ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଚତୁର୍ଥ ତ୍ରୟମାସରେ ୧୦,୩୬୨ କୋଟି ଟଙ୍କାର ନିଟ୍ ଲାଭ


ଆୟରେ ଜରବଦସ୍ତ ବୃଦ୍ଧି ଯୋଗୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ସର୍ବାଧିକ ନିଟ୍ ଲାଭ ହାସଲ କରାଯାଇଛି । ଦେଶର ଯେକୌଣସି ପ୍ରାଇଭେଟ୍ ବା ଘରୋଇ କଂପାନି ମଧ୍ୟରେ ଏହି ନିଟ୍ ଲାଭ ସର୍ବାଧିକ । କଂପାନି ରିଟେଲ୍ ଓ ଟେଲିକମ୍ କ୍ଷେତ୍ରର ଉଲ୍ଳେଖନୀୟ ପ୍ରଦର୍ଶନ କରିବାରୁ ଏହି ସଫଳତା ମିଳିିଛି । ୨୦୧୯ ମାର୍ଚ ୩୧ ସୁଦ୍ଧା ଶେଷ ତ୍ରୟମାସରେ କଂପାନିର ନିଟ୍ ଲାଭ ୯.୮% ବୃଦ୍ଧି ପାଇ ୧୦,୩୬୨ କୋଟି ଟଙ୍କା ହୋଇଛି । ସେୟାର ପିଛା ଲାଭ ୧୭ ଟଙ୍କା ୫୦ ପଇସା ରହିଛି । ପୂର୍ବବର୍ଷ ଏହି ସମୟରେ ନିଟ୍ ଲାଭ ୯୪୩୮ କୋଟି ଟଙ୍କା ଓ ସେୟାର ପିଛା ଲାଭ ୧୫.୯ ଟଙ୍କା ଥିଲା ।
୨୦୧୯ ଜାନୁଆରିରୁ ମାର୍ଚ ମଧ୍ୟରେ କଂପାନିର ରାଜସ୍ୱ ପରିମାଣ ୧୯.୪% ବୃଦ୍ଧି ପାଇ ୧୫୪,୧୧୦ କୋଟି ଟଙ୍କା ହୋଇଛି । କଂପାନି ପକ୍ଷରୁ ଅଧିକ ରିଟେଲ୍ ଷ୍ଟୋର୍ ଖୋଲାଯାଇଥିବା ବେଳେ ଜିଓ ମୋବାଇଲ୍ ଫୋନ୍ ସେବାରେ ୨୬.୬ ନିୟୁତ ନୂଆ ଗ୍ରାହକ ସାମିଲ ହୋଇଛନ୍ତି । ସେଥିପାଇଁ କଂପାନିର ଲାଭ ପରିମାଣ ବଢ଼ିଛି । ୨୦୧୮-୧୯ ସାରା ବର୍ଷ ପାଇଁ କଂପାନି ୩୯,୫୮୮ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିବା ବେଳେ ଏହାର ରାଜସ୍ୱ ପରିମାଣ ୬୨୨,୮୦୯ କୋଟି ଟଙ୍କା ହୋଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଧୀରୁଭାଇ ଅମ୍ବାନି କହିଛନ୍ତି ଯେ, “୨୦୧୮-୧୯ରେ ଆମେ ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିିଥିଲୁ ଏବଂ ଭବିଷ୍ୟତର ରିଲାଏନ୍ସ ଗଠନ ଦିନରେ ବଡ଼ ଧରଣର ଲମ୍ଫ ପ୍ରଦାନ କରିଛୁ । ରିଲାଏନ୍ସ ରିଟେଲ୍ର ରାଜସ୍ୱ ୧,୦୦,୦୦୦ କୋଟି ଟଙ୍କାର ମାଇଲଖୁଂଟ ଅତିକ୍ରମ କରିଥିବା ବେଳେ ଜିଓ ୩୦ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ଏବଂ ଆମର ପେଟ୍ରୋକେମିକାଲ୍ସ ବ୍ୟବସାୟ ସର୍ବାଧିକ ଆୟ ହାସଲ କରିଛି ।’’
କଂପାନିର ଟିକସ ପୂର୍ବବର୍ତି ଲାଭ ପରିମାଣ ବିଗତ ପାଂଚ ବର୍ଷରେ ଦୁଇ ଗୁଣା ବୃଦ୍ଧି ପାଇ ୯୨,୬୫୬ କୋଟି ଟଙ୍କା ହୋଇଛି ।
“ସେବା ଓ ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱାରୋପ କରାଯିବା ବଳରେ ଆମର ଉପଭୋକ୍ତା କାରବାରରେ ଗାହକ ସଂଖ୍ୟା ଓ ଷ୍ଟୋର୍ରେ ପ୍ରବେଶ କରୁଥିବା ଗ୍ରାହକଙ୍କ ସଂଖ୍ୟା ବଢ଼ିଛି ଯାହା ଫଳରେ ରାଜସ୍ୱ ବୃଦ୍ଧି ପାଇଛି । ଆମର ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବାକୁ ଆମେ ଉଦ୍ୟମ କରୁଛୁ ଯଦ୍ୱାରା ଏକ ଉନ୍ନତ ବଂଟନ ଭିତିକ ଭବିଷ୍ୟତ ଗଠନ ହୋଇପାରିବ ବୋଲି ଶ୍ରୀଯୁକ୍ତ ଅମ୍ବାନି କହିଛନ୍ତି ।

