ପିଏମ୍ କେୟାର ଫଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ୍ୟ ମାମଲା, ଆଜି ଶୁଣାଣି


କରୋନା ଭାଇରସ୍ ସହ ଲଢେଇ ପାଇଁ ସ୍ଥାପନ କରାଯାଇଥିବା ପିଏମ୍ କେୟାର ଫଣ୍ଡ୍‌କୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ୍ୟ ମାମଲା ଦାଏର କରାଯାଇଛି । ଆସନ୍ତାକାଲି ଏହି ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୮ ତାରିଖରେ କେନ୍ଦ୍ର ସରକାର କୌଣସି ପ୍ରକାରର ଆପାତକାଳୀନ ସ୍ଥିତିର ମୁକାବିଲା ପାଇଁ ଏହି ପିଏମ୍ କେୟାର ଫଣ୍ଡ୍‌ର ଗଠନ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଫଣ୍ଡର ମୁଖ୍ୟ ଅଧ୍ୟକ୍ଷ ହୋଇଥିବା ବେଳେ ରକ୍ଷା, ଗୃହ ଓ ଅର୍ଥ ମନ୍ତ୍ରୀ ଏହାର ସଦସ୍ୟ ଅଟନ୍ତି । ତେବେ ଓକିଲ ଏମ୍ ଏଲ୍ ଶର୍ମାଙ୍କ ଦ୍ୱାରା ଏହା ବିରୋଧରେ ଏକ ଆବେଦନ ଦାଖଲ କରାଯାଇଛି । ସେ ନିଜ ଆବେଦନରେ କହିଛନ୍ତି ଯେ, ଭାରତ ସରକାରଙ୍କ ଦ୍ୱାରା ବିନା କୌଣସି ଅଧ୍ୟାଦେଶ କିମ୍ବା ଅଧିସୂଚନାରେ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପିଏମ୍ କେୟାର ଫଣ୍ଡ୍‌ର ଗଠନ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ପିଆଇଏଲ୍‌ରେ ସମସ୍ତ ଟ୍ରଷ୍ଟିଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପକ୍ଷ କରାଯାଇଛି । ଏଥିରେ ଅଦାଲତଙ୍କ ନିର୍ଦ୍ଦେଶରେ ଫଣ୍ଡର ଏସ୍‌ଆଇଟି ଯାଂଚ କରାଇବାକୁ ଦାବି କରାଯାଇଛି । ଏହାଛଡା ଫଣ୍ଡ୍‌ରେ ଏକତ୍ରୀତ ହୋଇଥିବା ମୋଟ ଅର୍ଥକୁ ଭାରତର ସମେକିତ ପାଣ୍ଠିକୁ ସ୍ଥାନାନ୍ତର କରିବାକୁ ଦାବି କରାଯାଇଛି । ପିଆଇଏଲ୍‌ରେ ଓକିଲ ଏମ୍ ଏଲ୍ ଶର୍ମା କହିଛନ୍ତି ଯେ, ଫଣ୍ଡ୍‌କୁ ସମ୍ବିଧାନର ଅନୁଚ୍ଛେଦ ୨୬୭ ଓ ୨୬୬ (୨) ଅନୁସାରେ ଗଠନ କରାଯିବାର ଥିଲା ଯାହାକି ଭାରତର ଆକସ୍ମିକତା ଓ ସମେକିତ ପାଣ୍ଠି ସହ ଜଡିତ । ଏହି ଫଣ୍ଡ୍‌କୁ ସଂସଦ ଦ୍ୱାରା ପାରିତ କରାଯାଇନାହିଁ କି ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ କରାଯାଇନାହିଁ । ଏସମ୍ବନ୍ଧରେ କୌଣସି ଅଧ୍ୟାଦେଶ କିମ୍ବା ରାଜପତ୍ର ଅଧିସୂଚନା ନାହିଁ । ସୂଚନା ଅନୁଯାୟୀ, ମୁଖ୍ୟ ବିଚାରପତି ଏସ୍ ଏ ବୋବ୍‌ଡେ ଓ ବିଚାରପତି ଏଲ୍ ନାଗେଶ୍ୱର ରାଓ ଓ ଏମ୍‌ଏମ୍ ଶନ୍ତନଗୌଦରଙ୍କ ଖଣ୍ଡପୀଠ ଆସନ୍ତାକାଲି ଭିଡିଓ କନ୍‌ଫରେନ୍ସିଙ୍ଗ୍ ଜରିଆରେ ଏହି ଆବେଦନ ଉପରେ ଶୁଣାଣି କରିବେ ।


Share It

Comments are closed.