ସୁଶାନ୍ତଙ୍କ ପ୍ରେମିକା ରିୟା ଏବଂ ସାଙ୍ଗ ମହେଶଙ୍କୁ ପଚରାଉଚରା କରିବ ପୋଲିସ, ଉଭୟ କରିଥିଲେ ଶେଷ କଲ


ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ଅଭିନେତାଙ୍କ ମୋବାଇଲ ରେକର୍ଡ ଅନୁସାରେ ସେ ନିଜର ଶେ​‌ଷ ଫୋନ୍ କଲ ରିୟା ଚକ୍ରବର୍ତ୍ତୀ ଓ ମହେଶ ସେଟ୍ଟୀଙ୍କୁ ଫୋନ୍ କରିଥିଲେ। କିନ୍ତୁ ଦୁହେଁ ସୁଶାନ୍ତଙ୍କ ଫୋନ କଲ୍ ଉଠାଇନଥିଲେ। ଏବେ ଏହି କେସ ଆଗକୁ ନନେଇ ପୋଲିସ ଦୁହିଁଙ୍କୁ ପଚରାଉଚରା କରୁଛି। ରିପୋର୍ଟ ଅନୁସାରେ, ୧୩ ଜୁନ୍ ରାତି ୧୨ଟା ବେଳେ ରିୟା ଚକ୍ରବର୍ତ୍ତୀ ଓ ମହେଶଙ୍କୁ ସୁଶାନ୍ତ ଫୋନ୍ କରିଥିଲେ। ଦୁହେଁ କୌଣସି ଉତ୍ତର ଦେଇନଥିଲେ। ସୁଶାନ୍ତ ସିଂ ରାଜପୁତ ୧୪ ଜୁନ୍ ସକାଳ ୬ଟା୩୦ ମିନିଟରେ ଉଠିଥିଲେ।

ସକାଳ ୯ଟା ୩୦ ସମୟରେ ତାଙ୍କୁ ଭଉଣୀଙ୍କୁ ଫୋନ୍ କରି କଥା ହୋଇଥିଲେ। ପ୍ରାୟ ୧୦ଟା ୩୦ ମିନିଟରେ ସୁଶାନ୍ତ ନିଜ ରୁମ୍ ଭିତରୁ ବାହାରି ଥିଲେ ଓ ଜୁସ୍ ନେଇ ନିଜ ରୁମ୍ ଭିତରକୁ ଫେରି ଯାଇଥିଲେ। କିଛି ସମୟ ପରେ ଯେତେବେଳେ ତାଙ୍କର ଘରୋଇ ସହାୟକ ଲଞ୍ଚ କରିବାକୁ ଡାକିଥିଲେ ତାଙ୍କର ରୁମ୍ କବାଟ ଭିତର ପଟୁ ବନ୍ଦ ଥିଲା। ବହୁତ ଡାକିବା ପରେ କବାଟ ନଖୋଲିବାକୁ ତାଙ୍କର ସାଙ୍ଗମାନେ ଫୋନ୍ କରିଥିଲେ। ଉଲ୍ଲେଖନୀୟ ଯେ, ରିୟା ଚକ୍ରବର୍ତ୍ତୀ ହେଉଛନ୍ତି ଜଣାଶୁଣା ମଡେଲ ଏବଂ ଆକଟ୍ରେସ୍। ସୁଶାନ୍ତଙ୍କ ସହିତ ତାଙ୍କର ଆଫେୟାରକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ଥିଲା। ଦୁହେଁ ଭ୍ୟାକେସନରେ ଏକାଠି ଯାଇଥିଲେ। ସେଭଳି ମହେଶ ସେଟ୍ଟୀ,ସୁଶାନ୍ତଙ୍କ ସହିତ ‘ପବିତ୍ର ରିସ୍ତା’ ସିରିୟଲରେ କାମ କରିସାରିଛନ୍ତି। ସେ ସୁଶାନ୍ତଙ୍କ କୋ-ଆକ୍ଟର ଏବଂ ବନ୍ଧୁ ମଧ୍ୟ ଥିଲେ। ସୁଶାନ୍ତ ରୁମ୍ ଖୋଲୁନଥିବାରୁ ଚାବି ତିଆରି କରୁଥିବା ଲୋକଙ୍କୁ ଡକାଯାଇଥିଲା। ଚାବି ବାଲାଙ୍କୁ ଡାକି ଘରର ଲକ୍ ଖୋଲାଯାଇଥିଲା।

ରୁମର ଫ୍ୟାନରେ ସୁଶାନ୍ତଙ୍କ ମୃତଦେହ ଲଟକୁଥିବାର ଦେଖି ସମସ୍ତଙ୍କର ହୋସ୍ ଉଡିଯାଇଥିଲା। କିନ୍ତୁ ପୋଲିସକୁ ସୁଶାନ୍ତ ରୁମ୍ ଭିତରୁ କୌଣସି ସୁସାଇଡ୍ ନୋଟ୍ ମିଳିନଥିଲା କିମ୍ବା କିଛି ସୂଚନା ମଧ୍ୟ ହସ୍ତଗତ ହୋଇନଥିଲା। ଅଭିନେତାଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବା ପାଇଁ ପୋଲିସ ଜୋରଦାର ଭାବରେ ଲାଗିଛି। ରିୟା ଓ ମହେଶଙ୍କ ବ୍ୟତୀତ ପୋଲିସ ସୁଶାନ୍ତଙ୍କ ଅନ୍ୟ କିଛି ସାଙ୍ଗଙ୍କୁ ମଧ୍ୟ ପଚରାଉଚରା କରିବ। ସେଭଳି ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ସୁଶାନ୍ତଙ୍କ ମୃତ୍ୟୁ ଫାଶୀ ଦେବା ପରେ ଅଣନିଶ୍ବାସୀ ହେବା ଯୋଗୁଁ ହୋଇଛି।


Share It

Comments are closed.