‘ଲିମକା ବୁକ୍ ଅଫ ରେକର୍ଡ’ରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାର


ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଫଳତାର ସହ କରାଯାଇଥିବା ବିରଳ ଯୋଡାମୁଣ୍ଡ ଅସ୍ତ୍ରୋପଚାର ଘଟଣା ଲିମକା ବୁକ ଅଫ ରେକର୍ଡ ୨୦୨୦ ସଂସ୍କରଣରେ ସ୍ଥାନ ପାଇଛି । ୨୦୧୭ ଦିଲ୍ଲୀ ଏମ୍ସ ଠାରେ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କର ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାରରେ ୧୨୫ ଡାକ୍ଟର ଏବଂ ପ୍ୟାରାମେଡିକାଲ ଷ୍ଟାଫ ନିୟୋଜିତ ଥିବାବେଳେ ଏହି ଟିମର ନେତୃତ୍ୱ ନେଇଥିଲେ ଡାକ୍ତର ଅଶୋକ କୁମାର ମହାପାତ୍ର ଏବଂ ଡାକ୍ତର ଦୀପକ କୁମାର ଗୁପ୍ତା ।
ଅସ୍ତ୍ରୋପଚାର ସମୟରେ ଜଗା-ବଳିଆଙ୍କୁ ୨୮ ମାସ ହୋଇଥିବାବେଳେ ଏହି ଜଟିଳ ଅସ୍ତ୍ରୋପଚାରକୁ ଦୁଇଥରରେ ପୂରଣ କରାଯାଇଥିଲା । ପ୍ରଥମ ଅସ୍ତ୍ରୋପଚାର ୨୮ ଅଗଷ୍ଟ ୨୦୧୭ରେ ହୋଇଥିବାବେଳେ ସେହିପରି ଦ୍ୱିତୀୟ ଅସ୍ତ୍ରୋପଚାର ୨୫ ଅକ୍ଟୋବରରେ କରାଯାଇଥିଲା ।
ଏହି ସଂପର୍କରେ ସୂଚନା ଦେଇ ଡାକ୍ତର ଶ୍ରୀ ଅଶୋକ ମହାପାତ୍ର କହିଛନ୍ତି ଯେ, “ଏହି ଅସ୍ତ୍ରୋପଚାର ଆମ ପାଇଁ ଏକ ଆହ୍ୱାନ ଥିଲା । ଏହି ଅସ୍ତ୍ରୋପଚାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ହେଉଛି ଏଥିରେ ବଳିଆର ମସ୍ତିଷ୍କରେ ଏମ୍ସ ଭେନବ୍ୟାଙ୍କରୁ ଭେନ(ଶିରା) ଆସି ସଂଯୋଗ କରା ଯାଇଥିଲା । ଏହି ଦୁଇ ଶିଶୁଙ୍କ ଯୋଡାମୁଣ୍ଡରେ ମାତ୍ର ଗୋଟିଏ ହିଁ ଭେନ ରହିଥିଲା ।” ତେଣୁ ସାରା ପୃଥିବୀରେ ଏହା ଅତ୍ୟନ୍ତ ବିରଳ ବୋଲ ସେ କହିଛନ୍ତି ।
କେବଳ ଏତିକି ନୁହେଁ ଏହି ଅସ୍ତ୍ରୋପଚାର ପାଇଁ, ନ୍ୟୁୟର୍କ ସ୍ଥିତ ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ ମେଡିସିନର ପେଡିଆଟ୍ରିକ ନ୍ୟୁରସର୍ଜନ ପ୍ରୋ. ଜେମ୍ସ ଟି ଗୁଡରିଚଙ୍କ ପରାମର୍ଶ ମଧ୍ୟ ନିଆ ଯାଇଥିଲା । ଯିଏକି ଏଭଳି ଦୁଇଟି ଅସ୍ତ୍ରୋପଚାର ପୂର୍ବରୁ କରି ସାରିଥିଲେ । ଗୁଡରିଚ ଏହି ବିଭାଗର ଜଣେ ବିଶେଷଜ୍ଞ ରୂପେ ଖୁବ ଲୋକପ୍ରିୟ ।


Share It

Comments are closed.