ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ଦିନରେ ଦେଖିବାକୁ ମିଳିଲା ତିନୋଟି ସୁପର ଓଭର


ରବିବାର କ୍ରିକେଟ୍ ପ୍ରେମୀ ଜବରଦସ୍ତ ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ କ୍ରିକେଟ୍ ଦେଖିବାକୁ ପାଇଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଥର ଗୋଟିଏ ଦିନରେ ତିନୋଟି ସୁପର ଓଭର ଦେଖିବାକୁ ମିଳିଛି। ଦିନର ପ୍ରଥମ ମ୍ୟାଚ୍‌ରେ ଗୋଟିଏ ସୁପର ଓଭର ହୋଇଥିବା ବେଳେ ମୁମ୍ବାଇ ଓ ପଞ୍ଜାବ ବିପକ୍ଷ ଦ୍ଵିତୀୟ ମ୍ୟାଚ୍‌ରେ ଦୁଇଟି ସୁପର ଓଭର ଖେଳାଯାଇଛି। ମ୍ୟାଚ୍‌ର ଫଇସଲା ପାଇଁ ଦୁଇଟି ଦୁଇଟି ସୁପର ଓଭରର ସାହାରା ନେବାକୁ ପଡିଥିଲା। ପ୍ରଥମେ ମ୍ୟାଚ୍‌ ଟାଇ ରହିବା ପରେ ସୁପର ଓଭର ଖେଳା ଯାଇଥିଲ। ଯଶପ୍ରୀତ ବୁମରା ବୋଲିଂ କରିଥିବା ସୁପର ଓଭରରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୫ ରନ କରିଥିଲା। ହେଲେ ପଞ୍ଜାବ ପକ୍ଷରୁ ସୁପର ଓଭର ଦେଇଥିବା ମହମ୍ମଦ ସାମି ରୋହିତ ଓ ଡିକକ୍‌ ଯୋଡିଙ୍କୁ ମଧ୍ୟ ୫ ରନରେ ସୀମିତ ରଖିଥିଲେ। ପ୍ରଥମ ସୁପର ଓଭର ଟାଇ ରହିବା ପରେ ଦ୍ଵିତୀୟ ସୁପର ଓଭର ଖେଳାଯାଇଥିଲା। ଦ୍ଵିତୀୟ ସୁପର ଓଭରରେ ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡ ବ୍ୟାଟିଂ କରିଥିଲେ। ମୁମ୍ବାଇ ୧୧ ରନ ସଂଗ୍ରହ କରିଥିବା ବେଳେ ପଞ୍ଜାବ ଏହି ଲକ୍ଷ୍ୟକୁ ହାସଲ କରି ଗୁରୁତ୍ଵପୂର୍ଣ୍ଣ ୨ ପଏଣ୍ଟ ହାସଲ କରିଛି। ପ୍ରଥମ ସୁପର ଓଭରରେ କିଙ୍ଗ୍ସ ଏକାଦଶ ପଞ୍ଜାବ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାକୁ ପରାସ୍ତ କରିଥିବା ବେଳେ ଦ୍ଵିତୀୟ ମ୍ୟାଚ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ମୁମ୍ଵାଇକୁ ପରାସ୍ତ କରି ଗୁରୁତ୍ଵପୂର୍ଣ୍ଣ ବିଜୟ ହାସଲ କରିଛି। ଅନ୍ୟପଟେ ପଞ୍ଜାବ ପ୍ଲେଅଫ ଦୌଡରୁ ବାଦ୍‌ ପଡୁ ପଡୁ ଅଳ୍ପକେରୁ ବର୍ତ୍ତି ଯାଇଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଡିକକ୍‌ଙ୍କ ୫୩ ରନ ଓ ପୋଲାର୍ଡଙ୍କ ଦ୍ରୁତ ୩୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୬ ରନ କରିଥିଲା। ଜବାବରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲଙ୍କ ଦମଦାର ୭୭ ରନ ଇନିଂସ ବଳରେ ୬ ଓ୍ଵିକେଟ୍ ହରାଇ ସମାନ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା।

