ବାତ୍ୟା ପୀଡିତଙ୍କୁ ସହାୟତା ପାଇଁ ଏକଜୁଟ ହେଲେ ବିଭିନ୍ନ ସ୍ୱେଚ୍ଛାସେବୀ


ବାତ୍ୟା ଫନି ଦ୍ୱାରା ଓଡିଶାର ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବିଶେଷ କରି ପୁରୀ ଜିଲ୍ଲାରେ ଅନେକ ଗଛ ନଷ୍ଟ ହୋଇଯିବା ସହ ପାଖାପାଖି ସମସ୍ତଙ୍କ ଚାଳ ଏବଂ ଆଜବେଷ୍ଟ ଘର ବାତ୍ୟା ପ୍ରଭାବରେ ଭାଙ୍ଗିଯାଇଛି ।

ତେବେ ବାତ୍ୟା ଫନି, ହେବାକୁ ୧୦ ଦିନ ବିତିଯାଇଥିବାବେଳେ ସରକାରୀ, ବେସରକାରୀ ଏବଂ ବିଭିନ୍ନ ସହୃଦୟବାନ ବ୍ୟକ୍ତିମାନେ ଲୋକମାନଙ୍କର ଅସୁବିଧାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ସହାୟତାର ହାତ ବଢାଇଛନ୍ତି । ଏବଂ ବିପତ୍ତି ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଓଡିଆ ଏବଂ ରାଜ୍ୟ ବାହାରେ ଥିବା ଓଡିଆ ଏକଜୁଟ ହୋଇଛନ୍ତି । ଯାହାର ପ୍ରଭାବ ପୁରୀର ବିଭିନ୍ନ ବ୍ଲକର ଉପାନ୍ତ ପଞ୍ଚାୟତ ଗୁଡିକରେ କରାଯାଉଥିବା ଜନହୀତକର କାର୍ଯ୍ୟକ୍ରମରୁ ଜଣାପଡେ ।

ଏକ ଛୋଟ ପ୍ରୟାସ ହଜାର ହଜାର ଲୋକଙ୍କୁ ସାହା ହେଲା

ବାତ୍ୟାର ଚାରିଦିନ ପରେ ଭୁବନେଶ୍ୱରରେ ରହୁଥିବା କିଛି ସହୃଦୟବାନ ବ୍ୟକ୍ତିଙ୍କ ପ୍ରଚେଷ୍ଠାରେ ପୁରୀ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ‘ଜମାରସୁଆଁ’ ପଞ୍ଚାୟତରେ ଦୁଇ ଦିନରେ ୫ଟି ଗ୍ରାମର ୬ ହଜାର ବ୍ୟକ୍ତିଙ୍କୁ ଭୋଜନ ପ୍ରଦାନ କରାଯାଇଥିଲା । ଏହା ବାଦ ୫୦୦ ପରିବାରଙ୍କୁ ତାରପୋଲିନ (ପାଲ), ମଶାରୀ, ସ୍ୱଚ୍ଛଜଳ, ବିସ୍କୁଟ, ଚୁଡା ଏବଂ ସୋଲାର ଲାଇଟ ଆଦି ବଣ୍ଟନ କରାଯାଇଥିଲା । ଏକ ଛୋଟ ପ୍ରୟାସରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ବୃହତ୍ତ ବିପ୍ଲବରେ ପରିଣତ ହୋଇଛି । ଏହା ଛଡା ସଂଗଠନ ପକ୍ଷରୁ ପୁରୀର ଗୋପ ବ୍ଲକର ନାଲିହଣା, କଣାସ ବ୍ଲକର ଓଗଲପୁର, ବେରବୋଇ, ଖୋର୍ଦ୍ଦା ଜିଲ୍ଲାସ୍ଥିତ ମେଣ୍ଢାଶାଳ ପଞ୍ଚାୟତର ବାରପିଟା ଗ୍ରାମ ଆଦିରେ ଖାଦ୍ୟ ଏବଂ ବିଭିନ୍ନ ସହାୟତା ସାମଗ୍ରୀ ବଣ୍ଟନ କରାଯାଇଛି ।

