୨୫ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକା ଦେବା ପାଇଁ ସରକାରଙ୍କୁ ଅନୁରୋଧ କଲେ ସୋନୁସୁଦ


ଦେଶରେ କରୋନା ସ୍ଥିତି ଭୟାବହ ହୋଇଛି। ଅନେକ ରାଜ୍ୟର ସ୍ଥିତି ଗମ୍ଭୀର ରହିଛି। ମୁମ୍ବାଇ ଓ ଦିଲ୍ଲୀରେ କରୋନା ବେକାବୁ ହୋଇଛି। ଲଗାତାର କରୋନା ମାମଲା ବୃଦ୍ଧି ପାଉଥିବା ଦେଖି ରାଜ୍ୟ ସରକାର କରୋନା ନିୟମ କଡାକଡି କରିବା ଆରମ୍ଭ କରିଛନ୍ତି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ଦେଶରେ ଟୀକାକରଣ ଚାଲିଛି କିନ୍ତୁ ବର୍ତ୍ତମାନ କେବଳ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି। ଲଗାତାର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା ସୋନୁ ସୁଦ ସରକାରଙ୍କୁ ଅପିଲ କରିଛନ୍ତି ଯେ ୨୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଶୀଘ୍ର କରୋନା ଟିକା ଦିଆଯାଉ।

ଅଭିନେତା ସୋନୁ ସୁଦ ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ମୁଁ ଅପିଲ କରୁଛି ଯେ ୨୫ ବର୍ଷ ଓ ତାଠାରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଟିକା ଦିଆଯାଉ। ଯେଉଁଭଳି ଭାବେ ମାମଲା ବୃଦ୍ଧି ପାଉଛି ଏବଂ ଛୋଟ ଛୋଟ ପିଲା ବି ସଂକ୍ରମିତ ହେଉଛନ୍ତି, ବର୍ତ୍ତମାନ ସମୟ ଆସିଗଲାଣି ୨୫ ବର୍ଷ ଉପରକୁ ଟିକା ଦେବାକୁ ଘୋଷଣା କରିଦିଅନ୍ତୁ। ଯୁବପିଢ଼ି ଅଧିକ ସଂକ୍ରମିତ ହେଉଛନ୍ତି।


ସୋନୁ ସୁଦ ନିକଟରେ ପଞ୍ଜାବ ଅମୃତସର ହସ୍ପିଟାଲରେ କରୋନା ଟିକା ନେଇଛନ୍ତି। ଏନେଇ ସେ ଟ୍ୱିଟରରେ ସୂଚନା ଦେଇଥିଲେ। ସେ ଟ୍ୱିଟ୍ କରି କହିଥିଲେ ଯେ, “ମୁଁ କରୋନା ଟିକା ନେଇଛନ୍ତି ଏବଂ ଦେଶ ବି ଟିକା ନେଉ। ଆଜିଠାରୁ ଆମେ ଦେଶର ସବୁଠାରୁ ବଡ ଟିକାକରଣ ଅଭିଯାନ ‘ସଞ୍ଜିବନୀ’ ଅଭିଯାନ ଆରମ୍ଭ କରିଛୁ। ଏହି ଅଭିଯାନ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଏବଂ ଟିକା ନେବାକୁ ପ୍ରେରିତ କରିବ।”


Share It

Comments are closed.