ଇସ୍ପାତ୍ ଶିଳ୍ପକୁ ରପ୍ତାନୀ କେନ୍ଦ୍ରିକ କରିବା ଉପରେ ଗୁରୁତ୍ୱାରୋପ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତକୁ ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ଦେଶ ଭିତିଭୂମିର ବିକାଶ ଏକମାତ୍ର ଚାବିକାଠୀ । ଏକବିଂଶ ଶତାବ୍ଦୀରେ ଭାରତର ଅତ୍ୟାଧୁନିକ ଭିତିଭୂମି ନିର୍ମାଣ କରିବା ପାଇଁ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶୁକ୍ରବାର ଇଣ୍ଡିଆନ ଷ୍ଟିଲ ଆସୋସିଏସନ(ଆଇଏସଏ) ପକ୍ଷରୁ ଆୟୋଜିତ ୱେବନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଏହି ଅବସରରେ ଇସ୍ପାତ୍ ଶିଳ୍ପକୁ ରପ୍ତାନୀ କେନ୍ଦ୍ରିକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ ।
‘ଇସ୍ପାତ ନିର୍ମାଣ ଏବଂ ଭିତିଭୂମି ପାଇଁ ନୂଆ ସୁଯୋଗ’ ଶୀର୍ଷକ ଆଲୋଚନା ଚକ୍ରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଭିଡ୍‌-୧୯ ଆମ ପାଇଁ ଚ୍ୟାଲେଞ୍ଜ୍ ଆଣିଥିବା ବେଳେ ଭାରତ ଏହାକୁ ସୁଯୋଗରେ ପରିଣତ କରିଛି । ରାସ୍ତା, ରେଳ, ଘର ନିର୍ମାଣ ହେଉ କିମ୍ବା ତୈଳ ଓ ଗ୍ୟାସ ଭିତିଭୂମିକୁ ଅଧିକ ମଜବୁତ୍ କରାଯାଇଛି । ଆତ୍ମନିର୍ଭର ଭାରତରେ ୨୦ ଲକ୍ଷ କୋଟିର ପ୍ୟାକେଜ୍ ଦେଶର ସାମଗ୍ରିକ ଭିତିଭୂମିକୁ ସୁଦୃଢ଼ କରିବା ସହ ଇସ୍ପାତ୍ କ୍ଷେତ୍ର ପାଇଁ ନୂଆ ସୁଯୋଗ ଆଣିଦେଇଛି ।
ଦେଶରେ କରୋନା ଟୀକା ପ୍ରସ୍ତୁତି ହେବା ଭାରତର ଆଉ ଏକ ପ୍ରତିଭାର ଉଦାହରଣ । ବୃହତ ଘରୋଇ ବଜାର ଏବଂ ବିଭିନ୍ନ ରପ୍ତାନୀ ସମ୍ଭାବନା ସହ ଆମର ଇସ୍ପାତ କ୍ଷେତ୍ର ଅଧିକ ଅଭିବୃଦ୍ଧି, ବିଶ୍ୱ ପ୍ରତିଯୋଗୀତା ଏବଂ ରପ୍ତାନୀ କେନ୍ଦ୍ରିକ ହୋଇପାରିବ । ଏହାସହ ଦେଶରେ ଅଧିକ ଇସ୍ପାତର ବ୍ୟବହାର ଦ୍ୱାରା ସମାଜକୁ ବୃହତ ଭାବରେ ଶକ୍ତି ପ୍ରଦାନ କରାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.