ବ୍ରାଡମ୍ୟାନଙ୍କ ୧୧୨ ତମ ଜୟନ୍ତୀରେ ତାଙ୍କୁ ମନେ ପକାଇଲେ ସଚିନ


ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବେ ପରିଗଣିତ ହେଉଥିବା ଡନ୍ ବ୍ରାଡ଼ମ୍ୟାନ୍‌ଙ୍କ ୧୧୨ତମ ଜୟନ୍ତୀ ଗୁରୁବାର ପାଳିତ ହେଉଥିବା ବେଳେ ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର।

ତେନ୍ଦୁଲକର ଟ୍ୱିଟ କରି ବ୍ରାଡ଼ମ୍ୟାନ୍‌ଙ୍କୁ ବିଶ୍ୱର ଜଣେ ମହାନ୍ ବ୍ୟାଟସମ୍ୟାନ୍ ଭାବେ ଦର୍ଶାଇବା ସହ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ବ୍ରାଡ଼ମ୍ୟାନ୍ ଅନେକ ମ୍ୟାଚ୍ ଖେଳିନଥିଲେ ସୁଦ୍ଧା ଟେଷ୍ଟ କ୍ରିକେଟ୍‌ରେ ତାଙ୍କର ବ୍ୟାଟିଂ ଆଭରେଜ୍ ସର୍ବାଧିକ ରହିବା ଏକ ବିରଳ ବିଷୟ ବୋଲି ଦର୍ଶାଇଛନ୍ତି। ତାଙ୍କର ଏହି କୃତିତ୍ୱ କ୍ରିକେଟର୍‌ଙ୍କ ନିମନ୍ତେ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ତେନ୍ଦୁଲକର ଲେଖିଛନ୍ତି। ଏଥିସହ ବ୍ରାଡ଼ମ୍ୟାନ୍‌ଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି ତେନ୍ଦୁଲକର।
ସୂଚନାଥାଉକି ବ୍ରାଡ଼ମ୍ୟାନ୍‌ଙ୍କୁ ୯୦ ବର୍ଷ ବୟସ ହୋଇଥିବା ବେଳେ ଆଡିଲେଡ୍‌ସ୍ଥିତ ବାସଭବନରେ ତାଙ୍କୁ ସାକ୍ଷାତ କରିଥିଲେ ତେନ୍ଦୁଲକର ଓ ସେନ୍ ୱାର୍ଣ୍ଣ। ବ୍ରାଡ଼ମ୍ୟାନ୍ ୧୯୦୮ ମସିହା ଅଗଷ୍ଟ ୨୭ରେ ଜନ୍ମଗ୍ରହଣ କରିଥିଲେ। ସେ ଅଷ୍ଟ୍ରେଲିଆ ତରଫରୁ ୧୯୨୮ରୁ ୧୯୪୮ ମସିହା ପର୍ଯ୍ୟନ୍ତ କ୍ରିକେଟ୍ ଖେଳିଥିଲେ। ଅବସର ଗ୍ରହଣ କରିବା ସମୟରେ ବ୍ରାଡ଼ମ୍ୟାନ୍‌ଙ୍କ ବ୍ୟାଟିଂ ଆଭରେଜ୍ ୯୯.୯୪ ରହିଥିଲା। ୨୫ ଫେବୃଆରୀ ୨୦୦୧ ମସିହାରେ ବ୍ରାଡମ୍ୟାନ୍‌ଙ୍କ ପରଲୋକ ହୋଇଥିଲା।


Share It

Comments are closed.