ରାଜସ୍ଥାନ ଭ୍ରମଣରେ ବୁଲନ୍ତୁ କେତୋଟି ଦୁର୍ଗ


ଚିତ୍ତୋରଗଡ଼ ଦୁର୍ଗ

ଚିତ୍ତୋରଗଡ଼ ଦୁର୍ଗକୁ ଭାରତର ବୃହତ୍ତମ ଦୁର୍ଗ କୁହାଯାଏ । ଏହା ୭୦୦ ଏକର ଜାଗା ଦ୍ୱାରା ପରିବେଷ୍ଟିତ ଓ ୧୮୦ ମିଟର୍ ଉଚ୍ଚ ପାହାଡ଼ ଉପରେ ଅବସ୍ଥିତ । ଏହା ୨୨ଟି ଜଳାଶୟ, ପ୍ରାସାଦ, ମନ୍ଦିର ଆଦି ଧାରଣ କରିଛି । ତେଣୁ ଏହାକୁ ଜଳ ଦୁର୍ଗ ବୋଲି ମଧ୍ୟ କୁହାଯାଏ । ଏହି ଦୁର୍ଗ ପଛରେ ରାଣୀ ପଦ୍ମିନୀଙ୍କ ଏକ କାହାଣୀ ରହିଛି । ୧୩୦୩ ଖ୍ରୀଷ୍ଟାବ୍ଦୀରେ ଆଲ୍ଲାଉଦ୍ଦୀନ ଖିଲ୍ଜୀ ଏହି ଦୁର୍ଗ ଉପରେ ଆକ୍ରମଣ କରିଥିଲେ । ରାଣୀ ପଦ୍ମିନୀ ଓ ଦୁର୍ଗର ଅନ୍ୟ ମହିଳାମାନେ ଶତୃ ନିକଟରେ ଆତ୍ମସମର୍ପଣ ନକରି ଏହିଠାରେ ଚିତାରେ ଝାସ ଦେଇଥିଲେ । ଏହାକୁ ଜୌହାର କୁହାଯାଏ । ଏହି ବିଶାଳ ଦୁର୍ଗର ସୃଷ୍ଟି ମହାଭାରତରୁ ହୋଇଥିଲା । ରାଜପୁତମାନେ ରାଣୀଙ୍କର ଏହି ଅଭୂତପୂର୍ବ ମହନୀୟତା ଓ ଉତ୍ସର୍ଗତାକୁ ଉଦ୍ଜୀବୀତ ରଖିବା ପାଇଁ ପ୍ରତିବର୍ଷ ଏଠାରେ ଜୌହାର ମେଳା ପାଳନ କରିଥାଆନ୍ତି ।

ଆମେର ଦୁର୍ଗ

ଏହି ଦୁର୍ଗ ରାଜସ୍ଥାନର ଜୟପୁରଠାରେ ଅବସ୍ଥିତ । ଏହି ଦୁର୍ଗ ରାଜା ମାନ ସିଂହଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏଥିରେ ଆପଣ ଚମତ୍କାର କଳାକୃତି ଦେଖିବାକୁ ପାଇବେ । ଏହି ପ୍ରାସାଦ ବିଭିନ୍ନ ଦର୍ଶନୀୟ କୋଠରୀମାନଙ୍କୁ ଧରଣ କରିଛି । ଏଠାରେ ଆକର୍ଷଣୀୟ ଚିତ୍ରକଳାକୃତି ଗଣେଶ ସ୍ତମ୍ଭ ରାଜା ଜୟ ସିଂହଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏଥିରେ ଆପଣ ରାଜପୁତ୍ ଓ ମୋଗଲଙ୍କ ସମ୍ମିଶ୍ରଣ ଦେଖିବାକୁ ପାଇବେ ।

ଜୈସାଲ୍ମେର୍ ଦୁର୍ଗ

ଜୈସାଲ୍ମେର୍ ଦୁର୍ଗ ଗୋଲ୍ଡେନ୍ ସିଟି ବା ସ୍ୱର୍ଣ୍ଣ ସହର ନାଲରେ ମଧ୍ୟ ଜଣାଶୁଣା । ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ । ଏଠାରେ ଆପଣ ଅନେକ ମନ୍ଦିର, ହାଭେଳୀ, ରେଷ୍ଟୁରାଣ୍ଟ, ଦୋକାନ ଆଦି ଦେଖିବାକୁ ପାଇବେ । ଏଠାକାର ଜଟିଳ ଭାବେ ଖୋଦିତ ହୋଇଥିବା କବାଟ ଓ ଝରକା ଫ୍ରେମ୍ ଆପଣଙ୍କୁ ଆସ୍ଚର୍ଯ୍ୟାନ୍ୱିତ କରିବ । ଏହାକୁ ସମ୍ପୂର୍ଣ୍ଣ ଭ୍ରମଣ କରିବା ପାଇଁ ଆପଣଙ୍କୁ ଅନେକ ସମୟ ଲାଗିଯିବ ।

ମେହରଙ୍ଗଡ଼ ଦୁର୍ଗ

ଏହି ଦୁର୍ଗ ଯୋଦ୍ଧପୁରଠାରେ ଅବସ୍ଥିତ । ଏହା ୧୪୬୦ରେ ରାଓ ଯୋଦ୍ଧାଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହି ଦୁର୍ଗ ସହରଠାରୁ ୧୨୫ମିଟର ଉଚ୍ଚରେ ଅବସ୍ଥିତ । ଏହାର ପ୍ରବେଶସ୍ଥଳୀରେ ଆପଣଙ୍କୁ ଲୋକସଂଗୀତ ଦ୍ୱାରା ସ୍ୱାଗତ କରାଯିବ । ଏହାର ଉପରକୁ ଯାଇ ଆପଣ ସମସ୍ତ ଯୋଦ୍ଧପୁରର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଏଠାରେ ଏକ ସଂଗ୍ରହାଳୟ, ରେଷ୍ଟୁରାଣ୍ଟ, କ୍ରାଫ୍ଟ ବଜାର ଆଦି ଉପଲବ୍ଧ । ଏଠାରେ ଥିବା ସଂଗ୍ରହାଳୟ ରାଜସ୍ଥାନର ଲୋକପ୍ରିୟ ସଂଗ୍ରହାଳୟ ମଧ୍ୟରୁ ଗୋଟିଏ । ଏହି ସଂଗ୍ରହାଳୟରେ ଆପଣ ପୂର୍ବରୁ ଯୁଦ୍ଧରେ ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ର, ବେଶବୁଶା, ଚିତ୍ରକଳା ଆଦି ଦେଖିବାକୁ ପାଇବେ ।


Share It

Comments are closed.