କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ଅସଫଳ ରହିଛି ରେମଡେସିଭିର: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ


କରୋନା ଚିକିତ୍ସା ପାଇଁ ରେମଡେସିଭିର ଉତ୍ତମ ଫଳ ଦେଉଛି ବୋଲି ପୂର୍ବରୁ ଆମେ ଜାଣିଛେ। ମାତ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ନିକଟରେ ଏକ ଭିନ୍ନ କଥା ପ୍ରକାଶ ପାଇଛି। କରୋନା ରୋଗୀଙ୍କ ଉପରେ ରେମଡେସିଭିର‌ର ସ୍ବଳ୍ପ କିମ୍ବା ଶୂନ୍ୟ ପ୍ରଭାବ ରହିଛି ବୋଲି ହୁ ପ୍ରକାଶ କରିଛି। କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ରଖିବାରେ ରେମଡେସିଭିରର ବିଶେଷ ଭୂମିକା ନାହିଁ ବୋଲି ହୁ ପ୍ରକାଶ କରିଛି।

ଜାଣିବାକୁ ମିଳିଛି ଯେ ୩୦ଟି ଦେଶର ୧୧,୨୬୬ ଜଣ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା। ଗବେଷଣାରେ ୪ଟି ଔଷଧର ପ୍ରଭାବକୁ ନେଇ ବିଶ୍ଳେଷଣ କରାଯାଇଥିଲା। ସେହି ୪ଟି ଔଷଧ ହେଉଛି ରେମଡେସିଭିର, ହାଇଡ୍ରୋକ୍ସିକ୍ଲୋରକୁଇନ୍‌, ଲୋପିନାଭିର୍‌/ରାଇଟୋନାଭିର ଓ ଇଣ୍ଟରଫେରନ୍।

ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି ୪ଟି ଔଷଧ ବ୍ୟବହାର କରିବା ଦ୍ବାରା କରୋନା ଆକ୍ରାନ୍ତଙ୍କ ଉପରେ ସାମାନ୍ୟ କିମ୍ବା ଶୂନ୍ୟ ପ୍ରଭାବ ଦେଖିବାକୁ ମିଳିଛି। ୨୮ ଦିନ ଧରି ହୋଇଥିବା ଗବେଷଣାରେ ନା ମୃତ୍ୟୁ ହାର କମ୍‌ ଦେଖିବାକୁ ମିଳିଥିଲା ନା ସୁସ୍ଥ ହେବାକୁ ଆକ୍ରାନ୍ତଙ୍କୁ କମ୍‌ ସମୟ ଲାଗିଥିଲା। ମୋଟାମୋଟି ଭ‌ାବେ କୁହାଯାଇପାରେ ଯେ ଉପରୋକ୍ତ ୪ଟି ଔଷଧର କରୋନା ଆକ୍ରାନ୍ତଙ୍କ ଉପରେ ସେପରି କୌଣସି ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ। ପରୀକ୍ଷଣର ଫଳାଫଳ ଏ ପର୍ଯ୍ୟନ୍ତ ସମୀକ୍ଷା କରାଯାଇ ନାହିଁ ବୋଲି ଜଣାଇଛି ହୁ। ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ନିକଟରେ ଆଣ୍ଟିଭାଇରାଲ ଔଷଧ ବ୍ୟବହୃତ ହୋଇଥିଲା।


Share It

Comments are closed.