ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କର୍ମଚାରୀଙ୍କୁ ‘ଆଗଧାଡ଼ିର ଯୋଦ୍ଧା’ କହିଲେ ମୁକେଶ ଅମ୍ବାନୀ


ଭୁବନେଶ୍ୱର: ସାରା ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ଫୋନ୍ ଲାଇନ୍‌ଠାରୁ ଆରମ୍ଭ କରି ରିଟେଲ୍ ଷ୍ଟୋର୍‌ରୁ ଇନ୍ଧନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଜୀବନରେଖାକୁ ଆଗକୁ ବଢ଼ିବା ଲାଗି ସହାୟତା ପ୍ରଦାନ କରୁଥିବା କଂପାନିର ହଜାର ହଜାର କର୍ମଚାରୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ପ୍ରଶଂସା କରିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଦୁଇଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଏକ ଇ-ମେଲ୍ ବାର୍ତ୍ତା ରେ କର୍ମଚାରୀଙ୍କୁ ‘ଆଗଧାଡ଼ିର ଯୋଦ୍ଧା’ ବୋଲି ଅଭିହିତ କରିଛନ୍ତି । ସେହିଭଳି ଆଧୁନିକ ଇତିହାସର ସବୁଠୁ ସଙ୍କଟମୟ ସ୍ଥିତି ବିରୋଧରେ ଲଢ଼େଇରେ ପ୍ରତିଟି କର୍ମଚାରୀ ଯେଉଁଭଳି ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି ତାହାକୁ ଦେଖି ସେ ଅତ୍ୟନ୍ତ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କରୋନା ମୁକାବିଲା କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କମ୍ପାନୀର ୱେବ୍‌ସାଇଟ୍‌ରେ ରହିଥିବା ଏହି ଚିଠିରେ ସେ ସୂଚନା ଦେଇଛନ୍ତି । ତିନି ସପ୍ତାହ ଲକ୍‌ଡାଉନ୍ ଘୋଷଣା ଯୋଗୁଁ ପ୍ରାୟ ୧୩୦ କୋଟି ଲୋକ ଘର ଭିତରେ ରହିଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଟେଲିକମ୍ କଂପାନି ଜିଓ ଏହାର ନିରବଚ୍ଛିନ୍ନ ଭଏସ କଲିଂ, ମୋବାଇଲ୍‌ରେ ଇଣ୍ଟରନେଟ୍ ଓ ଜିଓ ଫାଇବର୍ ସେବା ଜରିଆରେ ପ୍ରାୟ ୪୦ କୋଟି ଲୋକଙ୍କୁ ଜୀବନରେଖା ପ୍ରଦାନ କରୁଛି । ରିଲାଏନ୍ସ ରିଟେଲ୍ ନିୟୁତାଧିକ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେଉଛି ।
ରିଲାଏନ୍ସ ଲାଇଫ୍‌ସାଇନ୍‌ସେସ୍ ଭାରତର କୋଭିଡ୍‌-୧୯ ପରୀକ୍ଷା ଦକ୍ଷତାରେ ଉନ୍ନତି ଆଣୁଛି ଏବଂ ସାର୍ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପକ୍ଷରୁ ମୁମ୍ବାଇରେ ମାତ୍ର ୧୦ ଦିନ ଭିତରେ କରୋନା ଭୂତାଣୁ ଚିକିତ୍ସାଲାଗି ୧୦୦-ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ ହସ୍ପିଟାଲ୍ ବ୍ୟବସ୍ଥା ସ୍ଥାପନ କରାଯାଇଛି । ରିଲାଏନ୍ସ ଲାଇଫ୍‌ସାଇନ୍‌ସେସ୍ ବିକଶିତ କରିଥିବା ନୂଆ କୋଭିଡ୍‌-୧୯ ଟେଷ୍ଟ୍ ବ୍ୟବସ୍ଥାକୁ ପ୍ରାଥମିକତା ଭିତିରେ ରିଲାଏନ୍ସ କର୍ମଚାରୀଙ୍କ ପାଇଁ ଉପଲବ୍ଧ କରାଯିବ ଓ ଖୁବ୍‌ଶୀଘ୍ର ତାହାକୁ ସମାଜର ବ୍ୟବହାର ପାଇଁ ପ୍ରଦାନ କରାଯିବ ବୋଲି ମୁକେଶ ଜଣାଇଛନ୍ତି ।
