କୋଲକତା ଡାକ୍ଟର ଦୁଷ୍କର୍ମ ଏବଂ ହତ୍ୟା ମାମଲାର ତଦନ୍ତଭାର ହାତକୁ ସିବିଆଇ


କୋଲକତାର ଆରଜି କର ମେଡିକାଲ୍‍ କଲେଜରେ ଜଣେ ଶିକ୍ଷାନବୀଶ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ଗ୍ରହଣ କରିଛି। ହାଇକୋର୍ଟଙ୍କ ଆଦେଶର ଅଳ୍ପ କିଛି ଘଣ୍ଟା ଭିତରେ ଏହି ଦାୟିତ୍ୱ ନେଇ ତଦନ୍ତ ଆରମ୍ଭ କରିଛି ସିବିଆଇ। ଦାୟିତ୍ୱ ନେବା ପରେ ସେ ରାଜ୍ୟ ପୁଲିସ ପାଖରେ ଦାୟର ହୋଇଥିବା ଏତଲାକୁ ପୁଣିଥରେ  ଦାୟର କରିଛି। ଆଜି ଏହିକ୍ରମରେ ଏକ ତଦନ୍ତକାରୀ ଦଳ କୋଲକତା ଗସ୍ତରେ ଆସିଛନ୍ତି। ଏଥିରେ ଏକ ଫୋରେନ୍ସିକ ଦଳ ସମେତ, ମେଡିକାଲ୍‍ ଅଧିକାରୀ ଓ ଅନ୍ୟ କର୍ମଚାରୀ ରହିଛନ୍ତି। ଏ ସମସ୍ତେ ଦିଲ୍ଲୀରୁ କୋଲକତା ଗସ୍ତ କରିଛନ୍ତି।

ସିବିଆଇ ପକ୍ଷରୁ ପୋଷ୍ଟମର୍ଟମ ରିପୋର୍ଟ ପରୀକ୍ଷା କରାଯାଇପାରେ। ଏହାର ଭିଡିଓଗ୍ରାଫିକୁ ବି ଯାଞ୍ଚ କରିପାରେ ସିବିଆଇ। ଏହାଛଡ଼ା ଯେଉଁଠାରେଅପରାଧ ଘଟିଛି ସେ ସ୍ଥାନକୁ ଯାଇ ଅପରାଧ ଘଟଣା କିପରି ଘଟିଛି ତାହାକୁ ଅନୁଧ୍ୟାନ କରିପାରେ। ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ ମୃତ ଶରୀରକୁ ସେମିନାର ହଲ୍‍ରେ ଗତ ଶୁକ୍ରବାରଦିନ ଉଦ୍ଧାର କରାଯାଇଥିଲା। ତାଙ୍କ ଦେହରେ କ୍ଷତ ଥିଲା। ଏହା ଏକ ହତ୍ୟା ଓ ଦୁଷ୍କର୍ମ ଘଟଣା ବୋଲି ଅଭିଯୋଗ ହୋଇଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଏହାକୁ ନେଇ ଗମ୍ଭୀରତା ପ୍ରଦର୍ଶନ କରି ନଥିଲେ।

ଏହଫଳରେ  ଦେଶ ସାରା ଡାକ୍ତର ଆନ୍ଦୋଳନ ଦେଖାଦେଇଥିଲା।  କୋଲକତା ହାଇକୋର୍ଟ ଏ ବାବଦରେ ଶୁଣାଣି କରି ସିବିଆଇକୁ ମାମଲା ହସ୍ତାନ୍ତର ପାଇଁ ଆଦେଶ ଦେଇଥିଲେ।  ତତ୍‍କାଳୀନ କଲେଜ ଅଧ୍ୟକ୍ଷ ଡ. ସନ୍ଦୀପ ଘୋଷଙ୍କୁ ଏ ମାମଲାରେ କ୍ରିୟାଶୀଳ ହୋଇ ନଥିବା ନେଇ କୋର୍ଟ ଭର୍ତ୍ସନା କରିଥିଲେ। ସେ ସୋଶାଲ ମିଡିଆରେ ତାଙ୍କ ଉପରେ ହେଉଥିବା ଆରୋପକୁ ନେଇ ନିଜର ମତ ପ୍ରକାଶ କରିଥିଲେ। ଏହାକୁ ଆଧାର କରି ସେ ଇସ୍ତଫା ବି ଦେଇଥିଲେ। କିନ୍ତୁ ତାଙ୍କୁ ଅନ୍ୟ ଏକ ମେଡିକାଲ କଲେଜରେ ନିଯୁକ୍ତି ଦିଆଯାଇଥିଲା। ଏହାକୁ ନେଇ କୋର୍ଟ ନିଜର ଶୁଣାଣିରେ ସାମିଲ କରି ତାଙ୍କୁ ସବୁ ପ୍ରକାର ଦାୟିତ୍ୱରୁ ଅବ୍ୟାହତି ଦେଇ ଛୁଟି ଦେବା ଲାଗି ଆଦେଶ ଦେଇଛନ୍ତି।


Share It

Comments are closed.