କନ୍ଦାଉଛି ପେଟ୍ରୋଲ ଓ ଡିଜେଲ ଦର, ୫୦ ଟଙ୍କା ବଢିଲା ଏଲପିଜି ସିଲିଣ୍ଡର ଦାମ୍


ଚଳିତ ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଦେଶବାସୀଙ୍କୁ ମହଙ୍ଗା ମାଡ ହୋଇଛି । ଏଲପିଜି ସିଲିଣ୍ଡର ଦାମ୍ ୫୦ ଟଙ୍କା ଯାଏଁ ବୃଦ୍ଧି ପାଇଛି । ସେହିପରି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛ ।

ଦରବୃଦ୍ଧି ପରେ ସବସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡରର ଦାମ୍ ୭୬୯ ଟଙ୍କା ହୋଇଯାଇଛି । ଏହାପୂର୍ବରୁ ମୂଲ୍ୟ ୭୧୯ ଟଙ୍କା ଥିଲା । ନୂଆ ଦର ସୋମବାରଠୁ ଲାଗୁ ହେବ । ଦିଲ୍ଲୀରେ ପେଟ୍ରୋଲର ଦାମ୍ ଲିଟର୍ ପିଛା ୮୯ ଟଙ୍କା ନିକଟତର ହୋଇଛି ।

ଲଗାତର ପେଟ୍ରୋଲ ଓ ଡିଜେଲ ଦର ସପ୍ତାହେ ହେଲା ବୃଦ୍ଧି ପାଉଛି । ସୋମବାର ନୂଆଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦାମ୍ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଦାମ୍ ୮୯ ଟଙ୍କାରେ ପହଁଚିଥିବା ବେଳେ ଦେଶର ଅନେକ ସହରରେ ଏହା ୧୦୦ ନିକଟତର ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ଲଗାତର ଭାବେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି ।

ଦିଲ୍ଲୀରେ ଏବେ ପେଟ୍ରୋଲ ଦାମ୍ ଲିଟର ପିଛା ୮୮.୯୯ ଟଙ୍କା ଥିବା ବେଳେ ଡିଜେଲ ୭୯.୩୫ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୯୫.୪୬ ଟଙ୍କା ଓ ଡିଜେଲ ୮୬.୩୪ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ଦର ୯୧.୧୯ ଟଙ୍କା ଥିବା ବେଳେ ଡିଜେଲ ୮୪.୪୪ ଟଙ୍କା, କୋଲକାତାରେ ପେଟ୍ରୋଲ ୯୦.୨୫ ଟଙ୍କା ଓ ଡିଜେଲ ୮୨.୯୪ ଟଙ୍କା ରହିଛି ।


Share It

Comments are closed.