ଏହାବ୍ୟତୀତ, କଂପାନିର ବିଶୋଧନାଗାର ତରଫରୁ ତୈଳ ଏବଂ ଅନ୍ୟାନ୍ୟ ପେଟ୍ରୋଲିୟମ୍ ଉତ୍ପାଦ ଉତ୍ପାଦନ ଜାରି ରଖାଯାଇଛି ଓ ପେଟ୍ରୋକେମିକାଲ୍ସ କାରଖାନାରେ ଔଷଧ ଓ ମେଡିକାଲ୍ ଉପକରଣର ପ୍ୟାକେଜିଂ ପାଇଁ ବିଭିନ୍ନ ପ୍ରକାର ଉତ୍ପାଦ ଉତ୍ପାଦନ କରାଯାଉଛି ।
ଏପ୍ରିଲ୍ ୪ ତାରିଖରେ ଇ-ମେଲ୍ କରାଯାଇଥିବା ବାର୍ତାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସମସ୍ତ କର୍ମଚାରୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତିମାନଙ୍କ ପାଇଁ କରାଯାଇଥିବା ବ୍ୟାପକ କୋଭିଡ୍‌-୧୯ ଟ୍ରାକିଂ ଓ ଚିକିତ୍ସା ବ୍ୟବସ୍ଥା ବିଷୟରେ ବିବରଣୀ ପ୍ରଦାନ କରାଯାଇଛି । ରିଲାଏନ୍ସ ଲାଇଫ୍‌ସାଇନ୍‌ସେସ୍‌ର ନୂଆ କୋଭିଡ୍‌-୧୯ ପରୀକ୍ଷା ଦକ୍ଷତାକୁ ଶୀଘ୍ର ସମାଜ ପାଇଁ ଉପଲବ୍ଧ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି ।
କମ୍ପନୀର ବ୍ୟବସାୟର ବିଭିନ୍ନ କ୍ଷେତ୍ରର ପ୍ରତିଟି ସହକର୍ମୀ “ଆଗଧାଡ଼ିର ଯୋଦ୍ଧା’ ମାନ୍ୟତା ପାଇବାକୁ ହକଦାର ବୋଲି ସେ କହିଛନ୍ତି । ଦେଶ ଏବଂ କଂପାନି ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଓ ସେବାକୁ ପ୍ରଶଂସା କରି କରୋନା ଭୂତାଣୁ ବିପର୍ଯ୍ୟୟ ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ ନକରିବା ପର୍ଯ୍ୟନ୍ତ କଂପାନି ବିଶ୍ରାମ ନେବ ନାହିଁ ବୋଲି ସେ କହିଛନ୍ତି । ରିଲାଏନ୍ସ ପରିବାରର ପ୍ରତିଟି ସଦସ୍ୟଙ୍କ ଶକ୍ତି ଭାରତକୁ ସୁରକ୍ଷିତ, ସ୍ୱାସ୍ଥ୍ୟକର ଓ ସୁଦୃଢ଼ କରିବ ବୋଲି ମୁକେଶ ଲେଖିଛନ୍ତି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସାମଗ୍ରିକ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ରିଲାଏନ୍ସ ପରିବାର ଉପରେ ସେ ଯେଉଁ ବିଶ୍ୱାସ ପ୍ରକଟ କରିଛନ୍ତି ତାହାକୁ ବଜାୟ ରଖିବାକୁ କଂପାନି ଉଦ୍ୟମ କରିବ । ଆମ ଉପରେ ଗୁରୁଦାୟିତ୍ୱ ରହିଛି କାରଣ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅନେକ ବ୍ୟବସାୟ ଏବଂ ରିଲାଏନ୍ସ ଫାଉଣ୍ଡେସନର ବିଭିନ୍ନ କାର୍ଯ୍ୟକଳାପକୁ କୋଭିଡ୍‌-୧୯ ବିରୋଧରେ ଭାରତର ଲଢ଼େଇରେ “ଅତ୍ୟାବଶ୍ୟକୀୟ ସେବା’ ଭାବେ ଗଣାହେଉଛି ।
ସମସ୍ତେ ମିଳିମିଶି ଏହି କଠିନ ପରିସ୍ଥିତିରୁ ବାହାରି ଆସିବା ଏବଂ ସୁରକ୍ଷିତ ଭାବେ ଏକ ସୁସ୍ଥ ତଥା ବୃହତ ରିଲାଏନ୍ସ ପରିବାର ଆକାରରେ ଉଦୀୟମାନ ହେବ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଥିବା ମୁକେଶ ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍‌ର ସମସ୍ତ କର୍ମଚାରୀଙ୍କୁ ମୁକେଶ କହିଛନ୍ତି ।


Share It

Comments are closed.