‘ଟାଇମ୍ସ ପାୱାର ମ୍ୟାନ୍ ଅଫ୍ ଦ ଇୟର’ ସମ୍ମାନରେ ସମ୍ମାନିତ ହେଲେ ରୋହିତ ପୂଜାରୀ


ଭୁବନେଶ୍ୱର: ରାଜନୀତିରେ ନେତୃତ୍ୱ ତଥା ସମାଜସେବା ପାଇଁ ବିଜେଡି ବିଧାୟକ ରୋହିତ ପୂଜାରୀଙ୍କୁ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପୁ ପକ୍ଷରୁ ‘ଟାଇମ୍ସ ପାୱାର ମ୍ୟାନ୍ ଅଫ୍ ଦ ଇୟର ୨୦୧୯’ ସମ୍ମାନରେ ସମ୍ମାନିତ କରାଯାଇଛି । କଲିକତା ଠାରେ ଆୟୋଜିତ ହେଉଥିବା ଏକ କାର୍ଯ୍ୟକ୍ରମରେ ରୋହିତ ବଲିଉଡ ତାରକା ‘ସୁନିଲ ସେଟ୍ଟୀ’ଙ୍କ ହାତରୁ ଏହି ସମ୍ମାନ ଗ୍ରହଣ କରୁଛନ୍ତି ।
ପ୍ରଥମ ପିଢି ରାଜନେତା ରୋହିତ ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ବିଆଇଟି ମେସ୍ରାରୁ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ସେ ଟାଟା ଷ୍ଟିଲରେ ଯୋଗ ଦେଇଥିଲେ । ସାଧାରଣ ଲୋକଙ୍କ ସେବା ଲାଗି ରୋହିତଙ୍କ ମନରେ ଦୃଢ ଇଚ୍ଛା ତାଙ୍କୁ ରାଜନୀତିକୁ ଟାଣିଥିଲା ।
ସେଥିପାଇଁ ସେ ୧୯୯୭ରେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ । ଶାସକ ଦଳ ବିଜେଡିରେ ଯୋଗ ଦେବା ପରେ ସେ ୨୦୧୪ରେ ରେଢାଖୋଲରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ବର୍ଷ ୨୦୧୯ରେ ମଧ୍ୟ ସେ ସମାନ ନିର୍ବାଚନ ମଣ୍ଡଳୀରୁ ପୁନଃ ନିର୍ବାଚିତ ହୋଇଥିଲେ । ରୋହିତ ବର୍ଷା ଜଳ ସଂରକ୍ଷଣକୁ ନେଇ ସେ ଅତ୍ୟନ୍ତ ଯତ୍ନବାନ । ପୋଖରୀ ଗୁଡିକର ନବୀକରଣ ତଥା ବିନା ବିଦ୍ୟୁତ ଖର୍ଚ୍ଚରେ ମାଧ୍ୟକର୍ଷଣ ଶକ୍ତିର ବ୍ୟବହାର ଜରିଆରେ ଝରଣାରୁ କିପରି ଗ୍ରାମବାସୀଙ୍କୁ ଜଳ ଯୋଗାଇ ଦିଆଯିବ ତାହାକୁ ସେ ପ୍ରୋତ୍ସାହନ ଦେଉଛନ୍ତି । ନିଜ ନିର୍ବାଚନ ମଣ୍ଡଳରେ ସେ ନିଜ ପାଣ୍ଠିରୁ ସବୁଜ ଶକ୍ତି ତଥା ସୌରଶକ୍ତି ଅଭିଯାନ ଦିଗରେ କାର୍ଯ୍ୟ କରୁଛନ୍ତି । ସେ ଯୁବପିଢିଙ୍କ ମଧ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ଦିଅନ୍ତି । କେବଳ ଏତିକି ନୁହେଁ ସେ ଜାତୀୟ ସ୍ତରର ଜଣେ ବ୍ୟାଡ୍ମିଣ୍ଟନ ଖେଳାଳୀ ମଧ୍ୟ ଥିଲେ । ବର୍ତ୍ତମାନ ସେ ଓଡିଶା ରାଜ୍ୟ ବ୍ୟାଡ୍ମିଣ୍ଟନ ସଂଘର ସଭାପତି ଅଛନ୍ତି ।


Share It

Comments are closed.