ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ୭,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ସିଲ୍‌ଭର୍ ଲେକ୍


ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ସିଲ୍‌ଭର୍ ଲେକ୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୭୫୦୦ କୋଟି ଟଙ୍କା ନିବେଶ କରାଯିବ । ଆର୍‌ଆର୍‌ଭିଏଲ୍‌ର ମୋଟ ଇକ୍ୱିଟି ମୂଲ୍ୟକୁ ୪.୨୧ ଲକ୍ଷ କୋଟି ଟଙ୍କା ଭାବେ ଆକଳନ କରି ଏହି ନିବେଶ କରାଯାଇଛି । ସିଲଭର୍ ଲେକ୍‌ର ନିବେଶ ଆର୍‌ଆଇଏଲ୍‌ର ପୂର୍ଣ୍ଣ ବିଘଟିତ ୧.୭୫ ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଏହା ଜରିଆରେ ସିଲ୍‌ଭର୍ ଲେକ୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ଦ୍ୱିତୀୟ ଥର ବିଲିଅନ ଡଲାରରୁ ଅଧିକ ନିବେଶ କରାଯାଇଛି । କିଛି ମାସ ପୂର୍ବରୁ ସିଲ୍‌ଭର୍ ଲେକ୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ କଂପାନୀ ଜିଓ ପ୍ଲାଟଫର୍ମସ୍‌ରେ ୧.୩୫ ବିଲିଅନ୍ ଡଲାରର ପୁଞ୍ଜିନିବେଶ କରାଯାଇଥିଲା ।

ରିଲାଏନ୍ସ ରିଟେଲ୍ ଲିମିଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା ଯାହାର ସାରା ଭାରତରେ ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି । ଭାରତୀୟ ସମାଜକୁ ଲାଭ ପହଂଚାଇବା ଲାଗି ଏହା ଲକ୍ଷ ଲକ୍ଷ ଚାଷୀ, ଏମ୍‌ଏସ୍‌ଏମ୍‌ଇକୁ ସଶକ୍ତ କରୁଥିବା ବେଳେ ଅନେକ ସ୍ଥାନୀୟ ଓ ବିଶ୍ୱ ସ୍ତରୀୟ ସଂସ୍ଥା ସହ ଯୋଡ଼ି ହୋଇଛି ଏବଂ ନିୟୁତାଧିକ ଭାରତୀୟଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଓ ସୁରକ୍ଷା ପ୍ରଦାନ କରୁଛି । ଏହାର ନୂଆ କମର୍ସ ରଣନୀତିରେ ଅଣସଂଗଠିତ କ୍ଷେତ୍ରର ବ୍ୟବସାୟୀମାନଙ୍କୁ ଏହା ଡିଜିଟାଇଜ୍ କରୁଥିବା ବେଳେ ଖୁବ୍‌ଶୀଘ୍ର ୨୦ ନିୟୁତରୁ ଅଧିକ ବ୍ୟବସାୟୀଙ୍କ ପାଖରେ ପହଂଚିବାକୁ ଏହା ଲକ୍ଷ୍ୟ ରଖିଛି. ଯାହା ଦ୍ୱରା ସେମାନେ ପ୍ରଯୁକ୍ତି ଓ ଦକ୍ଷ ଯୋଗାଣ ଶୃଙ୍ଖଳର ଲାଭ ପାଇପାରିବା ସହ ନିଜର ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିପାରୁଛନ୍ତି । ସେହିଭଳି, ସିଲଭର ଲେକ୍ ହେଉଛି ଏହି ଏକ ବିଶ୍ୱସ୍ତରୀୟ ସଂସ୍ଥା ଯାହାର ପରିଚାଳନା ଅଧୀନରେ ୫୦ ବିଲିଅନ ଡଲାରର ସଂପତି ରହିଛି । ଏହା ଏୟାର ବିଏନ୍‌ବି, ଆଲିବାବା, ଆଲଫାବେଟ୍‌ର ଭେରିଲାଏ ଓ ୱେମୋ, ଡେଲ୍ ଟେକ୍ନୋଲୋଜିସ୍‌, ଟ୍ୱିଟର୍ ଭଳି ବିଶ୍ୱର ଅନେକ ପ୍ରମୁଖ ପ୍ରଯୁକ୍ତି କଂପାନିରେ ପୁଞ୍ଜିନିବେଶ କରିଛି ।