ରିଟେଲ୍ କାରବାରରେ କଂପାନିର ୧୦,୪୧୫ଟି ଷ୍ଟୋର୍ ଥିବା ବେଳେ ଚତୁର୍ଥ ତ୍ରୟମାସରେ ୫୧୦ଟି ଷ୍ଟୋର୍ ସାମିଲ କରାଯାଇଥିଲା । ଏଥିରେ ଚତୁର୍ଥ ତ୍ରୟମାସରେ ପ୍ରାକ୍-ଟିକସ ଲାଭ ପରିମାଣ ୭୭.୧% ବୃଦ୍ଧି ପାଇ ୧୯୨୩ କୋଟି ଟଙ୍କା ହୋଇଛି । ଡେଲଏଟ୍ର ଗ୍ଲୋବାଲ୍ ପାୱାର୍ସ ଅ୍ପ ରିଟେଲିଂ ୨୦୧୯ର ଶ୍ରେଷ୍ଠ ୧୦୦ ବିଶ୍ୱସ୍ତରୀୟ ରିଟେଲର ତାଲିକାରେ ରିଲାଏନ୍ସ ରିଟେଲ୍ର ନାମ ରହିଥିବା ବେଳେ ଏହା ହେଉଛି ବିଶ୍ୱ ସ୍ତରରେ ଷଷ୍ଠ ବୃହତମ ଅଭିବୃଦ୍ଧିଶୀଳ ରିଟେଲର୍ ।
ରିଲାଏନ୍ସର ଟେଲିକମ୍ କଂପାନି ରିଲାଏନ୍ସ ଜିଓର ନିଜସ୍ୱ ନିଟ୍ ଲାଭ ୮୪୦ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ତୁଳନାରେ ୬୫% ଅଧିକ । କଂପାନିର ଗ୍ରାହକ ସଂଖ୍ୟା ୩୦୬.୭ ନିୟୁତ ହୋଇଛି ଯାହା ଗତ ଡିସେମ୍ବର ସୁଦ୍ଧା ୨୮୦.୧ ନିୟୁତ ଥିଲା । ଚତୁର୍ଥ ତ୍ରୟମାସରେ ମୋଟ ଓୟାରଲେସ ଡାଟା ଟ୍ରାଫିକ ପରିମାଣ ୯୫୬ ଜିବି ରହିଥିଲା ଏବଂ ମୋଟ ଭଏସ୍ ଟ୍ରାଫିକ୍ ୭୨,୪୧୪ ମିନିଟ୍ ରହିଛି ।
ପେଟ୍ରୋକେମିକାଲ୍ସ ବ୍ୟବସାୟରେ ଟିକସ ପୂର୍ବବର୍ତି ଲାଭ ପରିମାଣ ୨୪% ବୃଦ୍ଧି ପାଇ ୭୯୭୫ କୋଟି ଟଙ୍କା ହୋଇଛି । କଂପାନି ପାଖରେ ୧,୩୩,୦୨୭ କୋଟି ଟଙ୍କାର ନଗଦ ରାଶି ରହିଛି ଯାହା ପୂର୍ବ ତ୍ରୟମାସରେ ୭୭,୯୩୩ କୋଟି ଟଙ୍କା ଥିଲା । ରିଟେଲ୍ କାରବାରର ରାଜସ୍ୱ ପରିମାଣ ଚତୁର୍ଥର୍ ତ୍ରୟମାସରେ ୫୧.୬% ବୃଦ୍ଧି ପାଇ ୩୬,୬୬୩ କୋଟି ଟଙ୍କା ହୋଇଥିବା ବେଳେ ସମ୍ପୂର୍ଣ୍ଣ ୨୦୧୮-୧୯ ଆର୍ଥିକ ବର୍ଷରେ ୮୮.୭% ବୃଦ୍ଧି ପାଇ ୧୩୦,୫୬୬ କୋଟି ଟଙ୍କା ହୋଇଛି ।
କଂପାନି ଏହାର ଟାୱାର ଓ ଫାଇବର୍ ବ୍ୟବସାୟର ଡିମର୍ଜର୍ (ଅଲଗା) କରିବା ପ୍ରକ୍ରିୟା ଶେଷ କରିଛି ।


Share It

Comments are closed.