ରାଜ୍ୟସଭା ପ୍ରାର୍ଥୀଭାବେ ଡିମ୍ପଲ-କପିଲ ସିବଲ ଓ ଜାଭେଦ ଅଲ୍ଲୀ ଖାନ୍ ନାମରେ ମୋହର ମାରିଲା ସମାଜବାଦୀ ପାର୍ଟି


ସମାଜବାଦୀ ପାର୍ଟି ନିଜର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଫାଇନାଲ କରିଛି। କୁହାଯାଉଛି ଯେ, ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନିଜ ପତ୍ନୀ ଡିମ୍ପଲ ଯାଦବଙ୍କୁ ରାଜ୍ୟସଭା ପଠାଇବାର ନିଷ୍ପତ୍ତି ନେଇଛନ୍ତି। ଡିମ୍ପଲଙ୍କ ବ୍ୟତୀତ ଦେଶର ପ୍ରସିଦ୍ଧ ଓକିଲ କପିଲ ସିବଲ ଓ ଜାଭେଦ ଅଲ୍ଲୀ ଖାନ୍‌ଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ରହିଛି। କପିଲ ସିବଲ କଂଗ୍ରେସରୁ ରାଜ୍ୟସଭା ସାଂସଦ ଅଛନ୍ତି, ସେଭଳି ଜାଭେଦ ଅଲ୍ଲୀ ଖାନ୍ ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ରାଜ୍ୟସଭା ସଦସ୍ୟ ରହି ସାରିଛନ୍ତି।

ଉଲ୍ଲେଖନୀୟ ଯେ, ରାଜ୍ୟସଭାର ୧୧ଟି ଆସନ ପାଇଁ ୨୪ ମଇରୁ ନାମାଙ୍କନ ପକ୍ରିୟା ଆରମ୍ଭ ହୋଇଯାଇଛି। ସମାଜବାଦୀ ପାର୍ଟି ଏବେ ତିନି ଜଣଙ୍କୁ ରାଜ୍ୟସଭା ପଠାଇବାର ସ୍ଥିତିରେ ରହିଛି। ଏପର୍ଯ୍ୟନ୍ତ ରାଜ୍ୟସଭାରେ ସମାଜବାଦୀ ପାର୍ଟିର ୫ଜଣ ସଦସ୍ୟ ରହିଛନ୍ତି। ତାଙ୍କ ଭିତରୁ ରେଭତି ରମନ ସିଂହ, ବିଶ୍ବମ୍ବର ପ୍ରସାଦ ନିଷାଦ ଓ ଚୌଧୁରୀ ସୁଖରାମ ସିଂହ ଯାଦବଙ୍କ କାର୍ଯ୍ୟକାଳ ୪ ଜୁଲାଇରେ ଶେଷ ହେଉଛି।

ସେଭଳି ଦେଶର ଜଣାଶୁଣା ଓକିଲ ଓ କଂଗ୍ରେସ ନେତା କପିଲ ସିବଲଙ୍କ ରାଜ୍ୟସଭା ସଦସ୍ୟତା ଶେଷ ହେବାକୁ ଯାଉଛି। ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଥିଲା, କିନ୍ତୁ ଏବେ ସାମାଜବାଦୀ ପାର୍ଟି ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠାଇବାର ରାସ୍ତା ସଫା ହୋଇଯାଇଛି। ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, କପିଲ ସିବଲ ସମାଜବାଦୀ ପାର୍ଟି କିମ୍ବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ସମର୍ଥନରେ ରାଜ୍ୟସଭା ଯାଇପାରନ୍ତି।


Share It

Comments are closed.