ଟି-୨୦ରେ ଭାରତ ପାଇଁ ନୂଆ ଇତିହାସ ରଚିବେ ଚହଲ


ଭାରତୀୟ ଦଳର ଲେଗ ସ୍ପିନର ୟୁଜବିନ୍ଦ୍ର ଚହଲ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ଖାସ ରେକର୍ଡ ନିଜ ନାମରେ କରିପାରନ୍ତି । କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଚହଲ ଭାରତ ପାଇଁ ୫୨ଟି ୱିକେଟ ହାସଲ କରିନେଇଥିବାବେଳେ ସେ ଏହି କ୍ରମରେ ଭାରତୀୟ ଦଳର ଅନ୍ୟତମ ସଫଳ ବୋଲର ଅଶ୍ୱିନୀଙ୍କ ସମକକ୍ଷ ହୋଇଯାଇଛନ୍ତି । ଅଶ୍ୱିନୀଙ୍କ ଏହି ଫର୍ମାଟରେ ୫୨ଟି ୱିକେଟ ହାସଲ କରିଥିବାବେଳେ ଚହଲ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ ।
ଚହଲ ପୂର୍ବ ମ୍ୟାଚରେ ୨ଟି ୱିକେଟ ନେଇଥିବାବେଳେ ସେ ସିମରୋନ ହିଟମାୟର ଏବଂ ପୋଲାର୍ଡ ୱିକେଟ ସଂଗ୍ରହ କରି ଅଶ୍ୱିନୀଙ୍କ ସହ ସମକକ୍ଷ ହୋଇଥିଲେ । ଟି-୨୦ରେ ଭାରତ ପାଇଁ ସବୁଠାରୁ ଅଧିକ ୱିକେଟ ସଂଗ୍ରହ କରିବାର ରେକର୍ଡ ଅଶ୍ୱିନୀଙ୍କ ନାମରେ ଥିବା ବେଳେ ବର୍ତ୍ତମାନ ଚହଲ ତାଙ୍କ ସମକକ୍ଷ ହୋଇଯାଇଛନ୍ତି । ଅଶ୍ୱିନୀ ଟି-୨୦ରେ ୪୬ଟି ମ୍ୟାଚ ଖେଳି ୫୨ଟି ୱିକେଟ ହାସଲ କରିଥିବାବେଳେ ଚହଲ ମାତ୍ର ୩୫ଟି ମ୍ୟାଚ ଖେଳି ଏହି ରେକର୍ଡ ହାସଲ କରିଛନ୍ତି । ସେହିଭଳି ଏହି କ୍ରମରେ ତୃତୀୟ ସ୍ଥାନରେ ବୁମାର ରହିଛନ୍ତି, ଯିଏକି ୪୨ଟି ମ୍ୟାଚରେ ୫୧ଟି ୱିକେଟ ସଂଗ୍ରହ କରିଛନ୍ତି ।


Share It

Comments are closed.