ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ନଭେମ୍ବର ୧୦ରେ ଭିସୁଟ୍‌, ବୁର୍ଲାରେ ପହଂଚିବ


ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଚଳିତ ମାସ ୧୦ ତାରିଖରେ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ୍‌), ବୁର୍ଲାରେ ପହଂଚିବ । ସେଠାରେ ଏକ ବୁଟ୍‌କ୍ୟାମ୍ପ୍ ଆୟୋଜନ କରାଯିବ ଯେଉଁଥିରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମ୍‌କାର୍ ରାଏ ଅନ୍ୟ କିଛି ଅଧିକାରୀମାନଙ୍କ ସମେତ ଯୋଗ ଦେବେ । ରାଜ୍ୟର ଉନ୍ନତ ଷ୍ଟାର୍ଟଅପ୍ ପରିବେଶ ବିଷୟରେ ସେ ସୂଚନା ପ୍ରଦାନ କରିବେ ଏବଂ ଭିସୁଟ୍‌ରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବେ । ଏଥି ସହିତ ଚଳିତ ମାସ ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୨ ପାଇଁ ଅବଗତ କରାଇବେ ତଥା ଷ୍ଟାର୍ଟଅପ୍ ଓଡ଼ିଶା ଅଭିଯାନ ବିଷୟରେ ସୂଚନା ପ୍ରଦାନ କରିବେ ।

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶେଷ ଭାବେ ଗ୍ରହଣୀୟ ହୋଇଛି । ବର୍ତମାନ ସୁ୍‌ଦ୍ଧା ଏହି ଯାତ୍ରା ୯୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିଛି ଏବଂ ୧୫୦୦ରୁ ଅଧିକ ଅଭିନବ ଚିନ୍ତାଧାରା ସଂଗ୍ରହ କରିପାରିଛି । ୧୦୦ରୁ ଅଧିକ ଭ୍ୟାନ୍ ଅଭିଯାନ ଆୟୋଜନ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ଓ ତୃଣମୂଳ ସ୍ତରରେ ଥିବା ନବସୃଜନକାରୀଙ୍କଠାରୁ ଅଭିନବ ଚିନ୍ତାଧାରା ସଂଗ୍ରହ କରିବା ଲାଗି ବୁଟ୍‌କ୍ୟାମ୍ପ୍ ଜୋରସୋରରେ ଜାରି ରହିଛି । ଏହି ଯାତ୍ରାରେ ସଂଗ୍ରହ କରାଯାଇଥିବା ଚିନ୍ତାଧାରା ମଧ୍ୟରୁ ୪୦-୫୦% ମହିଳାମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଛି । କନ୍ଧମାଳ, କୋରାପୁଟ, ନୟାଗଡ଼, କଳାହାଣ୍ଡି ଓ ଜୟପୁର ଭଳି ସ୍ଥାନରୁ ମଧ୍ୟ ବହୁତ ସୁନ୍ଦର ସୁନ୍ଦର ଚିନ୍ତାଧାରା ଆସିପାରିଛି । ଏହି ଯାତ୍ରା ରାଜ୍ୟରେ ଉଦ୍ୟୋଗୀ ଭାବକୁ ଏକ ନୂଆ ଉତ୍ସାହ ପ୍ରଦାନ କରିଛି । ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରାରେ ଭ୍ୟାନ୍ ଅଭିଯାନ, ଆଇଡିଆ ପିଚିଂ ଏବଂ ବୁଟ୍‌କ୍ୟାମ୍ପ୍ ଆୟୋଜନ କରାଯାଉଛି ।

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରାରେ ଭାଗ ନେଉଥିବା ଛାତ୍ରଛାତ୍ରୀ ଏବଂ ନବସୃଜନକାରୀମାନେ ବାସ୍ତବ ଦୁନିଆରେ ଦେଖାଦେଉଥିବା ସମସ୍ୟାର ସମାଧାନ କରିବା ଲାଗି ସେମାନଙ୍କ ଅଭିନବ ଚିନ୍ତାଧାରାକୁ ଉପସ୍ଥାପନ କରୁଛନ୍ତି ଏବଂ ପରବର୍ତୀ ପିଢ଼ିର ଉଦ୍ୟୋଗୀ ହେବା ଲାଗି ନିଜର ସ୍ୱପ୍ନକୁ ସାକାର କରିବା ଲାଗି ଉଦ୍ୟମ କରୁଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୨ ଆୟୋଜନ କରୁଛନ୍ତି ଯେଉଁଠାରେ ଷ୍ଟାର୍ଟଅପ୍‌କୁ ନେଇ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ଷ୍ଟାର୍ଟଅପ୍ କ୍ଷେତ୍ରକୁ ପୁଂଜିନିବେଶ ଆଣିବା ଲାଗି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୨ ଅନୁଷ୍ଠିତ ହେବା ପୂର୍ବରୁ ଷ୍ଟାର୍ଟଅପ୍ ଓଡ଼ିଶାର ଏହି ଯାତ୍ରାକୁ ଆୟୋଜନ କରାଯାଉଛି ।


Share It

Comments are closed.