ମନସ୍କାମନା ପୂରଣ କରିବା ପାଇଁ କିପରି କରିବେ ଶିବଙ୍କୁ ସନ୍ତୁଷ୍ଟ, ଜାଣନ୍ତୁ ଉପାୟ


ଶିବରାତ୍ରିକୁ ନେଇ ହିନ୍ଦୁ ପୁରାଣରେ ବହୁ ପ୍ରକାରର ବିଶ୍ୱାସ ରହିଛି । ଏକ ବିଶ୍ୱାସ ଅନୁଯାୟୀ ମା ପାର୍ବତୀ ଶିବଙ୍କୁ ବିବାହ ପାଇଁ ଶିବ ଚତୁଦର୍ଶୀଦିନ ପ୍ରସନ୍ନ କରିପାରିଥିଲେ । ତେଣୁ ବହୁ ମହିଳା ଏବଂ ପୁରୁଷ ମନଲାଖି ବରପାତ୍ର ଏବଂ କନ୍ୟା ପାଇବା ପାଇଁ ୧୬ ସୋମବାର ବ୍ରତ ଏବଂ ମହାଶିବରାତ୍ରି ତଥା ଜାଗର ଓଷା କରିଥାନ୍ତି । ଅନ୍ୟ ଏକ ପୁରାଣ କଥା ଅନୁସାରେ ଭଗବାନ ଶିବଙ୍କର ନୀଳକଣ୍ଠ ନାମକରଣ ଏହି ଦିନ କରାଯାଇଥିଲା । ସମୁଦ୍ର ମନ୍ଥନ ସମୟରେ ନୀଳ ବିଷ ଗରଳକୁ ଭଗବାନ ଶିବ ପିଇଥିଲେ । ବିଷର ପ୍ରଭାବ ଦ୍ୱାରା ସେ ସଂଜ୍ଞାହୀନ ହୋଇଯିବାରୁ ତାଙ୍କର ସଂଜ୍ଞା ଫେରିବା ପାଇଁ ଦେବଗଣ ଓ ଶୈବଗଣ ଦ୍ୱୀପ ପ୍ରଜ୍ୱଳନ କରି ଉଜାଗର ରହିଥିଲେ । ତେଣୁ ଏହି ଦିନକୁ ଜାଗର ମଧ୍ୟ କୁହାଯାଏ । ଶିବରାତ୍ରି ଦିନ ଶିବଙ୍କୁ ପୂଜା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଶିବ ଲିଙ୍ଗକୁ ପୂଜା କରିବା ଦ୍ୱାରା ମଧ୍ୟ ବହୁ ରିଷ୍ଟ ଖଣ୍ଡନ ହୋଇଥାଏ । ଓଁ ନମଃ ଶିବାୟ ମନ୍ତ୍ର ଜପ ଦ୍ୱାରା ସମସ୍ତ ବିପଦ ଆପଦ ଦୂରେଇ ଯାଇଥାଏ । ଏହି ଶିବରାତ୍ରି ବ୍ରତ ପାଳନ କରୁଥିବା ବ୍ୟକ୍ତି ତଥା ଉଭୟ ପୁରୁଷ ଏବଂ ମହିଳାମାନେ ଉପବାସ ମଧ୍ୟ କରିଥାନ୍ତି । ରାତ୍ରିଭରି ଉଜାଗର ରହି ଦ୍ୱୀପ ମଧ୍ୟ ପ୍ରଜ୍ୱଳନ କରିଥାନ୍ତି । ଭଗବାନ ଭୋଳା ବାବା ଏହି ଶିବରାତ୍ରିରେ ମଧ୍ୟ କୌଣସି ସ୍ୱତନ୍ତ୍ର ସାଜସଜ୍ଜା ହୋଇନଥାନ୍ତି । ତାଙ୍କୁ ବେଲ ପତ୍ର, ଖିର, ମହୁ ଇତ୍ୟାଦିରେ ପୂଜା କରାଯାଇଥାଏ ।
ଆସନ୍ତୁ ଜାଣିବା କିପରି କରିବେ ଭଗବାନ ଶିବଙ୍କୁ ପ୍ରସନ୍ନ –
୧. ସକାଳୁ ଗାଧୋଇ ସୂଚୀ ବସ୍ତ୍ର ପିନ୍ଧି ଶିବ ମନ୍ଦିରକୁ ପ୍ରସାଦ ଏବଂ ଦ୍ୱୀପ ନେଇ ଯାଆନ୍ତୁ । ମନ୍ଦିରମାନଙ୍କରେ ଏହି ପୂଜା ଦିନଭରି ଚାଲିଥାଏ ଏବଂ ରାତିଭରି ଚାଲିଥାଏ । ରାତିରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଆପଣ ଉପବାସ ରହିପାରିବେ ।
୨. ଏହି ଦିନ ମହାଦେବଙ୍କୁ ଆପଣ ଦୁଦୁରା, ଅରଖ, ବେଲପତ୍ର ଇତ୍ୟାଦି ପ୍ରଦାନ କରନ୍ତୁ । ବିଭିନ୍ନ ପ୍ରକାରର ଫଳ ମଧ୍ୟ ପୂଜା ସାମଗ୍ରୀରେ ନିଅନ୍ତୁ । ଏକ ଘିଅ ଦ୍ୱୀପ ଭଗବାନଙ୍କ ଚରଣରେ ସମର୍ପଣ କରନ୍ତୁ ।
୩. ସମଗ୍ର ରାତି ଉଜାଗର ରହିଲେ ଭଗବାନ ଶିବଙ୍କର ଆଶିଷ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
୪. ଭଗବାନ ଶିବଙ୍କର ନାମ ଜପ କରିବା ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । ଏହା ଦ୍ୱାରା ଘରେ ସୁଖ ଶାନ୍ତିର ସମ୍ଭାର ହେବା ସହିତ ସୁଫଳ ମିଳିଥାଏ ।
୫. ଭଗବାନ ଶିବଙ୍କୁ ଗାଧୋଇବା ପାଇଁ ଖିର, ଦହି, ମହୁ, ଲହୁଣି ଏବଂ ବେଲ ପତ୍ର ଇତ୍ୟାଦିର ବ୍ୟବହାର ନିଶ୍ଚିନ୍ତଭାବେ କରନ୍ତୁ । ଏହା ଦ୍ୱାରା ଶିବ ଭଗବାନ ପ୍ରସନ୍ନ ହୋଇ ଶୁଭ ଫଳ ପ୍ରଦାନ କରିଥାନ୍ତି ।


Share It

Comments are closed.