ଶ୍ରୀଲଙ୍କାରେ ପୁଣି ଆତଙ୍କୀ ହାମଲା, ୧୫ ମୃତ


ଶ୍ରୀଲଙ୍କାରେ ଆତଙ୍କବାଦୀ ବିସ୍ଫୋରଣର ଗୋଟିଏ ସପ୍ତାହ ନପୁରୁଣୁ ଆଉ ଏକ ବିସ୍ଫୋରଣ ଘଟି ୬ ଜଣ ପିଲାଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଶ୍ରୀଲଙ୍କା ପୁଲିସ ଚାରି ଜଣ ଆଇଏସ୍ଆଇଏସ୍ ଆତ୍ମଘାତୀ ଆତଙ୍କବାଦୀ ଏହି କାଣ୍ଡ ଘଟାଇଥିବା ପ୍ରକାଶ କରିଛି । ମୃତକଙ୍କ ମଧ୍ୟରେ ରହିଛନ୍ତି, ୬ ପୁରୁଷ, ୩ ମହିଳା ଓ ୬ ପିଲା ।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଶ୍ରୀଲଙ୍କାରେ ୩ଟି ସିରିଏଲ୍ ବୋମା ବିସ୍ଫୋରଣ ଘଟି ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ସହିତ ୫୦୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଥିଲେ । ଏହି ସିରିଏଲ୍ ବିସ୍ଫୋରଣ ପରେ ଶ୍ରୀଲଙ୍କା ପୁଲିସର ସର୍ଚ୍ଚ ଅପରେସନ୍ ଜୋର୍ଦାର ଭାବେ ଜାରି ରହିଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା ୭୫ରୁ ଅଧିକ ଆତଙ୍କୀ ମଧ୍ୟ ଗିରଫ ହୋଇସାରିଛନ୍ତି । କିନ୍ତୁ ଶୁକ୍ରବାର (ଗତକାଲି) ସନ୍ଧ୍ୟାରେ ଶ୍ରୀଲଙ୍କାର ପୂର୍ବାଞ୍ଚଳରେ କିଛି ଆତଙ୍କୀଙ୍କ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିବା ପରେ ସେମାନେ ଆତ୍ମଘାତୀ ବୋମା ଦ୍ୱାରା ନିଜକୁ ଉଡ଼ାଇ ଦେଇଥିଲେ । ଏଥିରେ ସେମାନଙ୍କ ସହିତ ୧୫ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ଘଟଣାସ୍ଥଳରୁ ପୁଲିସ୍ ଏକ ଡ୍ରୋନ୍ ସହିତ ଇସ୍ଲାମିକ୍ ଷ୍ଟେଟ୍ ଲୋଗୋ ଥିବା ଏକ ବ୍ୟାନର ଜବତ କରିଛି ।


Share It

Comments are closed.