିଥିବା ଟିମ୍‌କୁ ୮ ଲକ୍ଷ ଡଲାର ପୁରସ୍କାର ମିଳିଛି ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ୨୦୧୦ରେ ଫାଇନାଲ୍‌ରେ ପ୍ରବେଶ କରିଥିଲା। କିନ୍ତୁ ଇଂଲଣ୍ଡ ହାତରୁ ପରାଜିତ ହୋଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନଙ୍କ ଦମଦାର ୮୫ ରନର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୭୨ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଗୁପଟିଲ୍ ୨୮ ରନ କରିଥିଲେ। ଜବାବରେ ମିଚେଲ ମାର୍ଶଙ୍କ ଅପରାଜିତ ୭୭ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୩ ରନ ବଳରେ ଅଷ୍ଟ୍ରେଲିଆ ୧୮.୫ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଗ୍ଲେନ ମ୍ୟାକ୍ସଓ୍ଵେଲ ୨୮ ରନର ଅପରାଜିତ ଇନିଂସ ଖେଳିଥିଲେ। ନ୍ୟୁଜିଲାଣ୍ଡ ଇନିଂସରେ ଅଷ୍ଟ୍ରେଲିଆ ତରଫରୁ ହେଜେଲଡ ମାତ୍ର ୧୬ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ।


Share It

Comments are closed.