ଦେଶର ସର୍ବବୃହତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେଲା ରିଲାଏନ୍ସ ଜିଓ


ଭୁବନେଶ୍ୱର: ନିଜର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବାର ବ୍ୟବସାୟିକ ପ୍ରାରମ୍ଭ ହେବାର ପ୍ରାୟ ଦୁଇବର୍ଷ ମଧ୍ୟରେ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେବାର ଗୌରବ ହାସଲ କରିଛି । ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ନଭେମ୍ବର ମାସର ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ଜିଓ ୪.୩୪ ନିୟୁତ ଗ୍ରାହକ ସହିତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ବର୍ଗରେ ସଂପ୍ରତି ଅଗ୍ରଣୀ ସ୍ଥାନରେ ରହିଛି । ପ୍ରାୟ ୨୦ ବର୍ଷ ଧରି ଏହି ବର୍ଗରେ ବିଏସ୍‌ଏନ୍‌ଏଲ୍‌ର ଆଧିପତ୍ୟ ରହିଥିଲା ।

ରିଲାଏନ୍ସ ଜିଓର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବର୍ ଗ୍ରାହକ ସଂଖ୍ୟା ୨୦୨୧ ଅକ୍ଟୋବରରେ ୪.୧୬ ନିୟୁତ ଥିବାବେଳେ ୨୦୨୧ ନଭେମ୍ବରରେ ୪.୩୪ ନିୟୁତକୁ ବୃଦ୍ଧିପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡିଛଇ । ଅନ୍ୟପକ୍ଷରେ ବିଏସଏନଏଲ୍ ର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୨୧ ଅକ୍ଟୋବରରେ ୪.୭୨ ନିୟୁତ ଥିବାବେଳେ ୨୦୨୧ ନଭେମ୍ବରରେ ତାହା ୪.୨ ନିୟୁତକୁ ହ୍ରାସପାଇଛି । ନଭେମ୍ବର ମାସରେ ଭାରତୀ ଏୟାରଟେଲର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୪.୦୮ ନିୟୁତ ରହିଥିଲା ।

ଜିଓ ୨୦୧୯ ସେପ୍ଟେମ୍ବରରେ ଜାହାର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର୍ ର ବ୍ୟବସାୟିକ ପ୍ରଚଳନ ଆରମ୍ଭ କରିଥିଲା । ଜିଓ ଶୂନରୁ ଆରମ୍ଭ କରିଥିବାବେଳେ ୨୦୧୯ ସେପ୍ଟେମ୍ବରରେ ବିଏସଏନଏଲ୍ ର ୮.୬୯ ନିୟୁତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ରହିଥିଲେ । ଭାରତୀ ଏୟାରଟେଲ୍‌ର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍  ଗ୍ରାହକ ସଂଖ୍ୟା ୨୦୧୯ ସେପ୍ଟେମ୍ବରରେ ୨.୪୧ ନିୟୁତ ରହିଥିଲା ।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ୨୦୨୧ ଅକ୍ଟୋବର ମାସରେ ଉଭୟ ଫିକ୍ସଡ୍ ଲାଇନ୍ ଓ ମୋବାଇଲ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକଙ୍କୁ ମିଶାଇ ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୭୯୮.୯୫ ନିୟୁତ ରହିଥିବାବେଳେ ୨୦୨୧ ନଭେମ୍ବରରେ ତାହା ୮୦୧.୬ ନିୟୁତକୁ ବୃଦ୍ଧିପାଇଛି । ଏହି ବର୍ଗରେ ରିଲାଏନ୍ସ ଜିଓ ତାହାର ଅଗ୍ରଣୀ ସ୍ଥାନ ବଜାୟ ରଖିଥିବା ଟ୍ରାଇ ଗ୍ରାହକ ରିପୋର୍ଟରୁ ଜଣାଯାଇଛି । ୨୦୨୧ ନଭେମ୍ବର ଶେଷସୁଦ୍ଧା ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟାର ୯୮.୬୮ ପ୍ରତିଶତ ଦେଶର ଶୀର୍ଷ ପାଂଚଟି ସେବା ଯୋଗାଣକାରୀଙ୍କ ନିକଟରେ ରହିଥିବା ଟ୍ରାଇ ପକ୍ଷରୁ କୁହାଯାଇଛି ।

ରିଲାଏନ୍ସ ଜିଓର ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୨୧ ନଭେମ୍ବରରେ ୪୩୨.୯୬ ନିୟୁତ  ରହିଥିବା ଜଣାଯାଇଛି । ଏହା ପଛକୁ ଭାରତୀ ଏୟାରଟେଲର ୨୧୦.୧୦ ନିୟୁତ ବ୍ରଡବ୍ୟାଣ୍ଡ୍ ଗ୍ରାହକ ରହିଥିଲେ । ସେହିଭଳି ଭୋଡାଫୋନ ଆଇଡିଆ ଲିମିଟେଡର ୧୨୨.୪୦ ନିୟୁତ ଏବଂ ବିଏସଏନଏଲର ୨୩.୬୨ ନିୟୁତ ବ୍ରଡବ୍ୟାଣ୍ଡ୍ ଗାହକ ରହିଥିବା ଜଣାଯାଇଛି । 


Share It

Comments are closed.