ଟେଷ୍ଟ ସିରିଜ ପାଇଁ ପୃଥ୍ୱୀ ସ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡ ଡକରା


ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ସିରିଜ । ଏହା ପୂର୍ବରୁ ଭାରତୀୟ ଟିମର ସ୍କ୍ବାଡ୍‌ରେ ଗୁରୁତ୍ବପୂର୍ଣ୍ଣ ଅଦଳବଦଳ କରାଯାଇଛି । ୩ ଜଣ ଖେଳାଳି ଆହତ ହେବା ପରେ ନୂଆ ଖେଳାଳିଙ୍କୁ ଟିମରେ ସାମିଲ କରାଯାଇଛି । ଶ୍ରୀଲଙ୍କାରେ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ ଖେଳୁଥିବା ପୃଥ୍ବୀ ସ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଡକାଯାଇଛି ।

ଏ ନେଇ ସୋମବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯିବା ସହିତ ଆହତ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର, ପେସ ବୋଲର ଆବେସ ଖାନ ଏବଂ ଓପନର ଶୁଭମାନ ଗିଲ ଆହତ କାରଣରୁ ଟିମରୁ ବାହାରେ ରହିଛନ୍ତି । ସୁନ୍ଦରଙ୍କ ଆଙ୍ଗୁଳିରେ ଆଘାତ ଲାଗିଥିବା ବେଳେ ଆବେସ ଖାନଙ୍କର ବାମ ହାତ ଆଙ୍ଗୁଳିରେ ଆଘାତ ଲାଗିଛି । ସେହିଭଳି ଓପନର ଶୁଭମାନ ଗିଲଙ୍କର ବାମ ଗୋଡରେ ଆଘାତ ଲାଗିଛି । ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ବେଳେ ସେ ଆହତ ହୋଇଥିଲେ ।

ଏହି ୩ ଜଣଙ୍କ ବଦଳ ଖେଳାଳି ଭାବେ ପୃଥୱି ସ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ ହେବାକୁ ଇଂଲଣ୍ଡ ଡକରା ଆସିଛି । ଉଭୟ ଏବେ ଶ୍ରୀଲଙ୍କାରେ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ ଖେଳୁଛନ୍ତି । ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଅଗଷ୍ଟ ୪ ତାରିଖରୁ ଟ୍ରେଣ୍ଟବ୍ରିଜ୍‌ରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଅନ୍ୟ ପଟେ ଭାରତ ପାଇଁ ଭଲ ଖବର ହେଉଛି ଋଷଭ ପନ୍ତ ଏବେ କରୋନାକୁ ମାତ ଦେଇ ସୁସ୍ଥ ହେଉଛନ୍ତି । ସେ ଏବେ ଟେଷ୍ଟ ସିରିଜ ପାଇଁ ଫିଟ୍ ଅଛନ୍ତି । ବୋଲିଂ କୋଚ ବି ଅରୁଣ, ୱିକେଟ କିପର ରିଦ୍ଧିମାନ ଶାହା ଏବଂ ଏ ଇଶ୍ୱରନ ମଧ୍ୟ ଟିମ ସହିତ ସାମିଲ ହୋଇଛନ୍ତି ।

ଇଂଲଣ୍ଡ ଗସ୍ତରେ ଭାରତୀୟ ସ୍କ୍ୱାଡ : ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଅନୁମା ବିହାରୀ, ଋଷଭ ପନ୍ତ (ୱିକେଟକିପର), ଆର. ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଇଶାନ୍ତ ଶର୍ମା, ମହମ୍ମଦ ସାମୀ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହା, ଅଭିମନ୍ୟୁ ଇଶ୍ୱରନ, ପୃଥୱି ସ’ ଏବଂ ସୂର୍ଯ୍ୟକୁମାର ଯାଦବ


Share It

Comments are closed.