*ଡଟ୍ ଫେଷ୍ଟ୍‌ର ୨ୟ ଦିନରେ ଭୁବନେଶ୍ୱରକୁ ଏକ ଆବେଗପୂର୍ଣ୍ଣ ଅନୁଭୂତି ଦେଇଛି ସୁଫି ମେଲୋଡି ନାଇଟ୍*


ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଥିବା ଡଟ୍ ଫେଷ୍ଟ୍‌ର ୨ୟ ସଂସ୍କରଣର ଦ୍ବିତୀୟ ଦିନ ୧୨,୦୦୦ରୁ ଅଧିକ ଦର୍ଶକଙ୍କ ଆଗମନର ସାକ୍ଷୀ ହୋଇଥିଲା । ପ୍ରଥମ ଦିନର ଏହି ଅତୁଳନୀୟ ସଫଳତା ପରେ ଡଟ୍ ଫେଷ୍ଟ୍‌ର ୨ୟ ଦିନରେ ଅର୍ଥାତ ଆଜି ଏକ ଭାବପୂର୍ଣ୍ଣ ସୁଫି ମେଲୋଡି ନାଇଟ୍‌ର ଆୟୋଜନ ହୋଇଥିଲା । ଏଥିରେ ହର୍ଶଦୀପ କୌର, ନବରାଜ ହଂସ, ପ୍ରିୟା ମଲିକ୍ ଓ ଦୀପ୍ତିରେଖା ପାଢୀଙ୍କ ଭଳି ଲୋକପ୍ରିୟ ଗାୟକଙ୍କ ଦ୍ୱାରା ଆକର୍ଷଣୀୟ ଆଧୁନିକ, ପାରମ୍ପରିକ ଓ ସୁଫି ପ୍ରଦର୍ଶନ ଦେଖିବାକୁ ମିଳିଥିଲା ଯାହା ଭୁବନେଶ୍ୱରବାସୀଙ୍କୁ ବିମୋହିତ କରିଛି ।

ଏଠାରେ ସବୁ ବର୍ଗର ଲୋକମାନେ ଭାରତର ୨୪ଟି ରାଜ୍ୟର ସୁସ୍ୱାଦୁ ଆଂଚଳିକ ଖାଦ୍ୟ,  ଓଡିଶାର ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟ ଏବଂ  ହକି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ୧୬ଟି ଦେଶର ଆନ୍ତର୍ଜାତୀୟ ଖାଦ୍ୟକୁ ଉପଭୋଗ କରିଥିଲେ । ସେହିପରି ନାଇଟ୍ ବଜାର / ଫ୍ଲି ମାର୍କେଟ୍ ଭୁବନେଶ୍ୱରର ଶୀତୁଆ ରାତିକୁ ଆହୁରି ଉଜ୍ଜୀବିତ କରିଥିଲା ଏବଂ ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍‌, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକମାନଙ୍କୁ ନିଜର ସାମଗ୍ରୀ ଓ କଳାର ପ୍ରଦର୍ଶନ କରିବା ପାଇଁ ଏକ ଉନ୍ନତ ମଂଚ ପ୍ରଦାନ କରିଥିଲା । ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟ ସହିତ ଆୟୋଜିତ ହୋଇଥିବା ଫ୍ଲି ମାର୍କେଟ୍ ଏକ ଉଲ୍ଲେଖନୀୟ ଜନସମାଗମକାରୀ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି । ଏହି ଫ୍ଲି ମାର୍କେଟ୍‌ରେ ୧୨୦ରୁ ଅଧିକ ସ୍ଥାନୀୟ ରୂପେ ଉତ୍ପାଦିତ ସାମଗ୍ରୀଗୁଡିକୁ ପ୍ରଦର୍ଶନ କରାଯାଇଥିଲା ଯାହା ଏହାକୁ ଲୋକମାନଙ୍କ ପାଇଁ ଏକ ସପିଙ୍ଗ୍ ଗନ୍ତବ୍ୟସ୍ଥଳୀରେ ପରିଣତ କରିଛି ।

ଡଟ୍ ଫେଷ୍ଟ୍‌ରେ ଆୟୋଜିତ ଏକ ଷ୍ଟୋରୀଟେଲିଙ୍ଗ୍ ଫେଷ୍ଟିଭାଲ ‘ଭୁଫେଷ୍ଟୋ’ରେ ସମସ୍ତ ବୟସ ବର୍ଗର ଲୋକମାନେ ଯୋଗ ଦେଇଥିଲେ । ବିଶେଷ କରି ପିଲାମାନେ ଭୁବନେଶ୍ୱରର କଳାଭୂମି, ଆଇଜି ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ ଓ ଏପିଜେ ଅବ୍‌ଦୁଲ କଲାମ୍ ପାର୍କରେ ଜାତୀୟ ଓ ଆନ୍ତର୍ଜାତୀୟ କଥାକାରମାନଙ୍କଠାରୁ କାହାଣୀ ଶୁଣିବାକୁ ପସନ୍ଦ କରିଥିଲେ । ଡଟ୍ ଫେଷ୍ଟ୍‌ର ଏକ ଅନନ୍ୟ ବିଶେଷତ୍ୱ ଥିଲା ସେବେ-ଆଉ-ଏବେ (ଦେନ୍ ଆଣ୍ଡ୍ ନାଓ) ଫଟୋ ପ୍ରଦର୍ଶନୀ ଯାହା ସ୍ୱାଧୀନର ଭାରତର ଅନ୍ୟତମ ପ୍ରଥମ ପ୍ଲାନ୍‌ଡ ସିଟି ଭୁବନେଶ୍ୱରର ଗୌରବମୟ ସହରୀ ଇତିହାସ ସମେତ ଭୁବନେଶ୍ୱର ସହରର ସ୍ୱତନ୍ତ୍ର ଭାବେ ନିର୍ମିତ ପ୍ରଥମ ଧରଣର ଟ୍ରେଲ୍‌ଗୁଡିକୁ ପ୍ରଦର୍ଶିତ କରିଥିଲା ।

ଦର୍ଶକଙ୍କ ମାନଙ୍କ ମନୋରଞ୍ଜନ ପାଇଁ ଡଟ୍ ଫେଷ୍ଟ୍‌ର ୩ୟ ଦିନରେ ପୁଣିଥରେ ସତେଜ ଓ ଆକର୍ଷଣୀୟ ଅବତାରରେ ଚମତ୍କାର ପ୍ରଦର୍ଶନଗୁଡିକୁ ଦେଖିବାକୁ ମିଳିବ । ବଲିଉଡ୍ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ଦିବ୍ୟା କୁମାର ନିଜର ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିବେ, ସେହିପରି ଲୋକପ୍ରିୟ ଗାୟିକା ନୀତି ମୋହନ, ଓଡିଆ ଗାୟକ ପ୍ରଜ୍ଞା ହୋତା  ରୋମାଂଚକର ପ୍ରଦର୍ଶନ ଦେବେ । ଏହି ୧୫ ଦିନିଆ ମହୋତ୍ସବ ପ୍ରତିଦିନ ସନ୍ଧ୍ୟା ୫ଟାରୁ ଆରମ୍ଭ ହେଉଛି ଏବଂ ମଧ୍ୟରାତ୍ରିରେ ଶେଷ ହେଉଛି ।


Share It

Comments are closed.