ଏମଏସଏମଇଙ୍କୁ ସୌରଶକ୍ତିର ବ୍ୟବହାର କରିବା ପାଇଁ ନୀତିନ ଗଡ଼କରୀଙ୍କ ପରାମର୍ଶ


ଭୁବନେଶ୍ୱର: କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ, ଶ୍ରୀଯୁକ୍ତ ନୀତିନ ଗଡ଼କରୀ ଏମଏସଏମଇଗୁଡ଼ିକୁ ବ୍ୟବସାୟ ଦକ୍ଷତା ପାଇଁ ରୁଫଟପ ସୋଲାର ସ୍ଥାପିତ କରିବା ପାଇଁ ରିହାତିମୂଳକ ଋଣର ଲାଭ ଉଠାଇବା ଲାଗି ଆମନ୍ତ୍ରିତ କରିଛନ୍ତି । ରୁଫଟପ ସୋଲାର ବିଦ୍ୟୁତ ବ୍ୟବହାର ଖର୍ଚ୍ଚକୁ ଅପେକ୍ଷାକୃତ ହ୍ରାସ କରି ଏମଏସଏମଇଙ୍କୁ ଉତ୍କୃଷ୍ଟ ମୂଲ୍ୟ ପ୍ରସ୍ତାବ ପ୍ରଦାନ କରିଥାଏ, ଯାହାକି ହାରାହାରି ସେମାନଙ୍କର ପରିଚାଳନା ଖର୍ଚ୍ଚର ଏକ-ପଂଚମାଂଶ ପର୍ଯ୍ୟନ୍ତ ହୋଇଥାଏ । ମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ହୋଇଥିବାବେଳେ, ଏଥିରେ ଏମଏସଏମଇ ଉଦ୍ୟୋଗ ସଚିବ ଶ୍ରୀ.ବି.ବି ସ୍ୱାଇଁ, ନୂତନ ଏବଂ ପୁନଃନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ, ସଚିବ ଶ୍ରୀ ଇନ୍ଦୁ ଶେଖର ଚତୁର୍ବେଦୀ, ବିଶ୍ୱ ବ୍ୟାଙ୍କ, କଂଟ୍ରି ଡାଇରେକ୍ଟର ଇଣ୍ଡିଆ ଶ୍ରୀ ଜୁନିଆଦ ଅହମ୍ମଦ ଏବଂ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଚେୟାରମ୍ୟାନ ଶ୍ରୀ ଦିନେଶ କୁମାର ଖାରା ପ୍ରମୁଖ ଯୋଗଦେଇଛନ୍ତି ।
ଏମଏସଏମଇଙ୍କ ମଧ୍ୟରେ ରୁଫଟପ ସୋଲାର (ଆରଟିଏସ) ବିଷୟରେ ସଚେତନତାକୁ ପ୍ରୋତ୍ସାହିତ କରୁଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି ଯେ, “ମୋର ବିଶ୍ୱାସ ଯେ ଏମଏସଏମଇଙ୍କ ପାଇଁ ରୁଫଟପ ସୋଲାର ସ୍ଥାପନା କରିବା ଏବଂ ମୂଲ୍ୟ ପ୍ରତିଦ୍ୱନ୍ଦିତାକୁ ହାସଲ କରିବା ପାଇଁ ଉଲ୍ଲେଖନୀୟ ସଂଚୟ ହାସଲ କରିବାର ଏକ ଦୃଢ଼ ବ୍ୟବସାୟିକ ସୁଯୋଗ ରହିଛି । ମୋର ଦୃଢ଼ ଆତ୍ମବିଶ୍ୱାସ ଯେ ଏମଏସଏମଇମାନେ ସେମାନଙ୍କ ଛାତର ବ୍ୟବହାର କରି ସୌର ଶକ୍ତି ଉତ୍ପାଦନ ଓ ବ୍ୟବହାର ପାଇଁ ଏକତ୍ର ହୋଇ କାର୍ଯ୍ୟ କରିବେ ।” ଶ୍ରୀ ଗଡ଼କରୀ କହିଛନ୍ତି ଯେ, ଶକ୍ତି ବ୍ୟବହାର ପାଇଁ ଏମଏସଏମଇ ଦ୍ୱାରା ଏକ ବୃହତ ରାଶି ଖର୍ଚ୍ଚ କରାଯାଉଛି ଯାହାକି ସେମାନଙ୍କର ସମୁଦାୟ ମୂଲ୍ୟର ଏକ-ପଂଚାମାଂଶ ପର୍ଯ୍ୟନ୍ତ ଅଟେ । ଏମଏସଏମମାନଙ୍କୁ ରୁଫଟପ ସୋଲାର ପରିଯୋଜନା ସ୍ଥାପନାରେ ସହାୟତା କରିବା ଲାଗି ମନ୍ତ୍ରଣାଳୟ ବିଶ୍ୱ ବ୍ୟାଙ୍କ ସହିତ ଏକ କ୍ରେଡିଟ ଗ୍ୟାରେଂଟି କାର୍ଯ୍ୟକ୍ରମ ଉପରେ କାର୍ଯ୍ୟ କରୁଛି , ଯାହାଦ୍ୱାରା ଏମଏସଏମଇଗୁଡ଼ିକ ପାଇଁ ଆର୍ଥିକ ସୁବିଧା ଉପଲବ୍ଧ କରାଯାଇପାରିବ ।” ଅନ୍ୟ ନବୀକରଣଯୋଗ୍ୟ ଶକ୍ତି ତୁଳନାରେ ରୁଫଟପ ସୋଲାର ଅଧିକ ଲୋକଙ୍କୁ ନିୟୋଜିତ କରୁଥିବାରୁ ଏହା ଅର୍ଥନୈତିକ ପୁନଃରୁଦ୍ଧାରରେ ମଧ୍ୟ ସହାୟକ ହେବ ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେହିଭଳି ରୁଫଟପ ସୋଲାର୍‌ରୁ ପ୍ରଜ୍ୟୁମର ଭାବରେ କମ୍ ମୂଲ୍ୟର ସୌର ଶକ୍ତି କ୍ରୟ ଏବଂ ସୌରଶକ୍ତିର ଉତ୍ପାଦନ ଏମଏସଏମଇଙ୍କ ପାଇଁ ଦୁଇଗଣ ଲାଭଦାୟକ ବିକଳ୍ପ ହେବ ବୋଲି ଏମଏସଏମଇ ସଚିବ ଶ୍ରୀ ବିବି ସ୍ୱାଇଁ କହିଛନ୍ତି ।


Share It

Comments are closed.