ଏବେ ପୁତିନଙ୍କୁ କରୋନା ଭୟ, ସେ ହାତ ମିଳାଇଥିବା ଡାକ୍ତର ବାହାରିଲେ କରୋନା ସଂକ୍ରମିତ


ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କ ପର୍ଯ୍ୟନ୍ତ ମଧ୍ୟ କରୋନା ଭାଇରସ୍ ସଂକ୍ରମଣ ପହଁଞ୍ଚିସାରିଛି। କୁହାଯାଉଛି ଯେ, ନିକଟରେ ପୁତିନଙ୍କ ସହ ଜଣେ ଡାକ୍ତର ହାତ ମିଳାଇଥିଲେ। ଆଉ ସେହି ଡାକ୍ତର ଜଣକ କରୋନା ପଜିଟିଭ ବୋଲି ଏବେ ଜଣାପଡିଛି। ଏହି ଡାକ୍ତରଜଣକ ଆଉ କେହି ନୁହେଁ, ସେ ହେଉଛନ୍ତି  ମସ୍କୋର କରୋନା ଭାଇରସ୍ ହସ୍ପିଟାଲର ମୁଖ୍ୟ। ପୁତିନ କିଛି ଦିନ ତଳେ ଏହି ହସ୍ପିଟାଲ ଗସ୍ତ କରିଥିଲେ।

ଏହି ଖବର ସାମନାକୁ ବସିବା ପରେ କ୍ରେମାଲିନ୍ ପକ୍ଷରୁ କୁହାଯାଇଛି, ରାଷ୍ଟ୍ରପତି ପୁତିନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି। ଉଲ୍ଲେଖନୀୟ ଯେ, ଏବେ ଋଷରେ ୨,୩୩୭ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ଗତ ମଙ୍ଗଳବାର ପୁତିନ ହସ୍ପିଟାଲ ପରିଦର୍ଶନ କରିବାକୁ ଯାଇଥିବା ବେଳେ ଡାକ୍ତର ଡେନିସ୍ ପ୍ରୋତ୍ସେନକୋ ତାଙ୍କୁ ଭେଟିଥିଲେ। ଏହି ସମୟରେ  ଡାକ୍ତରଜଣକ ନିଜର ସୁରକ୍ଷା ପାଇଁ ସ୍ବତନ୍ତ୍ର ସୁଟ୍ ପିନ୍ଧିଥିଲେ। କିନ୍ତୁ ପରେ ଡାକ୍ତର ଓ ପୁତିନ ବିନା କୌଣସି ସୁରକ୍ଷାରେ ପରସ୍ପର ସହିତ କଥା ହେବା ସହ ହାତ ମିଳାଇଥିବାର ଦେଖିବାକୁ ମିଳିଥିଲେ।


Share It

Comments are closed.