ସଲମାନ ଖାନଙ୍କ ପରିବାର କିଣିଲେ ଲଙ୍କା ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍


ନଭେମ୍ବର ୨୧ରେ ଆରମ୍ଭ ହେବ ଲଙ୍କା ପ୍ରିମିୟର ଲିଗ୍ ବା ଏଲପିଏଲ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଅକ୍ଟୋବର ୧୯ରୁ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ୨୦ଜଣ ବିଦେଶୀ ଖେଳାଳି ନିଲାମ ପ୍ରକ୍ରିୟାରେ ଭାଗ ନେଇଥିଲେ । ୫ଟି ଟିମ୍ ଏହି ଖେଳାଳିଙ୍କୁ କିଣିଥିଲା । ଏହି ଟି୨୦ ଟୁର୍ଣ୍ଣାମେଣ୍ଟ ଉପରେ ବଲିଉଡ୍ ଜଗତର ନଜର ରହିଛି । ବଲିଉଡର ସୁପରଷ୍ଟାର୍ ସଲମାନ ଖାନଙ୍କ ପରିବାର କାଣ୍ଡି ଟସ୍କର୍ସକୁ କିଣିଛି । ସଲମାନଙ୍କ ସାନ ଭାଇ ସୋହେଲ ଏବଂ ପିତା ସଲିମ ଖାନ ଏହି ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରି କାଣ୍ଡି ଟସ୍କର୍ସକୁ କିଣିଛନ୍ତି । ସୋହେଲ ଖାନ ଇଣ୍ଟରନ୍ୟାଶନାଲ ଏଲଏଲପି ଏହି ଟିମରେ ନିବେଶ କରିଛି । ଏନେଇ ଖାନ୍ ପରିବାର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି । ଖାନ୍ ପରିବାର ପକ୍ଷରୁ କୁହାଯାଇଛି ଯେ, ଅନେକ ବିଦେଶୀ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି ।ତାଙ୍କ ଟିମ୍ ପାଖରେ ସାମର୍ଥ୍ୟ ରହିଛି । ଏଲପିଏଲରେ ଖେଳାଯିବାକୁ ଥିବା କ୍ୟାଣ୍ଡି ଟସ୍କର୍ସର ସବୁ ମ୍ୟାଚରେ ନିଜେ ସଲମାନ ଖାନ ମଧ୍ୟ ଉପସ୍ଥିତ ରହିବେ । ଶ୍ରୀଲଙ୍କାର ଷ୍ଟାର୍ କ୍ରିକେଟର କୁଶଲ ପେରେରା, କୁଶଲ ମେଣ୍ଡିସ, ଆସେଲା ଗୁଣରତ୍ନେଙ୍କ ବ୍ୟତୀତ ଦଳରେ କ୍ରିସ୍ ଗେଲ୍, ଲିଆମ ପ୍ଲଙ୍କେଟ ଓ ଓ୍ୱାହବ ରିଆଜଙ୍କୁ କ୍ୟାଣ୍ଡି ଟସ୍କର୍ସ ସ୍ଥାନ ଦେଇଛି । ଗେଲଙ୍କୁ ଦଳରେ ସ୍ଥାନ ମିଳିବା ଖୁସିର କଥା ବୋଲି କହିଛନ୍ତି ସୋହେଲ ଖାନ୍ । ଏହାସହ ଏସମସ୍ତ ଖେଳାଳିଙ୍କୁ ନେଇ ଏକ ସନ୍ତୁଳିତ ଟିମ୍ ଗଠନ କରାଯାଇଥିବା ସୋହେଲ କହିଛନ୍ତି ।


Share It

Comments are closed.