ଏଭଳି ସ୍ଥାନ ଯେଉଁଠାରେ ପଶୁମାନେ ମଧ୍ୟ କରିଥାନ୍ତି ରକ୍ତଦାନ


ମଣିଷଙ୍କ ପାଇଁ ବ୍ଳଡବ୍ୟାଙ୍କ ରହିବା ସାଧାରଣ କଥା କିନ୍ତୁ କଣ ଆପଣ କେବେ ପଶୁମାନଙ୍କର ବ୍ଲଡବ୍ୟାଙ୍କ ବିଷୟରେ ଶୁଣିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଯେ ଦୁନିଆରେ ଏମିତି ଅନେକ ‘ପେଟ ବ୍ଲଡବ୍ୟାଙ୍କ’ ରହିଛି । ଏହି ବ୍ଲଡବ୍ୟାଙ୍କରେ ମୁଖ୍ୟତଃ ବିଲେଇ ଏବଂ କୁକୁର ମାନଙ୍କର ରକ୍ତ ମିଳିଥାଏ । ଯେତେବେଳ କୌଣସି କୁକୁର କିମ୍ବା ବିଲେଇକୁ ରକ୍ତର ଆବଶ୍ୟକ ହୋଇଥାଏ ସେତେବେଳେ ଏହି ବ୍ଳଡବ୍ୟାଙ୍କ ହିଁ ସେମାନଙ୍କ କାମରେ ଆସିଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଣିଷଙ୍କ ଭଳି କୁକୁର ଏବଂ ବିଲେଇମାନଙ୍କର ମଧ୍ୟ ଅଲଗା ଅଲଗା ବ୍ଳଡଗ୍ରୁପ ରହିଥାଏ । ଯେଉଁଠାରେ କୁକୁରମାନଙ୍କଠାରେ ୧୨ ପ୍ରକାରର ବ୍ଲଡଗ୍ରୁପ ରହିଥାଏ ସେଠାରେ ବିଲେଇମାନଙ୍କଠାରେ ତିନି ପ୍ରକାରର ବ୍ଲଡଗ୍ରୁପ ମିଳିଥାଏ ।

ଉତ୍ତର ଆମେରିକା ସ୍ଥିତ ‘ପଶୁ ଚିକିତ୍ସା ବ୍ଲଡ ବ୍ୟାଙ୍କ’ର ଡାକ୍ତର କେସି ମିଲ୍ସଙ୍କ ଅନୁଯାୟୀ କାଲିଫର୍ଣ୍ଣିଆର ଡିକ୍ସନ ଏବଂ ଗାର୍ଡନ ଗ୍ରୋବ ସହର ବ୍ୟତୀତ ଷ୍ଟାକବ୍ରିଜ, ବର୍ଜିନିଆ, ବ୍ରିଷ୍ଟୋ ଏବଂ ମେରିଲ୍ୟାଣ୍ଡ ସହର ସମେତ ଉତ୍ତର ଆମେରିକାର ଅନେକ ସହରରେ ପଶୁ ବ୍ଲଡବ୍ୟାଙ୍କ ରହିଛି । ଏଠାରେ ଲୋକମାନେ ସମୟ ସମୟରେ ନିଜର ପୋଷା ଜୀବ ମାନଙ୍କୁ ନେଇ ରକ୍ତଦାନ କରାଇ ଥାନ୍ତି ।

ଡଃ ମିଲ୍ସ କହିଛନ୍ତି ଯେ ପଶୁମାନଙ୍କର ରକ୍ତଦାନ ପ୍ରକ୍ରିୟାରେ ପାଖାପାଖି ଅଧଘଣ୍ଟା ସମୟ ଲାଗିଥାଏ ଏବଂ ସବୁଠାରୁ ଖାସକଥା ହେଉଛି ସେମାନଙ୍କୁ ଏନେସ୍ଥୋସିଆ ଦେବାର ଆବଶ୍ୟକତା ମଧ୍ୟ ପଡ଼ିନଥାଏ । ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନ ଏବଂ ଆମେରିକାରେ ଲୋକମାନେ ପଶୁମାନଙ୍କର ରକ୍ତଦାନ ପ୍ରତି ସଚେତନ ଅଟନ୍ତି କିନ୍ତୁ ଅନ୍ୟ ସ୍ଥାନ ଗୁଡ଼ିକରେ ପଶୁଙ୍କର ରକ୍ତଦାନ କ୍ଷେତ୍ରରେ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ।


Share It

Comments are closed.