ସଙ୍ଗଠନର କିଛି ସଦସ୍ୟ ବାତ୍ୟା ପରେ ପରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକର ଅନେକ ପଞ୍ଚାୟତ ବୁଲି କ୍ଷୟକ୍ଷତି ସଂପର୍କରେ ଅନୁଧ୍ୟାନ କରିଥିଲେ । ଏହା ପରେ ସୋସିଆଲ ମିଡିଆ ଏବଂ ବ୍ୟକ୍ତିଗତ ଚିହ୍ନାରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ସହିତ ଦେଶ ବିଦେଶର ଅନେକ ଓଡିଆ, ଅଣ ଓଡିଆ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଯୋଗ ଦେଇଥିଲେ । ଏଥିରେ ସାମିଲ ହୋଇଥିବା ସଙ୍ଗଠନମାନଙ୍କ ମଧ୍ୟରେ ବନ୍ଧୁ, ସମ୍ଭବ, ମଦମୁକ୍ତି ଯୁବ ବାହିନୀ, ଆଇଡ୍ରିମ ଶିକ୍ଷା ଅନୁଷ୍ଠାନ, ହୋଟେଲ ରାଜ, ଏଡ୍ ଇଣ୍ଡିଆ, ସମ୍ଭାବନା, ମିଳିତ ଓଡିଶା ନିଶାନିବାରଣ ଅଭିଯାନ ଇତ୍ୟାଦି ସାମିଲ ହୋଇଥିଲେ ।
ପୁରୀ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ‘ଜମାରସୁଆଁ’ ଗ୍ରାମପଞ୍ଚାୟତଟି ଅତି ଉପାନ୍ତ ଅଞ୍ଚଳରେ ଅବସ୍ଥିତ । ଏଠାକାର ଜନସଂଖ୍ୟା ପାଖାପାଖି ୧୫୦୦ ହେବ । ଏହି ପଞ୍ଚାୟତର ଅଧିକାଂଶ ଘର ଚାଳ ଓ ଛପରର ହୋଇଥିବା ହେତୁ ପ୍ରାୟ ସମସ୍ତ ଘର କ୍ଷତିଗ୍ରସ୍ତ ହୋଇଛି । ଏଠାରେ ସ୍ୱଚ୍ଛ ଜଳର ଅଭାବ ଥିବା ହେତୁ ଗାଁ ଲୋକ ନିକଟସ୍ଥ ପୋଖରୀର ପାଣି ବ୍ୟବହାର କରୁଛନ୍ତି ।
ସଂଗଠନ ପକ୍ଷରୁ ସହଯୋଗ ପାଇଁ ଆହ୍ୱାନ କରାଯିବା ପରେ ପ୍ରଥମ ଦିନକ ମଧ୍ୟରେ ଦେଢ ଲକ୍ଷରୁ ଅଧିକ ଟଙ୍କା ଦାନ ଆକାରରେ ଆସିଥିବାବେଳେ ‘ଏଡ୍ ଇଣ୍ଡିଆ’ ଠାରୁ ୬ ଲକ୍ଷରୁ ଉଦ୍ଧ୍ୱର୍ ଦାନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହା ବାଦ ବିଭିନ୍ନ ସହୃଦୟବାନ ବ୍ୟକ୍ତିମାନଙ୍କ ଠାରୁ ଖାଦ୍ୟ, ମଶାରୀ, ବିସ୍କୁଟ, ସ୍ୱଚ୍ଛଜଳ ଆକାରରେ ଅନେକ ସାହାଯ୍ୟ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭାବେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଧନଦାକାନ୍ତ ମିଶ୍ର – ଏଡ୍ ଇଣ୍ଡିଆର ଓଡିଶା ଚ୍ୟାପ୍ଟର ମୁଖ୍ୟ, ଶ୍ରୀଯୁକ୍ତ ସ୍ୱାମୀନାଥନ – ଏଡ୍ ଇଣ୍ଡିଆ ଅଧିକାରୀ, ସୌମ୍ୟରଞ୍ଜନ ମହାନ୍ତି, ଦୀପ୍ତିରଞ୍ଜନ ବିଶ୍ୱାଳ, ମିଲନ ନାୟକ, ସିରାଜୁର ରେହମାନ, ବୁଲୁ ସାହୁ, ଲାଲଟେନ୍ଦୁ ପାତ୍ର, ଶିବାନୀ ମିଶ୍ର, ଯଦୁନାଥ ସାହୁ, ବିଜେନ୍ଦ୍ର କୁମାର ସାହୁ, ଶ୍ରୀକାନ୍ତ ନାୟକ, ପ୍ରଭାତ ରାଉତରାୟ, ଦେବପ୍ରସାଦ ତ୍ରିପାଠୀ, ପ୍ରୀତି ନାୟକ, ତାରାକାନ୍ତ ନାୟକ, ସୁବାଷ ଚୌଦରୀ, ରିଷିକେଶ ଇତ୍ୟାଦି ଅଂଶଗ୍ରହଣ କରିଥିଲେ ।

