ରିୟାଙ୍କ ଭାଇ ଏବଂ ସୁଶାନ୍ତଙ୍କ ପୂର୍ବତ୍ତନ ମ୍ୟାନେଜରଙ୍କୁ ଉଠାଇ ନେଲା ଏନସିବି


ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ଆଜି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଅଟକ ରଖିଛି । ସେମାନଙ୍କୁ ଏନସିବିର ମୁମ୍ବାଇ ଅଫିସକୁ ଆଣି ପଚରାଉଚୁରା କରାଯାଉଛି । ଏହାସହିତ ଏନସିବି ଟିମ ରିଆଙ୍କ ପୁରୁଣା ସ୍ମାର୍ଟଫୋନ ଓ ସୌଭିକଙ୍କ ଲାପଟପକୁ ଜବତ କରିଛି ।

ଏହା ପୂର୍ବରୁ ଏନସିବି ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ସୌଭିକ ଓ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଏନସିବିର ଦୁଇଟି ଟିମ ରିଆଙ୍କ ଜୁହୁ ତାରା ରୋଡ ସ୍ଥିତ ଘରେ ଓ ମିରାଣ୍ଡାଙ୍କ ମୁମ୍ବାଇସ୍ଥିତ ଘରେ ଚଢଉ କରିଥିଲା । ଏବେ ବି ଏହି ଚଢଉ ଜାରି ରହିଛି । ଏହି ଚଢଉ ସଂପର୍କରେ ଏନସିବିର ଜଣେ ଅଧିକାରୀ କହିଛନ୍ତି ଯେ ଏନଡିପିଏସ ଆଇନ ଅନୁସାରେ ଏହି ଚଢଉ କରାଯାଇଛି । ଏହା କେବଳ ମାତ୍ର ଏକ ପ୍ରକ୍ରିୟାକୁ ପାଳନ କରାଯାଉଛି । କିନ୍ତୁ ସେ ଏହି ଚଢଉ ସଂପର୍କରେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଏହି ଚଢଉ ବେଳେ କେତେକ ଆପତ୍ତିଜନକ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା କୁହାଯାଉଛି ।


Share It

Comments are closed.