ସୁଶାନ୍ତ ସିଂହ ମୃତ୍ୟୁ ମାମଲା, ରିୟାଙ୍କୁ ମିଳିଲା ଜାମିନ


ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ । ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ପ୍ରାୟ ଏକ ମାସ ଜେଲରେ ରହିବା ପରେ ରିୟାଙ୍କୁ ଜାମିନ୍ ମିଳିଛି । ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସେପଟେ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ଜାମିନ୍ ଖାରଜ ହୋଇଯାଇଛି । ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ପ୍ରାୟ ଏକ ମାସ ଜେଲରେ ରହିଥିଲେ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ରେ ଉଭୟଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଥିଲା ।

ରିୟାଙ୍କୁ ଏକ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ରିୟାଙ୍କୁ ତାଙ୍କ ପାସପୋର୍ଟ ଦାଖଲ କରିବାକୁ ପଡିବ । ମୁମ୍ବାଇ ବାହାରକୁ ଗଲେ ତାଙ୍କୁ ଅନୁମତି ନେବାକୁ ପଡିବ । ଯେତେବେଳେ ବି ତାଙ୍କୁ ପଚରାଉଚରା ପାଇଁ ଡକାଯିବ ତାଙ୍କୁ ହାଜର ହେବାକୁ ପଡିବ ।

ସେପ୍ଟେମ୍ବର ୧୧ ତାରିଖରେ ସ୍ପେଶାଲ ଏନଡିପିଏ କୋର୍ଟ ୫ ଜଣଙ୍କର ଜାମିନ ଆବେଦନ ଖାରଜ କରିଥିଲେ । ଏହାପରେ ସମସ୍ତେ ବମ୍ବେ ହାଇକୋର୍ଟର ଦାରସ୍ଥ ହୋଇଥିଲେ । ସେପ୍ଟେମ୍ବର ୨୯ତାରିଖରେ ବମ୍ବେ ହାଇକୋର୍ଟ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ରିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ୮ ସେପ୍ଟେମ୍ବରରେ ଗିରଫ କରିଥିଲା । ରିୟାଙ୍କ ବିରୋଧରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବାରେ ସାହାଯ୍ୟ କରିବାର ଅଭିଯୋଗ ଥିଲା । ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ କେତେକ ଡ୍ରଗ୍ସ ମାଫିଆଙ୍କ ସହ ହ୍ୱାଟସ ଆପ୍ ଚାଟ୍ ମଧ୍ୟ ସାମ୍ନାକୁ ଆସିଥିଲା ।


Share It

Comments are closed.