ହୋଟେଲ ବ୍ୟବସାୟ ଛାଡି ମାଗଣାରେ ଖାଦ୍ୟ ଯୋଗାଇଲେ ବାତ୍ୟା ପୀଡିତଙ୍କୁ

ଅନୁଗୁଳ ଜିଲ୍ଲାର ତାଳଚେରଠାରେ ଅବସ୍ଥିତ ‘ହୋଟେଲ ରାଜ’ର ମାଲିକ ବିଜେନ୍ଦ୍ରର କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଏବଂ ସ୍ଥାନୀୟ ଅଂଚଳର କିଛି ସହୃଦୟ ବ୍ୟକ୍ତି ମିସି ପାଖାପାଖୀ ୬୦୦୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ଯୋଗାଡ କରିଥିଲେ । ଏହି ପ୍ରୟାସରେ ପ୍ରମୁଖ ଭାବେ ଯୋଗ ଦେଇଥିବା ଅନ୍ୟ ମାନଙ୍କ ମଧ୍ୟରେ ଆଇଡ୍ରିମ ଶିକ୍ଷାନୁଷ୍ଠାନ, ତାଳଚେର ଓ ପରଜଙ୍ଗର ଅନେକ ବ୍ୟବସାୟୀ ଏବଂ ସାମାଜିକ କର୍ମୀ ଏଥିରେ ସହଯୋଗ ଦେଇଥିଲେ । ଜମାରସୁଆଁ ଭଳି ଏକ ଉପାନ୍ତ ଅଂଚଳରେ ମୌଳିକ ସୁବିଧା ବିନା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବା ଆଦୌ ସହଜ ନଥିଲା । ସ୍ୱଚ୍ଛ ଜଳର ଅଭାବ ସାଙ୍ଗକୁ ୪୦ ଡିଗ୍ରୀ ଖରାରେ ସେ ଦୁଇଦିନ ପର୍ଯ୍ୟନ୍ତ ଅହରହ ଲାଗିପଡିଥିଲେ ପଞ୍ଚାୟତବାସୀଙ୍କୁ ଖାଦ୍ୟ ଯୋଗାଇବାରେ । ଅତି ପ୍ରତିକୂଳ ପରିସ୍ଥିତିରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ତାଙ୍କର ଥିବା ପ୍ରତିବଦ୍ଧତା ପାଇଁ ସ୍ଥାନୀୟ ଲୋକମାନେ ତାଙ୍କୁ ଅନେକ ପ୍ରଶଂସା କରିଥିଲେ ।


Share It

Comments are closed.