ସିଲଭର୍ ଲେକ୍ ସହ ହୋଇଥିବା କାରବାର ସମ୍ପର୍କରେ ଶ୍ରୀଯୁକ୍ତ ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଭାରତର ରିଟେଲ୍ କ୍ଷେତ୍ରରେ ସାରା ଦେଶର ଗ୍ରାହକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ଲାଗି ନିୟୁତାଧିକ ବ୍ୟବସାୟୀମାନଙ୍କ ସହ ଅନ୍ତୁର୍ଭକ୍ତୀକରଣ ସହଭାଗିତା ସ୍ଥାପନ ଦିଗରେ ଆମର ଉଦ୍ୟମକୁ ସିଲ୍‌ଭର୍ ଲେକ୍ ସହଯୋଗର ହାତ ବଢାଇଥିବାରୁ ମୁଁ ବହୁତ ଖୁସି । ଆମର ବିଶ୍ୱାସ ରହିଛି ଯେ ଏହି କ୍ଷେତ୍ରରେ ଆବଶ୍ୟକ ହେଉଥିବା ପରିବର୍ତନ ଆଣିବା ଲାଗି ପ୍ରଯୁକ୍ତି ହେଉଛି ଏକ ପ୍ରମୁଖ ଆବଶ୍ୟକତା ଯଦ୍ୱାରା ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ବ୍ୟବସ୍ଥା ଲାଗି ଖୁଚୁରା କ୍ଷେତ୍ରର ବିଭିନ୍ନ ଉପାଦାନକୁ ଏକତ୍ରୀତ କରାଯାଇପାରିବ । ଭାରତୀୟ ଖୁଚୁରା ବ୍ୟବସାୟ କ୍ଷେତ୍ର ପ୍ରତି ଆମର ରହିଥିବା ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାରେ ସିଲଭର୍ ଲେକ୍ ଏକ ମୂଲ୍ୟବାନ ସହଯୋଗୀ ହେବ ।’’

ଏହି ନିବେଶ ସମ୍ପର୍କରେ ସିଲଭର୍ ଲେକ୍‌ର ସହ-ସିଇଓ ଓ ମ୍ୟାନେଜିଂ ପାର୍ଟନର ଶ୍ରୀଯୁକ୍ତ ଏଗନ ଡର୍ବାନ କହିଛନ୍ତି ଯେ, “ଏହି ନିବେଶ ଜରିଆରେ ରିଲାଏନ୍ସ ସହିତ ଆମର ସମ୍ପର୍କକୁ ଆହୁରି ଗଭୀର କରିଥିବାରୁ ଆମେ ଉଲ୍ଲସିତ । ମୁକେଶ ଅମ୍ବାନି ଓ ରିଲାଏନ୍ସରେ ତାଙ୍କ ଟିମ୍ ସେମାନଙ୍କର ସାହସପୂର୍ଣ୍ଣ ଲକ୍ଷ୍ୟ, ସାମାଜିକ ଲାଭ ନେଇ ପ୍ରତିବଦ୍ଧତା, ନବସୃଜନରେ ଉତ୍କର୍ଷ ଏବଂ ନିରବଚ୍ଛିନ୍ନ କାର୍ଯ୍ୟକାରିତା ପ୍ରତି ରହିଥିବା ନିଷ୍ଠା ଓ ପ୍ରତିବଦ୍ଧତା ଜରିଆରେ ଖୁଚୁରା ଓ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଏକ ଉଲ୍ଲେଖନୀୟ ସଂସ୍ଥା ସୃଷ୍ଟି କରିଛନ୍ତି । ଭାରତ ଓ ବିଶ୍ୱର ଅନ୍ୟ ପ୍ରାନ୍ତ କୋଭିଡ୍‌-୧୯ ମହାମାରୀ ସହିତ ଲଢ଼େଇ କରୁଥିବା ବେଳେ ଖୁବ୍ କମ୍ ସମୟ ଭିତରେ ଜିଓମାର୍ଟ ହାସଲ କରିଥିବା ସଫଳତା ବାସ୍ତବରେ ଉଲ୍ଲେଖନୀୟ ଏବଂ ସବୁଠୁ ଉତ୍ସାହଜନକ ଅଭିବୃଦ୍ଧି ପର୍ଯ୍ୟାୟ ଆରମ୍ଭ ହୋଇଛି । ରିଲାଏନ୍ସର ନୂଆ ବାଣିଜ୍ୟ ବା ନିଉ କମର୍ସ ରଣନୀତି ଏହି ଦଶନ୍ଧିର ପରିବର୍ତନକାରୀ ସାବ୍ୟସ୍ତ ହେବାର ଦକ୍ଷତା ରଖିଛି । ଭାରତୀୟ ରିଟେଲ୍ କ୍ଷେତ୍ରରେ ରିଲାଏନ୍ସର ରହିଥିବା ଲକ୍ଷ୍ୟରେ ସାମିଲ ହେବା ଲାଗି ଆମନ୍ତ୍ରିତ ହୋଇଥିବାରୁ ଆମେ ବେଶ୍ ରୋମାଂଚିତ ।’’

ଏହି ବୁଝାମଣା ଆବଶ୍ୟକ ନିୟାମକ ଓ ଅନ୍ୟାନ୍ୟ ମଂଜୁରୀ ଉପରେ ନିର୍ଭରଶୀଳ । ରିଲାଏନ୍ସ ରିଟେଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିବା ବେଳେ ସିରିଲ୍ ଅମରଚାନ୍ଦ ମଙ୍ଗଲଦାସ ଓ ଡେଭିସ୍ ପୋଲ୍‌କ ଆଣ୍ଡ୍ ୱାର୍ଡୱେଲ୍ ଆଇନଗତ ପରାମର୍ଶ ପ୍ରଦାନ କରିଛନ୍ତି । ସିଲଭର୍ ଲେକ୍ ପାଇଁ ଲାଥମ୍ ଆଣ୍ଡ୍ ୱାଟ୍‌କିନସ୍ ଓ ସର୍ଦୁଲ ଅମରଚାନ୍ଦ ମଙ୍ଗଲଦାସ ଆଣ୍ଡ୍ କୋ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।


Share It

Comments are closed.