ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ


ନୂଆଦିଲ୍ଲୀ,୨୦|୮: ଦେଶର ସର୍ବୋଚ୍ଚ ନ୍ୟାୟାଳୟ’ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ଦ୍ୱାରା ଗୁଜରାଟର ଜାମନଗରଠାରେ ସ୍ଥାପନ କରାଯାଉଥିବା ଚିଡ଼ିଆଖାନା ବିରୁଦ୍ଧରେ ଦାୟର ଏକ ଜନସ୍ୱାର୍ଥ ଆବେଦନ (ପିଆଇଏଲ୍‍)କୁ ଖାରଜ କରିଦେଇଛନ୍ତି ।

ନ୍ୟାୟମୂର୍ତ୍ତି ମାନ୍ୟବର ଦିନେଶ ମହେଶ୍ୱରୀ ଏବଂ ନ୍ୟାୟମୂର୍ତ୍ତି ମାନ୍ୟବର କୃଷ୍ଣ ମୁରାରୀ ଜନସ୍ୱାର୍ଥ ଯାଚିକାକୁ ଖାରଜ କରିଦେଇ କହିଛନ୍ତି ଯେ, “ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ଏକ ଆଇନସମ୍ମତ ଏବଂ ମାନ୍ୟତା ପ୍ରାପ୍ତ ଚିଡ଼ିଆଖାନା ଏବଂ ରେସ୍‍କ୍ୟୁ ସେଣ୍ଟର । ଆମେ ଏଥିରେ ବିବାଦର କୌଣସି କାରଣ ଲକ୍ଷ୍ୟ କରୁନାହୁଁ ।” ଏଥିରେ ଅସନ୍ତୋଷ ପ୍ରକାଶ କରି ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆବେଦନକାରୀ ବିନା କୌଣସି ଠୋସ୍‍ କାରଣ ନଥାଇ ଏବଂ କେବଳ କିଛି ନ୍ୟୁଜ ରିପୋର୍ଟ ଆଧାରରେ ଏହି ଯାଚିକା ଦାଖଲ କରିଦେଇଛନ୍ତି । ଆବେଦନକାରୀ ନିଜ ସପକ୍ଷରେ ସର୍ବୋଚ୍ଚ ଅଦାଲତରେ ଠୋସ୍‍ ସାକ୍ଷ୍ୟ ପ୍ରମାଣ ଦାଖଲ କରିପାରିନାହାନ୍ତି ।

ଜନସ୍ୱାର୍ଥ ଯାଚିକାରେ ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ବିରୁଦ୍ଧରେ ଭାରତ ଏବଂ ବିଦେଶରୁ ଜୀବଜନ୍ତୁଙ୍କୁ ଆଣିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିବେଦନ କରିଥିଲେ । ଏଥିସହିତ ଏହି ଅଣ ଲାଭଜନକ ସଂଗଠନ ପରିଚାଳନା ଏବଂ ପ୍ରଶାସନ ସମ୍ପର୍କରେ ଯାଞ୍ଚ କରିବାକୁ ଏସ୍‍ଆଇଟି ଗଠନ ନିମନ୍ତେ ମଧ୍ୟ ଅଦାଲତରେ ଆବେଦନ କରିଥିଲେ । ତେବେ ଏହାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଦେଇଥିଲେ ।

ମାନ୍ୟବର ସର୍ବୋଚ୍ଚ ଅଦାଲତରେ ନିଜ ପକ୍ଷ ରଖି ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ପକ୍ଷରୁ ‘ତେନ୍ଦୁଆ ସଂରକ୍ଷଣ କେନ୍ଦ୍ର’ ଏବଂ ‘କୁମ୍ଭୀର ସଂରକ୍ଷଣ କେନ୍ଦ୍ର’ ସହିତ ନିଜ କାର୍ଯ୍ୟକଳାପର ବିଭିନ୍ନ ସଫଳତା ସମ୍ପର୍କରେ ବ୍ୟାପକ ବିବରଣୀ ଉପସ୍ଥାପନ କରିଥିଲେ । ମାନ୍ୟବର ସର୍ବୋଚ୍ଚ ଅଦାଲତ ଉକ୍ତ ସେଣ୍ଟରରେ ଜୀବଜନ୍ତୁଙ୍କ ସହାୟତା ନିମନ୍ତେ ଉପଲବ୍ଧ ଚିକିତ୍ସକ, କ୍ୟୁରେଟର, ଜୀବବିଜ୍ଞାନୀ, ପ୍ରାଣୀ ବିଜ୍ଞାନୀ ଏବଂ ଅନ୍ୟ ବିଶେଷଜ୍ଞଙ୍କ ଉପଲବ୍ଧତା ଏବଂ ତାହାର ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହିତ ଜାଣିବାକୁ ପାଇଥିଲେ ଯେ ଜୀବଜନ୍ତୁ ପରିଚାଳନା ଏବଂ ସ୍ଥାନାନ୍ତରଣ ନିମନ୍ତେ ଦିଆଯାଇଥିବା ଅନୁମତି ଏବଂ ସେ ସମ୍ପର୍କିତ ସମସ୍ତ ବିଧିବ୍ୟବସ୍ଥା ଆଇନସମ୍ମତ ଏବଂ ଅଧିକୃତ ଅଟେ ।


Share It

Comments are closed.