ରାଜ୍ୟରେ କୃଷି ଯାନ୍ତ୍ରିକୀକରଣକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି : କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ


ଭୁବନେଶ୍ୱର : କୃଷି ଯାନ୍ତ୍ରିକୀକରଣ ଦିଗରରେ ଓଡିଶା କୃଷି ଶିଳ୍ପ ନିଗମର ପ୍ରମୁଖ ଭୂମିକା ରହିଛି । କୃଷି ଯାନ୍ତ୍ରିକୀକରଣର ଲାଭ ଏବଂ ରାଜ୍ୟ ସରକାର କୃଷି ଉପକରଣରେ ଚାଷୀମାନଙ୍କୁ ପ୍ରଦାନ କରୁଥିବା ପ୍ରୋତ୍ସାହନ ଓ ରିହାତି ଯେମିତି ହିତାଧିକାରୀଙ୍କ ନିକଟରେ ସିଧାସଳଖ ପହଞ୍ଚିପାରିବ ସେଥି ନିମନ୍ତେ ନିଗମ ପକ୍ଷରୁ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡିଶା କୃଷି ଶିଳ୍ପ ନିଗମର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ କୃଷି ଯାନ୍ତ୍ରିକୀକରଣକୁ କିପରି ବ୍ୟାପକ କରାଯାଇପାରିବ ସେ ବିଷୟରେ ଏକ ପଙ୍ଖାନୁପୁଙ୍ଖ ବିବରଣୀ ପ୍ରସ୍ତୁତ କରି ବିଭାଗକୁ ଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଆସନ୍ତା ସାତ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମର ଏକ ବୈଷୟିକ ବିବରଣୀ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ରୁଗଣ ସଂସ୍ଥାମାନଙ୍କ ଦ୍ୱାରା ବ୍ୟବସାୟ ପାଇଁ ଯଦି ଅଧିକୃତ କିଛି ସରକାରୀ ଜମି ଥାଏ, ତା’ହେଲେ ତାକୁ ସାତଦିନ ମଧ୍ୟରେ ସରକାରୀ ଖାତାକୁ ଫେରାଇ ଆଣିବାକୁ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ କୃଷି ଶିଳ୍ପ ନିଗମ ଦ୍ୱାରା ସଂଗ୍ରହ କରାଯାଇଥିବା କୃଷି ଯନ୍ତ୍ରପାତି ଓ ଆନୁଷଙ୍ଗିକ ସାମଗ୍ରୀ ପ୍ରକ୍ରିୟାକୁ ନିର୍ଭୁଲ ଓ ଲୋକାଭିମୁଖୀ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷକ ଓ ଜଳବିଭାଜିକା ଉନ୍ନୟକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ଓଡିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


Share It

Comments are closed.