୧୭୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା କିଙ୍ଗ୍ସ ଏକାଦଶ ପଞ୍ଜାବର ଦୁଇ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଦ୍ରୁତ ବ୍ୟାଟିଂ କରି ୩୩ ରନ ଯୋଡିଥିଲେ। ମୟଙ୍କ ଅଗ୍ରଓ୍ଵାଲ(୧୧)ଙ୍କୁ କ୍ଲିନ ବୋଲ୍ଡ କରି ବୁମରା ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଲୋକେଶ ରାହୁଲ ଓ କ୍ରିସ୍ ଗେଲ୍ ଦ୍ଵିତୀୟ ଓ୍ଵିକେଟ୍‌ ପାଇଁ ୪୨ ରନ ଯୋଡିଥିଲେ। ବିପଦଜ୍ଜନକ ସାଜି ଆସୁଥିବା ଗେଲ୍‌ଙ୍କୁ ଆଉଟ୍ କରି ରାହୁଲ ଚହର ପଞ୍ଜାବକୁ ବହୁତ ବଡ ଝଟକା ଦେଇଥିଲେ। ଗେଲ୍ ୨୧ ବଲରୁ ୧ ଚୌକା ଓ ୨ ଛକା ସହ ୨୪ ରନ କରିଥିଲେ।

ନିକୋଲାସ ପୂରନ କ୍ରିଜକୁ ଆସି ଦ୍ରୁତ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୨ ବଲରୁ ୨ ଚୌକା ଓ ୨ ଛକା ସହ ୨୪ ରନ କରିଥିଲେ। ୧୦୮ ରନ ସ୍କୋରରେ ପୁରନଙ୍କୁ ଆଉଟ୍ କରି ବୁମରା ଦଳକୁ ତୃତୀୟ ସଫଳତା ଦେଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ନିଜର ଖରାପ ଫର୍ମ ଜାରି ରଖି ଖାତା ଖୋଲିବା ପୂର୍ବରୁ ରାହୁଲ ଚହଲଙ୍କ ଶିକାର ହୋଇଥିଲେ। ଅନ୍ୟପଟେ ଦଳର ମଙ୍ଗ ଧରିଥିବା ଅଧିନାୟକ ଲୋକେଶ ରାହୁଲ ପୁଣି ଥରେ ଚିତ୍ତାକର୍ଷକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଆଇପିଏଲରେ ଏହା ତାଙ୍କର ୨୧ତମ ଅର୍ଦ୍ଧଶତକ ଥିଲା।

ବୁମରା ରାହୁଲଙ୍କୁ ଆଉଟ୍ କରି ମୁମ୍ବାଇ ପାଇଁ ବିଜୟ ଆଶା ଉଜ୍ଜୀବିତ କରିଥିଲେ। ରାହୁଲ ୫୧ ବଲରୁ ୭ ଚୌକା ଓ ୩ ଛକା ସହ ୭୭ ରନର ଦମଦାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ରାହୁଲଙ୍କ ଆଉଟ୍ ପରେ ମ୍ୟାଚ୍‌ ରୋମାଞ୍ଚକର ହେବାରେ ଲାଗିଥିଲା। ଶେଷ ଓଭରରେ ଦଳକୁ ୯ ରନ ଦରକାର ଥିଲା। ହେଲେ ପଞ୍ଜାବ ୮ ରନ କରିବାରୁ ମ୍ୟାଚ୍ ଟାଇ ରହିଥିଲା। ଦୀପକ ହୁଡ୍ଡା ୧୬ ବଲରୁ ୨୩ ରନ ଓ କ୍ରିସ୍ ଜୋର୍ଡାନ ୮ ବଲରୁ ୧୩ ରନ କରି ଅପରାଜିତ ଥିଲେ। ମୁମ୍ବାଇ ପକ୍ଷରୁ ରାହୁଲ ଚହର ୩ଟି ଏବଂ ଯଶପ୍ରୀତ ବୁମରା ୨ଟି ଓ୍ଵିକେଟ୍ ନେଇଥିଲେ।


Share It

Comments are closed.