ରାଜ୍ୟକୁ ଫେରିଲା ତାତି
କାଳବୈଶାଖୀ ଜନିତ ବର୍ଷା କାରଣରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ କମିଥିବାବେଳେ ରବିବାର ପୁଣି ପାରଦ ଉପରମୁହାଁ ହୋଇଛି। ୪୩.୫ ଡିଗ୍ରୀ ସେଳସିୟସ୍ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିପରି ୧୧ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ଟ୍ବିନସିଟି କଟକ-ଭୁବନେଶ୍ୱରରେ ତାପମାତ୍ରା ୩୭ଡିଗ୍ରୀ ଅତିକ୍ରମ କରିଛି। ରାଜଧାନୀରେ ଶନିବାର ତୁଳନାରେ ତାପମାତ୍ରା ବୃଦ୍ଧି ଘଟିଥିବାବେଳେ ଦିନ ତମାମ ଆଦ୍ରତା ୬୦%ରୁ ଅଧିକ ରହିଥିବା ହେତୁ ଗରମ ଏବଂ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଇଥିଲା। ତେବେ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୪ ଦିନରେ ଓଡ଼ିଶା ସମେତ ପୂର୍ବଭାରତର ରାଜ୍ୟ ଗୁଡିକରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇପାରେ। ଅନ୍ୟପଟେ ଆଞ୍ଚଳିକ ପାଣିପାଗବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ଜିଲାଗୁଡ଼ିକରେ ରବିବାର କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା। ସୂଚନା ଥାଉକି, କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷ ପ୍ରାକ ମୌସୁମୀ ଋତୁରେ ମାର୍ଚ୍ଚ ୧ରୁ ୧୯ ଅପ୍ରେଲ ୧୯ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ସ୍ବାଭାବିକ ବର୍ଷା ୩୮.୯ ମିମି ତୁଳନାରେ ୬୦.୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ଠାରୁ ୫୫% ଅଧିକ ବର୍ଷା ଅନୁଭୂତ ହୋଇଛି ।
Comments are closed.